ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ରାସନ୍ କାର୍ଡ, ଉଦ୍‌ବେଗ ଜଣାଇଲେ ସବୁ ଦଳର ସଦସ୍ୟ

ଭୁବନେଶ୍ବର : ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍ କାର୍ଡ ମିଳୁନି। ଯେଉଁ ପଞ୍ଚାୟତକୁ ଗଲେ ଲୋକମାନେ ଘେରାଉ କରି ରାସନ୍ କାର୍ଡ କେବେ ମିଳିବ ବୋଲି ପଚାରୁଛନ୍ତି। ଆବେଦନ କଲେ ବି ତାହାର ଯାଞ୍ଚ୍ କରାଯାଇ ତୁରନ୍ତ ପଦକ୍ଷେପ ନିଆଯାଉନି। ଗରିବ ‌େଲାକମାନେ ଏମିତି ସରକାରୀ ପ୍ରକ୍ରିୟାରେ ବହୁ ଅସୁବିଧା ଭୋଗୁଛନ୍ତି। ଆଜି ବିଧାନସଭାର ପ୍ରଶ୍ନକାଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଉପରେ ଏମିତି ଅଭିଯୋଗ ଗଦା କରିଥିଲେ ବିଧାୟକ। ଉଭୟ ଶାସକ ଓ ବିରୋଧୀଙ୍କ ସ୍ବର ସମାନ ଥିଲା।

ମନ୍ତ୍ରୀ ଅଭିଯୋଗଗୁଡ଼ିକୁ ରୋକ୍‌ଠୋକ୍ ପ୍ରତ୍ୟାଖ୍ୟାନ କରି ନ ଥିଲେ ବି ଆଶ୍ବାସନା ଦେଲା ପରି କୌଣସି ମନ୍ତବ୍ୟ ଦେଇ ନ ଥିଲେ। ରାସନ୍ କାର୍ଡ ପ୍ରଦାନ ଏକ ନିରନ୍ତର ପ୍ରକ୍ରିୟା କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଆହୁରି ମଧ୍ୟ ବିଧାୟକଙ୍କ ଉପରକୁ ଦାୟିତ୍ବ ଠେଲି କହିଥିଲେ ଯେ ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ। ସରକାର ତାଙ୍କ କାମ କରୁଛନ୍ତି। ବିଧାୟକମାନେ ନିଜେ ସଚେତନ ହୋଇ କାମ କରନ୍ତୁ।

ବିଧାୟକ ଅନନ୍ତ ଦାସ ଓ ଅଶ୍ବିନୀ କୁମାର ପାତ୍ରଙ୍କ ଦୁଇଟି ମୂଳ ପ୍ରଶ୍ନର ଉତ୍ତରରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ବର୍ତ୍ତମାନ ସୁଦ୍ଧା ୯୨,୯୮,୫୮୨ଟି ପରିବାରର ୩,୨୪,୭୩,୩୭୦ ଜଣ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ରେ ୮୩,୦୩୫ଟି ପରିବାରର ୩,୧୨,୩୦୧ ସଦସ୍ୟଙ୍କୁ ହିତାଧିକାରୀ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଯୋଜନାରୁ ବଞ୍ଚିତ ସମସ୍ତ ବ୍ୟକ୍ତି ଆବେଦନ କଲେ ଉପଯୁକ୍ତ ତଦନ୍ତ କରାଯାଇ ବାଦ୍ ଦିଆଯାଇଥିବା ହିତାଧିକାରୀଙ୍କ ସ୍ଥାନରେ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ୩୭୭ଟି ରାସନ୍ କାର୍ଡ ପରିଚାଳନା କେନ୍ଦ୍ର ମାଧ୍ୟମରେ ତାଲିକାଭୁକ୍ତ କରାଯାଇ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ଏହା ଏକ ନିରନ୍ତର ପ୍ରକ୍ରିୟା।

କିନ୍ତୁ ମନ୍ତ୍ରୀଙ୍କ ଉତ୍ତରରେ ମୂଳ ପ୍ରଶ୍ନକର୍ତ୍ତା ଅନନ୍ତ ଦାସ ସନ୍ତୁଷ୍ଟ ହୋଇ ନ ଥିଲେ। ସେ କହିଥିଲେ ଯେ ମନ୍ତ୍ରୀ ଜଣେ ଦକ୍ଷ ମନ୍ତ୍ରୀ। କିନ୍ତୁ ସେ ପ୍ରଶ୍ନର ଠିକ୍ ଉତ୍ତର ଦେଇ ନାହାନ୍ତି। ଆମେ କୌଣସି ବ୍ଲକ୍‌କୁ ଗଲେ ଲୋକ ଆମକୁ ଘେରାଉ କରୁଛନ୍ତି। ଗୋଟିଏ ଗୋଟିଏ ପଞ୍ଚାୟତର ବହୁ ଯୋଗ୍ୟ ପରିବାର ତାଲିକାରୁ ବାଦ୍ ପଡ଼ିଛନ୍ତି।

ମନ୍ତ୍ରୀ କହିଥିଲେ ଯେ ତଥ୍ୟ ଲୁଚାଇବାର ଅଭିପ୍ରାୟ ନାହିଁ। ତାଲିକାରେ ଅନ୍ତର୍ଭୁକ୍ତ‌ ହେବାକୁ ୭ ଲକ୍ଷରୁ ଅଧିକ ଦରଖାସ୍ତ ଆସିଥିଲା। ଗତ ନଭେମ୍ବର/ଡିସେମ୍ବର ସୁଦ୍ଧା ୨ ଲକ୍ଷ ୨ ହଜାର ଲୋକଙ୍କୁ ଉପଯୁକ୍ତ ଯାଞ୍ଚ୍ କରାଯାଇ ତାଲିକାରେ ସାମିଲ୍‌ କରାଯାଇଛି। ଅନ୍ୟ ଆବେଦନଗୁଡ଼ିକର ଯାଞ୍ଚ୍ ଚାଲିଛି।

ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଥିଲେ ଯେ ରାସନ୍ କାର୍ଡ ପାଇବା ପାଇଁ ଲୋକ ବହୁ ଦିନ ଅପେକ୍ଷା କରୁଛନ୍ତି। ଅନ୍‌ଲାଇନ୍‌ରେ କାର୍ଡ ମିଳିବ ବୋଲି ସରକାର କହୁଛନ୍ତି। କିନ୍ତୁ ଅନ୍‌ଲାଇନ୍ ଖୋଲୁନି। କୁସୁମ ଟେଟେ ତାଙ୍କ ନିର୍ବାଚନମଣ୍ଡଳୀରେ ରାସନ୍ କାର୍ଡ ପାଇଁ ଦୌଡ଼ି ଦୌଡ଼ି ଲୋକ କିପରି ଦୁର୍ଘଟଣାରେ ମୃତ୍ୟୁବରଣ କଲେ, ତାହା ଜଣାଇଥିଲେ। ଦେହ ଖରାପ ହେଲେ ପର ମାସରେ ଦୁଇ ଥରର ସାମଗ୍ରୀ ହିତାଧିକାରୀ ପାଇବା କଥା। କିନ୍ତୁ ତାହା ଦିଆଯାଉନି ବୋଲି ସେ ଅଭିଯୋଗ କରିଥିଲେ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ ଯେ ୨୦ ବର୍ଷ ଶାସନ ପରେ ଖାଦ୍ୟ ସୁରକ୍ଷା ଆଇନ୍‌ର ହିତାଧିକାରୀଙ୍କ ତାଲିକା ବଢ଼ିବା ରାଜ୍ୟର ପ୍ରକୃତ ଚିତ୍ର ଦେଖାଉଛି। ରାଜନୈତିକ ଦୃଷ୍ଟିରୁ ବିଚାରକୁ ନେଇ ରାସନ୍ କାର୍ଡ ଦିଆଯାଇଥିବାରୁ ବହୁ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ୁଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ସବୁ ଗରିବ ଲୋକଙ୍କୁ ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ହେବାର ୬ ବର୍ଷ ବିତିଯାଇଥିଲେ ବି ଏ ପାରଙ୍ଗମ ସରକାର ସବୁ ଗରିବ ଲୋକଙ୍କୁ ଚାଉଳ ଯୋଗାଇ ପାରିଲେ ନାହିଁ। କୁହାଯାଇଥିଲା ଯେ ‌ଅଭିଯୋଗ ପାଇବାର ୨୪ ଘଣ୍ଟା ଭିତରେ ଯାଞ୍ଚ୍ କରି ରାସନ୍ କାର୍ଡ ଯୋଗାଇ ଦିଆଯିବ। କିନ୍ତୁ ମାସ ମାସ ଧରି ଆବେଦନ ପଡ଼ୁଥିଲେ ବି କାହିଁକି ଯାଞ୍ଚ୍ କରାଯାଉ ନାହିଁ। ଆବେଦନ କରିବାର କେତେ ଦିନ ଭିତରେ ସରକାର ଯାଞ୍ଚ୍ କରି କାର୍ଡ ପ୍ରଦାନ କରିବେ ? ଅଶୋକ ବଳ ଓ ଶ୍ରୀକାନ୍ତ ସାହୁ ଅତିରିକ୍ତ ପ୍ରଶ୍ନ କରିଥିଲେ।

ମନ୍ତ୍ରୀ ଶ୍ରୀ ସ୍ବାଇଁ ଅଧିକାଂଶ ଉତ୍ତରରେ ରାସନ୍ କାର୍ଡ ପ୍ରଦାନ ଏକ ନିରନ୍ତର ପ୍ରକ୍ରିୟା କହି ଅଭିଯୋଗକୁ ଏଡ଼ାଇଯାଇଥିଲେ। ନିର୍ଦ୍ଦିଷ୍ଟ ଅଭିଯୋଗ ଆଣି‌େଲ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଆବେଦନର କେତେ ଦିନ ଭିତରେ ଯାଞ୍ଚ୍ କରାଯାଇ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତିଙ୍କ ସମେତ ସଭ୍ୟମାନେ ବାରମ୍ବାର ପଚାରିଥିଲେ ବି ମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ କିଛି କହି ନ ଥିଲେ।

ସମ୍ବନ୍ଧିତ ଖବର