ଚଳିତ ବର୍ଷ ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା ବନ୍ଦ କରିବାକୁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନ‌ାହିଁ ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା, ତାକୁ ଆଜି ଦୂର କରିଛନ୍ତି  ସୁପ୍ରିମକୋର୍ଟ। ଜୁନ୍ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

ରଥଯାତ୍ରା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି ଯେ ଯଦି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁମିତ ଦିଆଯିବ, ତେବେ ଆମକୁ ଭଗବାନ ଜଗନ୍ନାଥ କ୍ଷମା ଦେବେ ନାହିଁ। କରୋନା ମହାମାରୀ ସମୟରେ ଏହାକୁ ଅନୁମତି ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି। ଜନସାଧାରଣଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଆଖି ଆଗରେ ରଖାଯାଇ ଏଭଳି ନିଷ୍ପତ୍ତି ନିଆଯାଉଛି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍.ଏ. ବୋବଡେ, ବିଚାରପତି ଏ.ଏସ୍.ବୋପନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଶୁଣାଣି କରିଛନ୍ତି। ରଥଯାତ୍ରା ସଂକ୍ରାନ୍ତରେ ଓଡ଼ିଶା ବିକାଶ ପରିଷଦ ସମେତ ପାଖାପାଖି ୭ଟି ଆବେଦନ କୋର୍ଟଙ୍କ ନିକଟରେ ରହିଥିଲା,ଯାହାର ଶୁଣାଣି କରି ଏହି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥା ରୋଚକ ଘଟଣାଟି ହେଲା ମହାପ୍ରଭୁଙ୍କ ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟରେ ଗତକାଲି ମଧ୍ୟବର୍ତ୍ତୀ ଆବେଦନପତ୍ର (ଆଇଏ ନମ୍ବର- ୫୫୭୪୫/୨୦୨୦) ଦାଖଲ କରିଥିଲେ ନୟାଗଡ଼ ଜିଲ୍ଲାର ଜଣେ ମୁସଲମାନ ସଂପ୍ରଦାୟର ଯୁବକ ଅଫତାବ ହୁସେନ। ଏ ନେଇ ମଧ୍ୟବର୍ତ୍ତୀ ଆବେଦନପତ୍ର ଦାଖଲ ହୋଇଥିବା ନେଇ ତାଙ୍କ ଓକିଲ ପ୍ରଣୟ କୁମାର ମହାପାତ୍ର ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର