ଅଯୋଗ୍ୟଙ୍କୁ ରାସନକାର୍ଡ, ଗରିବଙ୍କୁ ନା, ହାଇକୋର୍ଟରେ ୫ ଜନସ୍ବାର୍ଥ ମାମଲା

ରାଜନଗର : ଗରିବ, ଭୂମିହୀନ, ଦିନ ମଜୁରିଆ ଓ ନିରାଶ୍ରୟ ଲୋକଙ୍କ ପାଇଁ ସରକାର ରାସନ ସାମଗ୍ରୀ ଯୋଗାଇ ଦେଉଛନ୍ତି। ମାତ୍ର ରାଜନଗର ବ୍ଲକ୍‌ରେ ପ୍ରକୃତ ହିତାଧିକାରୀଙ୍କ ବଦଳରେ ବଡ଼ବଡ଼ିଆ ଓ କୋଠାଘର ଥିବା ଲୋକଙ୍କୁ ରାସନକାର୍ଡ ଓ ରାସନ ସାମଗ୍ରୀ ମିଳୁଛି। ଗରିବ ଲୋକେ ବାରମ୍ବାର ଆବେଦନ କରିବା ପରେ ବି ସେମାନଙ୍କୁ ରାସନକାର୍ଡ ମିଳିପାରୁନାହିଁ। ବାରମ୍ବାର ପ୍ରଶାସନ ନିକଟରେ ଆବେଦନ କରି ବିଫଳ ହେବା ପରେ ରାସନ କାର୍ଡ ସେମାନଙ୍କୁ ଯୋଗାଇ ଦେବାପାଇଁ ଗରିବ ଲୋକେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତର ଭଗବାନପୁର, ନଳଦିଆ ଓ ଓସ୍ତିଆ ୩ଟି ଗାଁର ୫୦ରୁ ଅଧିକ ଲୋକେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି।

minnambalam.com

ଅଭିଯୋଗ ଅନୁଯାୟୀ ଓସ୍ତିଆ ପଞ୍ଚାୟତର ପ୍ରକୃତ ଗରିବ ହିତାଧିକାରୀ ରାସନକାର୍ଡ ପାଇବାରୁ ବଂଚିତ ହୋଇଛନ୍ତି। ସେମାନେ ସେମାନଙ୍କ କାଗଜପତ୍ର ସହ ଯୋଗାଣ ଅଧିକାରୀଙ୍କ ନିକଟରେ ରାସନକାର୍ଡ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଆଜିଯାଏ ରାସନକାର୍ଡ ମିଳିପାରିନାହିଁ। ସେମାନଙ୍କ ଘର ପାଖରେ ଦୁଇ ମହଲା କୋଠା ମାଲିକ, ସରକାରୀ ଚାକିରିଆ ପରିବାର, ୪ ଚକିଆ ଗାଡି ଚଢୁଥିବା ଲୋକେ ରାସନକାର୍ଡ ହାତେଇଥିବା ବେଳେ ଗରିବ ଦିନ ମଜୁରିଆ ରାସନକାର୍ଡ ପାଇବାରୁ ବଂଚିତ ହୋଇଛନ୍ତି। ରାଜନଗର ବ୍ଲକରେ ଏସଏଫଏସଏସ ଯୋଜନାରେ ୧୦୯୭ କାର୍ଡରେ ୪୧୪୬ଜଣଙ୍କୁ, ଏନଏଫଏସଏ ଯୋଜନାରେ ୩୪,୪୩୩ କାର୍ଡରେ ୧,୪୨,୫୫୬, ଅର୍ଥାତ ମୋଟ ୩୫,୮୩୦ କାର୍ଡରେ ୧,୪୬,୭୦୨ ଲୋକଙ୍କୁ ମୁଣ୍ତ ପିଛା ୫ କିଲୋ ହିସାବରେ ଗହମ, ଚାଉଳ ଯୋଗାଇ ଦିଆଯାଉଛି। ଗତ ୨ମାସରେ ବ୍ଲକରେ ୬୦୦ ନୂତନ ରାସନକାର୍ଡ ଜାରି କରାଯାଇଛି। ମାତ୍ର ପୂର୍ବରୁ ବଂଚିତ ହୋଇଥିବା ଗରିବ ଓ ପ୍ରକୃତ ପାଇବାକୁ ଯୋଗ୍ୟ ଲୋକ ଏଥିରୁ ବଂଚିତ ହେବା ପରେ ଆଇନର ଆଶ୍ରୟ ନେଇଛନ୍ତି। ଓସ୍ତିଆ ପଞ୍ଚାୟତର କେଶରୀ ମଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ସେ ଇନ୍ଦିରାଆବାସରେ କୋଠା କରିଛନ୍ତି। ସେ ଗରିବ ଲୋକ ହୋଇଥିଲେ ମଧ୍ୟ ତାଙ୍କୁ ରାସନକାର୍ଡ ଦିଆଯାଇନାହିଁ। ସେ ବାରମ୍ବାର ବ୍ଲକ ଯୋଗାଣ ଅଧିକାରୀଙ୍କୁ ଭେଟି ଆବେଦନ କରିଥିଲେ ମଧ୍ୟ ଯୋଗାଣ ଅଧିକାରୀ ତାଙ୍କ ଆବେଦନକୁ ଗ୍ରହଣ ନ କରି ବଡବଡିଆଙ୍କୁ ରାସନକାର୍ଡ ଯୋଗାଇ ଦେଇଥିବା ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ସେହିପରି ନଳଦିଆର ବାସନ୍ତୀ ମହାନ୍ତି, ଶାନ୍ତିଲତା ବରାଳ, ଝରଣା ବିଶ୍ବାଳ ଓ ଭଗବାନପୁରର ନିରୁପମା ଜେନା ମଧ୍ୟ ପୃଥକ ଭାବେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଏହି ୩ଟି ଗାଁର ୫୦ରୁ ଅଧିକ ଲୋକେ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିବା ବେଳେ ମାମଲାରେ ରାଜ୍ୟ ସରକାର, କେନ୍ଦ୍ରାପଡା ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଓ ବିଡିଓଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର