କେନ୍ଦ୍ରାପଡ଼ା: ସାନ ଭାଇ ନାଁରେ ରାସନକାର୍ଡ ଜାଲିଆତି କରି ଜେଲ୍ ଗଲେ ବଡ଼ଭାଇ। ଏଭଳି ଏକ ଚର୍ଚ୍ଚିତ ଘଟଣା କେନ୍ଦ୍ରାପଡ଼ା ଟାଉନ ଥାନା ବଡ଼ବାରଙ୍ଗ ଗାଁରେ ଘଟିଛି। ଜାଲିଆତି କରି ରାସନ ହଡ଼ପ ଅଭିଯୋଗରେ ପୁଲିସ ବଡ଼ବାରଙ୍ଗର କାର୍ତ୍ତିକ ଚନ୍ଦ୍ର ସାହୁ (୬୦)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଘଟଣାଟି ହେଉଛି ଏମିତି: ବଡ଼ବାରଙ୍ଗ ଗାଁର କାର୍ତ୍ତିକ ସାହୁ ଏବ˚ ରମେଶ ଚନ୍ଦ୍ର ସାହୁ ଦୁଇ ଭାଇ। ସେମାନଙ୍କ ମା'ଙ୍କ ନାଁରେ ରାସନକାର୍ଡ ହୋଇଥିଲା। ହିତାଧିକାରୀ ହିସାବରେ ଅଭିଯୁକ୍ତ କାର୍ତ୍ତିକ ସାହୁ ରାସନ୍ ଆଣି ଖାଉଥିଲେ। କିନ୍ତୁ ୨୦୧୯, ନଭେମ୍ବର ୧୧ତାରିଖରେ ମା'ଙ୍କ ଦେହାନ୍ତ ହେବା ପରେ ରାସନକାର୍ଡ କଟିଯାଇଥିଲା। କାର୍ତ୍ତିକଙ୍କ ଦୁଇ ପୁଅ ବାହାରେ ପ୍ରତିଷ୍ଠିତ କ˚ପାନିରେ ଚାକିରି କରିଥିବାରୁ ରାସନ କାର୍ଡ ହିତାଧିକାରୀ ହୋଇ ପାରିନଥିଲେ। ଏଭଳି ସ୍ଥିତିରେ ଭୁବନେଶ୍ବର ୧ନମ୍ବର ହାଟରେ ବ୍ୟବସାୟ କରୁଥିବା ସାନ ଭାଇ ରମେଶ ଚନ୍ଦ୍ର ସାହୁଙ୍କ ନାଁରେ ରାସନକାର୍ଡ ଆବେଦନ କରିଥିଲେ ଅଭିଯୁକ୍ତ କାର୍ତ୍ତିକ ସାହୁ। ଫର୍ମରେ ସାନଭାଇ ନାଁ ଲେଖିଥିଲେ ହେଁ, ମୋବାଇଲ୍ ନମ୍ବର କିନ୍ତୁ ଚଞ୍ଚକତା କରି ନିଜର ଦେଇଥିଲେ। ଯା˚ଚ ପରେ ଯେତେବେଳେ ମୋବାଇଲ୍କୁ ଓଟିପି ନମ୍ବର ଆସିଥିଲା, ସେତେବେଳେ ନିଜ ନମ୍ବର ହୋଇଥିବାରୁ ତାହାକୁ ଚତୁରତାର ସହିତ ଗ୍ରହଣ କରି ନେଇଥିଲେ। ଫଳରେ ସାନ ଭାଇ ରାସନକାର୍ଡ ହିତାଧିକାରୀ ହୋଇଯାଇଥିଲେ; ମାତ୍ର ରାସନ୍ ଉଠାଉଥିଲେ ବଡ଼ଭାଇ ଅଭିଯୁକ୍ତ କାର୍ତ୍ତିକ ସାହୁ। କିନ୍ତୁ ଏଭଳି ଜାଲିଆତି ସ˚କ୍ରାନ୍ତରେ ସାନ ଭାଇ ଜାଣିବା ପରେ ଗତକାଲି ବଡ଼ଭାଇ ନାଁରେ ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଆଜି ଅଭିଯୁକ୍ତ କାର୍ତ୍ତିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।