ରାସନ୍‌ କାର୍ଡ ଘୋଟଲାରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ, ଦାୟିତ୍ବ ନେଇଥିବା ଗୋ‌ଷ୍ଠୀ ନିଲମ୍ବିତ

ଲୁଟ୍‌ ପାଇଁ ଖୋଲା ରହିଛି ବାଟ, ଆଙ୍ଗୁଠି ଚିହ୍ନ ମିଶୁନି, ତଥାପି ଦିଆଯାଉଛି ସାମଗ୍ରୀ

ପୁରୀ/ଗୋପ : ପୁରୀ ଜିଲ୍ଲାରେ ପ୍ରାୟ ୧୦ ହଜାରରୁ ଅଧିକ ରାସନ୍‌ କାର୍ଡର କେହି ଦାବିଦାର ନାହାନ୍ତି। ଭୂତ ରାସନ୍ କାର୍ଡ ସଂପର୍କରେ ‘ସମ୍ବାଦ’ରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୋପ ବ୍ଲକ ଅଣ୍ଢରା ଇଛାପୁର ପଞ୍ଚାୟତ ଦିହୁଡା ଗ୍ରାମ‌ରେ ଏହି ଦୁର୍ନୀତି ସାମ୍‌ନାକୁ ଆସିବା ପରେ ଆଜି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଗାଁରେ ଯୋଗାଣ ସାମଗ୍ରୀ ବିତରଣ ଦାୟିତ୍ବ ନେଇଥିବା ନୀଳକଣ୍ଠେଶ୍ବର ଗ୍ରାମ୍ୟ ଉନ୍ନୟନ ସମିତିକୁ ବିତରଣ କାର୍ଯ୍ୟରୁ ଅନ୍ତର କରିଛନ୍ତି। ବିଡିଓ ଏବଂ ଯୋଗାଣ ବିଭାଗ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ସମିତିର ସଂପାଦକ ତଥା ଡିଲର୍‌ କାଉରାମ ଜେନାଙ୍କୁ ଉପଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ତେବେ ଏଭଳି ଏକ ବଡ଼ଧରଣର ଦୁର୍ନୀତିରେ ଡିଲରଙ୍କ ମୁଣ୍ଡ ଗଡ଼େଇ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଘଣ୍ଟ ଘୋଡାଇବାକୁ ଯଥାସାଧ୍ୟ ଉଦ୍ୟମ କରିଛି ଯୋଗାଣ ବିଭାଗ। ସବୁଠୁ ବଡ଼କଥା ହେଲା, ଯୋଗାଣ ନିରୀକ୍ଷକ ଦାୟିତ୍ବରେ ଥିବା ଅଧିକାରୀ ଏ ସଂପର୍କରେ କେମିତି ଜାଣିପାରିଲେନି ତାହା ଘୋର ସନ୍ଦେହ ସୃଷ୍ଟି କରିଛି।

