ରାସନ କାର୍ଡ ନଥିବା ପ୍ରସଙ୍ଗ : ସରକାରଙ୍କୁ ଜବାବ ତଲବ

କଟକ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରାଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବାବେଳେ ରାସନ କାର୍ଡ ନଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ସହିତ ବସ୍ତି ବାସିନ୍ଦା, ଶ୍ରମିକ ଓ ପେସାଦାରଙ୍କୁ ସହାୟତା ପ୍ରଦାନ ପ୍ରସଂଗକୁ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଏ ସଂପର୍କିତ ଦୁଇଟି ପୃଥକ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମେ୨୬ରେ ଉଭୟ ମାମଲାର ଏକତ୍ର ଶୁଣାଣି ହେବ। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସମାଜସେବୀ ଡକ୍ଟର ବିଶ୍ବାବସୁ ଦାଶ ଓ ଆଇନଜୀବୀ ଦିଲ୍ଲୀପ କୁମାର ରାୟଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ଦାଶଙ୍କ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ମାସାଧିକ କାଳ ଲକ୍‌ଡାଉନ ଯୋଗୁଁ ବିଭିନ୍ନ ବସ୍ତିରେ ବସବାସ କରୁଥିବା ଲୋକମାନଙ୍କ ଅବସ୍ଥା ଖରାପ ହେଲାଣି। ରୋଜଗାର ନଥିବା ବେଳେ ଘୋଷଣା କରାଯାଇଥିବା ସରକାରୀ ସାହାଯ୍ୟ ସବୁ ଲୋକଙ୍କ ପାଖରେ ଏ ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। ଅନେକ ଲୋକେ ଖାଇବାକୁ ନ ପାଇ ଅନାହାର ଓ ଅର୍ଦ୍ଧାହାରରେ କାଳ କାଟୁଛନ୍ତି। ପ୍ରବାସରୁ ଚାଲି ଚାଲି, ବସରେ ଓ ଅନ୍ୟ ଉପାୟରେ ଫେରୁଥିବା ଶ୍ରମିକଙ୍କ ପାଇଁ ରନ୍ଧାଖାଦ୍ୟ, ପାନୀୟ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ। ବହୁ ପେସାଦାର ଓ ନିଜ ଉଦ୍ୟମରେ ଆତ୍ମନିର୍ଭର ହୋଇଥିବା ପରିବାର ଅସୁବିଧାରେ ଥିବା ବେଳେ ସେମାନଙ୍କ ପାଇଁ ମଧ୍ୟ ସରକାର ଚିନ୍ତା କରିବା ଉଚିତ। କେହି ଯେଭଳି ଭାବେ ଭୋକ ଉପାସରେ ନ ରହିବେ ସେଥିପାଇଁ ପୌର ପ୍ରଶାସନ, ପଞ୍ଚାୟତ ଓ ଏନଜିଓର ସହାୟତା ନିଆଯାଉ। ସମ୍ମାନର ସହିତ ଲୋକମାନେ ଲକ୍‌ଡାଉନ ସମୟରେ ବଞ୍ଚି ରହିବା ପାଇଁ ସରକାର ମୌଳିକ ସୁବିଧା ପ୍ରଦାନ କରନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ସେହିଭଳି ଭାବେ ହାଇକୋର୍ଟ ବାର୍ ଆସୋସିଏସନ୍‌ର ପୂର୍ବତନ ଯୁଗ୍ମ ସଂପାଦକ ଶ୍ରୀ ରାୟଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ବହୁ ଗରିବ ପରିବାର ନିକଟରେ ରାସନ କାର୍ଡନାହିଁ। ଲକ୍‌ଡାଉନ ଯୋଗୁଁ ଦେଖା ଦେଇଥିବା ପରିସ୍ଥିତିରେ ରାସନ କାର୍ଡ ନଥିବା ଗରିବ ପରିବାର ପାଇଁ କିରାସିନ୍, ଚାଉଳ, ଗହମ, ଡାଲି ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସଚିବ, ସ୍ବତନ୍ତ୍ର ରିଲିଫ କମିସନର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଆଜି ସୋରରେ ଥିବା ଶ୍ରୀ ରାୟ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ। ଆବେଦନକାରୀ ଶ୍ରୀ ଦାଶଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଥିବା ବେଳେ ରାଜେନ୍ଦ୍ର ଦାସ, ଜୟନ୍ତୀ ନାୟକ, ସୁରେନ୍ଦ୍ରକୁମାର ରାଉତ, ସରୋଜ ଭୂୟାଁ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର