ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍‌ କାର୍ଡ କେବେ?

ଦଳମତ ନିର୍ବିଶେଷରେ ସବୁ ବିଧାୟକ ଅସନ୍ତୋଷ ଉଗାଳିଲେ

ଭୁବନେଶ୍ୱର : ସରକାର ସବୁବେଳେ କହୁଛନ୍ତି, ଯୋଗ୍ୟ ହିତାଧିକାରୀ କେବେ ବି ରାସନ୍‌ କାର୍ଡ ପାଇବାରୁ ବଞ୍ଚିତ ହେବେନି। ବିଧାନସଭା ଗୃହରେ ମଧ୍ୟ ବାରମ୍ବାର ଏହି କଥା କୁହାଯାଉଛି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ରାସନ୍‌ କାର୍ଡ ପାଇଁ ଆବେଦନ କରି ମାସ ମାସ ଅପେକ୍ଷା କରିବାକୁ ପଡ଼ୁଛି। କାର୍ଡ ମିଳିବା ତ ଦୂରର କଥା। ଯାଞ୍ଚ୍‌ ବି ହେଉନି। ପ୍ରତି ଗାଁରେ ଏ ନେଇ ଗଦା ଗଦା ଅଭିଯୋଗ। ଆମେ ଲୋକଙ୍କୁ କି ଉତ୍ତର ଦେବୁ ? ଆବେଦନ କରିବାର କେତେ ଦିନ ଭିତରେ କାର୍ଡ ମିଳିବ ? ଯଦି ସରକାରଙ୍କ କଥା ଜିଲ୍ଲା ସ୍ତରରେ ଅଧିକାରୀ ମାନୁ ନାହାନ୍ତି, ତେବେ କେତେ ଅଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେଣି ?

ଆଜି ପ୍ରଶ୍ନକାଳରେ ବିଧାନସଭାରେ ଦଳମତ ନିର୍ବିଶେଷରେ ଏମିତି ପ୍ରଶ୍ନ ଉଠିଥିଲା। ପ୍ରଶ୍ନବାଣରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ଚିରାଚରିତ ଉତ୍ତର ଦେଇ ଦାୟିତ୍ୱ ଖସାଇଦେବାକୁ ବସିଥିଲେ। କାର୍ଡ ମିଳିବାର ସମୟସୀମା କହିପାରି ନ ଥିଲେ। ବ୍ୟକ୍ତିଗତ ଭାବେ ବିଧାୟକମାନେ ତାଙ୍କୁ ଜଣାଇଲେ ନିଶ୍ଚିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇ ସମସ୍ତଙ୍କୁ ଶାନ୍ତ କରାଇବାକୁ ଉଦ୍ୟମ କରିଥିଲେ।

ବିଧାୟକ ନବକିଶୋର ଦାସଙ୍କ ଏକ ମୂଳ ପ୍ରଶ୍ନରୁ ଆରମ୍ଭ ହୋଇଥିଲା ଆଲୋଚନା। କେଉଁ ବର୍ଗର ହିତାଧିକାରୀ ବାର୍ଷିକ କେତେ ପରିମାଣର ଚାଉଳ ପାଉଛନ୍ତି, ତାହାର ତାଲିକା ଦେଇଥିଲେ ମନ୍ତ୍ରୀ। କିନ୍ତୁ ଅତିରିକ୍ତ ପ୍ରଶ୍ନ ପଚାରିଲା ବେଳେ ରାସନ୍‌ କାର୍ଡ ନେଇ ବହୁ ବିଧାୟକ ଉଦ୍‌ବେଗ ପ୍ରକାଶ କରିଥିଲେ। ମନ୍ତ୍ରୀ କହିଲେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍‌ କାର୍ଡ ଦିଆଯିବ। ଏହା ଏକ ନିରନ୍ତର ପ୍ରକ୍ରିୟା। କିନ୍ତୁ ବିଧାୟକମାନେ ମନ୍ତ୍ରୀଙ୍କ ଉତ୍ତର ଗ୍ରହଣ କରି ନ ଥିଲେ। ସେମାନେ କହିଥିଲେ, ସବୁଠି ରାସନ୍‌ କାର୍ଡକୁ ନେଇ ଅସନ୍ତୋଷ। ଅଯୋଗ୍ୟଙ୍କୁ ବାଦ୍‌ ପକାଇବା ଓ ଯୋଗ୍ୟକୁ ଅନ୍ତର୍ଭୁକ୍ତ କରିବା ନେଇ ନିୟମ ଥିଲେ ବି ତଳ ସ୍ତରର ଅଧିକାରୀମାନେ ତାହାକୁ କାର୍ଯ୍ୟକାରୀ କରୁ ନାାହନ୍ତି। ଏପରିକି ଅଯୋଗ୍ୟଙ୍କୁ ନାମ ଦେଇ ତାଙ୍କୁ ବାଦ୍‌ ଦେବା ପାଇଁ କହିଲେ ବି ଅଧିକାରୀ ଶୁଣୁ ନାହାନ୍ତି। ତେଣୁ ନିର୍ଦ୍ଦିଷ୍ଟ ଭାବେ ସମୟସୀମା ସ୍ଥିର କରାଯାଉ।

ଉତ୍ତରରେ ମନ୍ତ୍ରୀ କହିଥିଲେ, ଯଦି ଅଫିସର୍‌ ଶୁଣୁ ନାହାନ୍ତି ତେବେ ବିଧାୟକମାନେ ମୋତେ ବ୍ୟକ୍ତିଗତ ଭାବେ ତାଲିକା ଦିଅନ୍ତୁ। ନିଶ୍ଚିତ ଭାବେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତାହାର ଯାଞ୍ଚ୍‌ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍‌ କାର୍ଡ ଦିଆଯିବ। ଅଫିସର୍‌ ନ ଶୁଣିଲେ ଖାଦ୍ୟ କମିସନ୍‌ଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇପାରିବ। ବିଧାୟକ ବସନ୍ତ ପଣ୍ଡା, ମହୀଧର ରଣା, ଚନ୍ଦ୍ରଶେଖର ମାଝୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରଦୀପ ପୁରୋହିତ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, କୃଷ୍ଣଚନ୍ଦ୍ର ସଗରିଆ, ଜୀବନ ପ୍ରଦୀପ ଦାସ, ପ୍ରଫୁଲ୍ଲ ମାଝୀ, ନିତ୍ୟାନନ୍ଦ ସାହୁ, କୈଳାସ କୁଲେସିକା, ସମୀର ଦାଶ ଓ ଅଂଶୁମାନ ମହାନ୍ତି ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର