ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ବନ୍ଧାପଡ଼ିଲା ରାସନ୍‌କାର୍ଡ

ରାଇରଙ୍ଗପୁର : ଖଟିଲେ ଖାଉଥିଲେ। ଏମିତି ଅବସ୍ଥାରେ ହଠାତ୍‌ ଆରପାରିକୁ ଚାଲିଗଲେ ସ୍ବାମୀ। ଏମିତିକି ଶୁଦ୍ଧିକ୍ରିୟା ପାଇଁ ପାଖରେ ଟଙ୍କାଟିଏ ନ ଥିଲା। ଉପାୟଶୂନ୍ୟ ପତ୍ନୀ ଶେଷରେ ରାସନ୍‌କାର୍ଡକୁ ବନ୍ଧା ପକାଇଲେ। ଏବେ ସେ ରାସନ୍‌କାର୍ଡକୁ ସାହୁକାର ପାଖରୁ ମୁକୁଳାଇ ପାରୁଛନ୍ତି ନା ରାସନ୍‌କାର୍ଡ ଯୋଗୁଁ ମିଳୁଥିବା ସରକାରୀ ଚାଉଳ ଗଣ୍ଡାକ ପାଇପାରୁଛନ୍ତି। ପର ଘରେ କାମ କରି ଏବଂ ମାଗିଯାଚି ଯାହା ମିଳୁଛି, ସେଥିରେ ବିଧବା ରେବତୀ ଓ ତାଙ୍କର ୪ଟି ଛୋଟ ପିଲାଙ୍କ ଜୀବନ କଷ୍ଟେମଷ୍ଟେ ବଞ୍ଚୁଛି। ଏହା କେଉଁ ଗ୍ରାମାଞ୍ଚଳର ଚିତ୍ର ନୁହେଁ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଘାଟି ୮ ନମ୍ବର ୱାର୍ଡର ରେବତୀ ବେହେରାଙ୍କ କରୁଣ କଥା।

ରାଇରଙ୍ଗପୁର ସହର ୮ ନମ୍ବର ୱାର୍ଡରେ ରହୁଛନ୍ତି କୁନା ବେହେରାଙ୍କ ପରିବାର। ପରିବାର କହିଲେ କୁନା, ତାଙ୍କ ପତ୍ନୀ ରେବତୀ ଓ ୪ ଜଣ ଛୋଟ ପିଲା। କୁନା ଶ୍ରମିକ ଭାବେ କାମ କରୁଥିଲେ। କିଛି ମାସ ତଳେ ଗଛ କାଟୁଥିବାବେଳେ ଅସାବଧାନତା ଯୋଗୁ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ଶେଷକୃତ୍ୟ ପାଇଁ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ଦିଆଯାଉଥିବା ୨ ହଜାର ଟଙ୍କା ମୃତକଙ୍କ ପରିବାରକୁ ମିଳିଲାନି। ପତ୍ନୀ ରେବତୀ ସାହି ପଡ଼ୋଶୀଙ୍କୁ କାକୁତିମିନତି ହୋଇ ସ୍ବାମୀଙ୍କର ଦାହସଂସ୍କାର କରିଥିଲେ। ତେବେ ପାଖରେ ଟଙ୍କା ନ ଥିବାରୁ ଶୁଦ୍ଧିକ୍ରିୟା ଚିନ୍ତା ତାଙ୍କୁ ଘାରିଥିଲା। ଧାରକରଜ ମାଗିବାରୁ ସଭିଁଏ ତାଙ୍କଠାରୁ ମୁହଁ ଫେରାଇ ନେଇଥିଲେ। ମାତ୍ର ୩ ହଜାର ଟଙ୍କା ପାଇଁ ରେବତୀ ବାଧ୍ୟ ହୋଇ ଘର ପାଖର ଜଣେ ବ୍ୟକ୍ତିଙ୍କଠାରେ ରାସନ୍‌କାର୍ଡ ଓ ଆଧାରକାର୍ଡକୁ ବନ୍ଧା ପକାଇଥିଲେ। ଫଳରେ ଆଜିକୁ ୭ ମାସ ହେଲା ରେବତୀ ସରକାରଙ୍କଠାରୁ ମିଳୁଥିବା ଚାଉଳ ପାଇପାରୁନାହାନ୍ତି। ୪ଟି ଛୋଟ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ସେ ଶ୍ରମିକ ଭାବେ କାମ କରୁଛନ୍ତି। ହେଲେ କରୋନା ତାଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି। ମହାମାରୀ ପାଇଁ କାମଧନ୍ଦା ମିଳୁନଥିବାରୁ ସେ ଓ ତାଙ୍କର ୪ ଛୁଆ ପେଟପୁରା ଦୁଇଓଳି ଖାଇବାକୁ ପାଉନାହାନ୍ତି। ସାହିପଡ଼ିଶା ଯାହା ଦେଉଛନ୍ତି, ସେଥିରେ ଯେନତେଣ ଜୀବନ ବଞ୍ଚୁଛି।

କେବଳ ରେବତୀ ନୁହନ୍ତି, ବେହେରା ସାହିର ଏମିତି ୧୦ରୁ ଅଧିକ ବ୍ୟକ୍ତି ଟଙ୍କା ପାଇଁ ଉକ୍ତ ବ୍ୟକ୍ତିଙ୍କଠାରେ ସେମାନଙ୍କ ରାସନ୍‌କାର୍ଡ ଓ ଆଧାରକାର୍ଡ ବନ୍ଧା ପକାଇଥିବା ସୂଚନା ମିଳିଛି। ରାସନ୍‌କାର୍ଡ ଓ ଆଧାରକାର୍ଡ ବନ୍ଧା ରଖିଥିବା ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଗ୍ରାମବାସୀ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ରେବତୀଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର