ବଡ଼ଦାଣ୍ଡରେ ରଥଟଣା ଆରମ୍ଭ: ଗଡ଼ିଲା ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ

ପୁରୀ: ଛେରାପହଁରା ପରେ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥଟଣା ଚାଲିଛି। ଘଣ୍ଟଘଣ୍ଟା, ହୁଳୁହୁଳି ଓ ହରିବୋଲ ଧ୍ବନିରେ କମ୍ପିଉଠୁଛି ବଡ଼ଦାଣ୍ଡ। ପରମ୍ପରା ଅନୁସାରେ, ପ୍ରଥମେ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା। ଏହି ରଥକୁ  ଶ୍ରଦ୍ଧାଳୁମାନେ ଟାଣି ନେଉଛନ୍ତି ନୀଳକନ୍ଦରକୁ। ତାପରେ ସୁଭଦ୍ରାଙ୍କ ରଥଟଣା ହେବ। ଏହାପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହେବ।


ଏହା ପୂର୍ବରୁ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ‘ଛେରାପହଁରା’ କରିଥିଲେ। ଗଜପତି ମହରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ରଥ ଉପରେ ପହଞ୍ଚିବା ପରେ ରାଜାବେଶରେ ରଥ ଉପରେ ଛେରାପହଁରା ନୀତି କରିଥିଲେ। ପରମ୍ପରା ଅନୁଯାୟୀ ସେ ପ୍ରଥମେ ତାଳଧ୍ବଜ ରଥରେ ଛେରାପହଁରା ସଂପନ୍ନ କରିଥିଲେ। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ସୁବାସିତ ଜଳ ସିଞ୍ଚନ କରି ରଥକୁ ସୁବର୍ଣ୍ଣ ସମାର୍ଜନୀରେ ପରିଷ୍କୃତ କରିଥିଲେ। ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଓ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସମାପନ ହେବା ପରେ ରଥଟଣା ଆରମ୍ଭ ହୋଇଛି

Image
ସୂଚନାଯୋଗ୍ୟ, ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୩ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ଘୋଷଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ଧାଡି ପହଣ୍ଡିରେ ଆଜି ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ ହୋଇଥିଲେ। ଏହାପରେ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କରିଥିଲେ। ସେ ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଥିଲେ। ପରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା।
ଚୂଡ଼ାନ୍ତ ନୀତି ଅନୁଯାୟୀ, ଆଜି ସକାଳୁ ସକାଳୁ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି ଓ ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଓ ବେଶ ଶେଷ, ଖେଚୁଡ଼ି ଭୋଗ ନୀତି ଶେଷ ହୋଇଥିଲା । ପରେ ରଥ ପ୍ରତିଷ୍ଠା ହୋଇ ମଙ୍ଗଳାର୍ପଣ, ପହଣ୍ଡି ସଂପନ୍ନ ହୋଇଥିଲା। ରଥକୁ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିଥିଲେ। ଏଥିସହ ଚିତା ଲାଗି ନୀତି ଓ ବେଶ ଶେଷପରେ ଛେରା ପହଁରା ସରିଥିଲା।

ସମ୍ବନ୍ଧିତ ଖବର