ବାତ୍ୟା ‘ଫନି’ ପରେ ରାଜ୍ୟ ସରକାର ପୁରୀ ଜିଲ୍ଲାର ବିପନ୍ନଙ୍କ ପାଇଁ ସହାୟତା ଘୋଷଣ‌ା କରିଥିଲେ। ପ୍ରତ୍ୟେକ ରାସନ୍‌ କାର୍ଡଧାରୀଙ୍କୁ ୨ ହଜାର ଟଙ୍କା ସହ ୫୦ କିଲୋ ଚାଉଳ ଏବଂ ରାସନ୍‌ କାର୍ଡ ନଥିବା ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଓ ୫୦ କିଲୋ ଚାଉଳ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥି ପାଇଁ ବ୍ଲକ ଓ ପଞ୍ଚାୟତମାନଙ୍କରେ ରାସନ୍‌ କାର୍ଡ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ତାଲିକା ମୁତାବକ, ଅର୍ଥ ରାଶି ଓ ଚାଉଳ ପଞ୍ଚାୟତକୁ ପଠାଯାଇଥିଲା। ତେବେ ଟଙ୍କା ବଣ୍ଟନ ପରେ କିଛି ପଞ୍ଚାୟତରେ ଟଙ୍କା ବଳି ଯାଇଥିବା ବେଳେ ସେ ବାବଦ ଚାଉଳ କିନ୍ତୁ ବଣ୍ଟା ସରିଥିଲା। ରାସନ୍‌ କାର୍ଡରେ ନାମ ଥିବା କିଛି ହିତ‌ାଧିକାରୀ ଟଙ୍କା ନେବାକୁ ଆସିନଥିଲେ। ଗୋପ ବ୍ଲକର ଅଣ୍ଢାର ଇଛାପୁର ପଞ୍ଚାୟତରେ ଦୁଇ ଡିଲରଙ୍କ ମାଧ୍ୟମରେ ୧୭୪୭ ଜଣ ହିତ‌ାଧିକାରୀଙ୍କ ପାଇଁ ସମୁଦାୟ ୨୦ ଲକ୍ଷ ୬୪ ହଜାର ଟଙ୍କା ବଣ୍ଟନ କରିବାକୁ ଆସିଥିଲା। ମାତ୍ର ସେଥିରୁ ୪୭ ଜଣ ହିତାଧିକାରୀ ଟଙ୍କା ଉଠାଇ ନଥିବା ଜଣାପଡିବା ପ‌ରେ ଏଥିରେ ହୋଇଥିବା ଘୋଟଲା ପଦାକୁ ଆସିଥିଲା। ଫନି‌ ପରେ ଜିଲ୍ଲାର ମୋଟ ୩ ଲକ୍ଷ ୫୩ ହଜାର ୬୪ ରାସନ୍‌ କାର୍ଡଧାରୀ ଚାଉଳ ନେଇଥିବା ବେଳେ କେଉଁମାନେ ଟଙ୍କା ନେଇନାହାନ୍ତି ସେ ସଂପର୍କରେ ତଥ୍ୟ ଗୋପନ ରଖିଛି ପ୍ରଶାସନ। ତେବେ ଜିଲ୍ଲାରେ ପ୍ରାୟ ୧୦ ହଜାରରୁ ଅଧିକ ହିତାଧିକାରୀ ଚାଉଳ ନେଇଥିବା ବେ‌ଳେ ଟଙ୍କା ନେଇନାହାନ୍ତି। ଅର୍ଥାତ ଜିଲ୍ଲାରେ ୧୦ ହଜାର ହିତାଧିକାରୀଙ୍କ ଯୋଗାଣ ସାମଗ୍ରୀକୁ ହରିଲୁଟ୍‌ କରାଯାଉଥିବା ଏଥିରୁ ସ୍ପଷ୍ଟ ହୋଇଛି।

ଅନ୍ୟପକ୍ଷରେ ସରକାର ଖାଦ୍ୟ ସୁରକ୍ଷା ଆଇନକୁ ଶୃଙ୍ଖଳିତ କରିବା ନିମନ୍ତେ ପିଏସ୍‌ଓ ମେସିନ ପ୍ରଚଳନ କରିଥିଲେ। ହିତାଧିକାରୀ ଏହି ମେସିନ୍‌ରେ ଫିଙ୍ଗର ପ୍ରିଣ୍ଟ୍ (ଆଙ୍ଗୁଠି ଚିହ୍ନ) ଦେଇ ନିଜର ରାସନ୍‌ ସାମଗ୍ରୀ ଉଠାଇବାର ବ୍ୟବସ୍ଥା ରହିଛି। ଏହି ନିୟମକୁ କଡାକଡି ପାଳନ କରିବାକୁ ସରକାରଙ୍କର ମଧ୍ୟ ନିର୍ଦ୍ଦେଶ ଥି‌ଲା। ମାତ୍ର କିଛି ଦିନ ପରେ ଏହାକୁ କୋହଳ କରି ଦିଆଯାଇଥିଲା। ବିନା ଫିଙ୍ଗର ପ୍ରିଣ୍ଟ‌ରେ ମଧ୍ୟ ଯୋଗାଣ ସାମଗ୍ରୀ ଉଠାଯାଉଛି। ଏହାର ସୁଯୋଗରେ ରି‌ଟେଲର ଭୂତ କାର୍ଡ ଉପଯୋଗ କରି ରାସନ ସାମଗ୍ରୀ ହଡପ କରୁଥିବାର ଅନ୍ୟ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର