ରାସନକାର୍ଡ ବଂଟନରେ ମହାଦୁର୍ନୀତି: ଯୋଗ୍ୟ ହିତାଧିକାରୀଙ୍କୁ ମିଳିପାରୁନି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ସୁଫଳ

କେନ୍ଦ୍ରାପଡା: ରାଜନଗର ବ୍ଲକରେ ରାସନକାର୍ଡ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଶହ ଶହ ଭୁତ ହିତାଧିକାରୀ ଓ ବଡ଼ବଡ଼ିଆଙ୍କୁ ଅନାୟାସରେ ରାସନକାର୍ଡ ମିଳିଛି। ରାଜନଗର ବ୍ଲକରେ ଅନେକ ସରକାରୀ ଚାକିରିଆ ମଧ୍ୟ କାର୍ଡ ହାତେଇବାରେ ସଫଳ ହୋଇଛନ୍ତି। କିନ୍ତୁ ଗରିବ, ଖଟିଖିଆ, ଦିନ ମଜୁରିଆ ବାରମ୍ବାର ଦୌଡିବା ନୟାନ୍ତ ହେଲେ ବି ସେମାନଙ୍କ ଭାଗ୍ୟରେ ରାସନ କାର୍ଡ ଜୁଟୁନି।

ରାଜନଗର ବ୍ଲକ ସାତଭାୟା ପଂଚାୟତର ବହୁ ଗରିବ, ଖଟିଖିଆ ବର୍ଷ ବର୍ଷ ଧରି ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ହୋଇ ରହିଛନ୍ତି ବଗପାଟିଆ ଗାଁର ଗୀତାଞ୍ଜଳି ପ୍ରଧାନ। ଜମି ବାଡି କିଛି ନାହିଁ। ୨ ବର୍ଷ ହେଲା ସ୍ୱାମୀ ରୋଗାକ୍ରାନ୍ତ, କାମ ଧନ୍ଦା କରି ପାରୁନାହାନ୍ତି। ୧୨ ବର୍ଷର ନାବାଳକ ପୁଅ ହୋଟେଲ୍‌ରେ କାମ କରି ପରିବାର ପୋଷୁଥିବା ବେଳେ ଗୀତାଂଜଳୀଙ୍କ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିନାହାନ୍ତି।

ସେହିପରି ସନ୍ତୋସିନୀ ପାତ୍ରଙ୍କ ସ୍ୱାମୀ ଦାଦନ ଖଟି ୭ ପ୍ରାଣୀ ପରିବାର ଚଳାନ୍ତି। ଦୁଇ ବଖରା ଚାଳ ଘରେ ରହୁଥିବା ଏହି ପରିବାର ବି ରାସନକାର୍ଡରୁ ବଂଚିତ। ସେମିତି ଆଉ ଜଣେ ହତଭାଗ୍ୟ ହିତାଧିକାରୀ ବିମ୍ବାଧର ଦଳାଇ। ରାସନକାର୍ଡଟି ପାଇଁ ବ୍ଲକ ଅଫିସକୁ ଦୌଡି ଦୌଡି ନୟାନ୍ତ ହେଲେଣି, କିନ୍ତୁ ଏଯାଏଁ ତାଙ୍କୁ ମଧ୍ୟ ରାସନକାର୍ଡଟିଏ ମିଳିପାରିନ।

ଗରିବ ସିନା ଯୋଜନାରୁ ବଂଚିତ, ବଡବଡିଆ କିନ୍ତୁ ରାସନକାର୍ଡ ହାତେଇଛନ୍ତି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ରାସନକାର୍ଡ ହାତେଇଛନ୍ତି ପଂଚାୟତ ନିର୍ବାହୀ ଅଧିକାରୀ। ମହାକାଳପଡା ବ୍ଲକ ଖରନାସୀ ପଂଚାୟତର ପଂଚାୟତ ନିର୍ବାହୀ ଅଧିକାରୀ ନିରୋଦ କୁମାର ସ୍ୱାଇଁ ମାସିକ ୨୦ ହଜାର ଟଙ୍କା ଦରମା ପାଉଛନ୍ତି, ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣ ସ୍ୱାଇଁଙ୍କ ନାଁରେ ରାସନକାର୍ଡ ରହିଛି। ସେ ପ୍ରତି ମାସରେ ମହୁଲିଆ ଗାଁର ରିଟେଲର ବଲ୍ଲଭ ଚରଣ ନାୟକଙ୍କ ଠାରୁ ୨୦ କେଜି ଚାଉଳ ଓ କିରାସିନି ନେଉଛନ୍ତି। ଖାଲି ସେ ନୁହଁନ୍ତି, ଏ ହେଉଛନ୍ତି ରାଜନଗର ବ୍ଲକ ବାଲିସାହିପାଟଣା କୃଷି ସେବା ସମବାୟ ସମିତିର ସପାଂଦକ ଅମର ବଳଙ୍କ ପତ୍ନୀ ମଧ୍ୟ ରାସନକାର୍ଡ ହାତେଇଥିବା ଅଭିଯୋଗ ହୋଇଛି।

ସରକାରୀ ନିୟମ ଅନୁସାରେ, ସହରାଂଚଳରେ ମାସିକ ୧୫ ହଜାର ଓ ଗ୍ରାମାଂଚଳରେ ୧୦ ହଜାରରୁ ଅଧିକ ଦରମା ପାଉଥିବା ବ୍ୟକ୍ତିଙ୍କ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିବେ ନାହିଁ। ଏପରି ସ୍ଥଳେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସ୍ତ୍ରୀ ଏବଂ ସମବାୟ ସମିତିର ସଂପାଦକଙ୍କ ସ୍ତ୍ରୀ ରାସନକାର୍ଡ ହାତେଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯୋଜନାରେ ମହାଦୁର୍ନୀତି କଥାକୁ ପଦାରେ ପକାଇଛି। ସ୍ୱାମୀ ସରକାରୀ ଚାକିରି କରିଥିବା ବେଳେ ସ୍ତ୍ରୀ ରାସନକାର୍ଡ ପାଇଁ ଆବେଦନ କଲେ କେମିତି? ଆଉ ସେମାନଙ୍କୁ ରାସନକାର୍ଡ ଦେଲା କିଏ? ତାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର