ଭୂତଙ୍କ କବଜାରେ ସରକାରୀ ଯୋଜନା : ଶହେ କୋଟି ଟଙ୍କାର ରାସନ ଦୁର୍ନୀତି

୨ଲକ୍ଷ ରାସନକାର୍ଡଧାରୀ ଉଭାନ୍
୨୦.୯୧କୋଟି ଟଙ୍କା ଫେରିଲା
୮ଲକ୍ଷ ଲୋକଙ୍କ ରାସନ ଖାଉଛି କିଏ?

ଯାଜପୁର, (ସଂଗ୍ରାମ କେଶରୀ ସିଂହ): କରୋନା ସମୟରେ ଯୋଗାଣ ବିଭାଗର ମହାଦୁର୍ନୀତି ପଦାରେ ପଡିଛି। ପ୍ରାୟ ବ‌ର୍ଷେ କାଳ ଧରି ରାଜ୍ୟର ୩୦ଟି ଜିଲ୍ଲାରେ ଯୋଗାଣ ବିଭାଗ ଯେତେ ଖୋଜିଲେ ବି ୨ଲକ୍ଷରୁ ଅଧିକ କାର୍ଡଧାରୀଙ୍କ ସନ୍ଧାନ ପାଇଲେ ନାହିଁ। ଫଳରେ ପ୍ରତି କାର୍ଡଧାରୀଙ୍କ ପରିବାରଙ୍କ ପାଇଁ ସରକାର ‌ଯୋଗାଇଥିବା ୧ହଜାର ଟଙ୍କା ସହାୟତା ରାଶି ବାବଦରେ ୨୦କୋଟି ୯୧ଲକ୍ଷ ୮୨ହଜାର ୭୯୭ଟଙ୍କା ଯୋଗାଣ ନି‌ଗମ ମୁଖ୍ୟ କାର୍ଯ୍ୟାଳୟକୁ ଫେରିଆସିଛି। ଅଥଚ ଏହି ନିଖୋଜ କାର୍ଡଧାରୀଙ୍କ ପରିବାର ବାବଦରେ ଆସୁଥିବା ହଜାର ହଜାର ଟନ ରାସନ ଚାଉଳ, ଗହମ ଓ କିରାସିନି ସହିତ ବିଭିନ୍ନ ସମୟର ରିଲିଫ ସାମଗ୍ରୀ ନେଉଛି କିଏ? ହଜାର ଟଙ୍କା ସହାୟତା ରାଶି ନେଇନଥିବା ୨ଲକ୍ଷ କାର୍ଡଧାରୀଙ୍କ ପ୍ରାୟ ୮ଲକ୍ଷ ସଦସ୍ୟଙ୍କ ମାସରେ ୫କିଗ୍ରା ଚାଉଳ/ଗହମ ହିସାବରେ ୪୦ଲକ୍ଷ କେଜି (୪ହଜାର ଟନ୍) ରାସନ ସାମଗ୍ରୀ ଖାଉଛି କିଏ? ଏହି ହିସାବରେ ବର୍ଷକୁ ୪୮ହଜାର ଟନ୍ ରାସନ ଚାଉଳ/ଗହମ ଭୂତଙ୍କ ନାମରେ ଶ୍ରାଦ୍ଧ ହେଉଛି।

‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଥିବା ତଥ୍ୟ ମୁତାବକ ଗତ ବର୍ଷ ମାର୍ଚ୍ଚରେ କରୋନାର ଭୟଙ୍କର ସ୍ଥିତିକୁ ଲକ୍ଷ୍ୟ କରି ରାସନ୍‌ କାର୍ଡ ପିଛା ୧ ହଜାର ଟଙ୍କା ଲେଖାଁଏ ସହାୟତା ରାଶି, ଡାଲି,ଚଣା ପ୍ରଭୃତି ସରକାର ଯୋଗାଇଥିଲେ। ଏହି ବାବଦରେ ରାଜ୍ୟ ସରକାର ୩୦ଟି ଜିଲ୍ଲାକୁ ୯୫୫କୋଟି ୧୬ଲକ୍ଷ ୯୫ହଜାର ୨୨ଟଙ୍କା ଯୋଗାଇ ଥିଲେ। ଚଳିତ ମାସ ୮ତାରିଖ ସୁଦ୍ଧା ବିଭିନ୍ନ ପର୍ଯ୍ୟାୟରେ ୯୩୪କୋଟି ୨୦ଲକ୍ଷ ୪୪ହଜାର ଟଙ୍କା କାର୍ଡଧାରୀଙ୍କୁ ବଣ୍ଟନ କଲେ। ଅବଶିଷ୍ଟ ୨୦କୋଟି ୯୧ଲକ୍ଷ ୮୨ହଜାର ୭୯୭ଟଙ୍କା ବଣ୍ଟନ ହୋଇନପାରିବାରୁ ବିଭିନ୍ନ ଜିଲ୍ଲାର ଯୋଗାଣ ବିଭାଗ ମୁଖ୍ୟ କାର୍ଯ୍ୟାଳୟକୁ ଫେରାଇ ଦେଇଛନ୍ତି।

ସ୍ମରଣଯୋଗ୍ୟ ଯେ ଯାଜପୁର ଜିଲ୍ଲାର ରାସନ କେଳେଙ୍କାରୀ ଘଟଣାକୁ ‘ସମ୍ବାଦ’ ବାରମ୍ବାର ଲୋକଲୋଚନକୁ ଆଣିବା ପରେ ଉଚ୍ଚ ନ୍ୟାୟାଳୟରେ ଏକାଧିକ ଜନସ୍ବାର୍ଥ ମାମଲା ଠାରୁ ଆରମ୍ଭ କରି ଲୋକାୟୁକ୍ତ ପର୍ଯ୍ୟନ୍ତ ମାମଲା ଯାଇଛି। ଏପରିକି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଧର୍ମଶାଳା ବିଡ଼ିଓ, ଏକାଧିକ ଏମଆଇଙ୍କୁ ବଦଳି କରାଯିବା ସହିତ ଅନେକ ରିଟେଲରଙ୍କୁ ନିଲମ୍ବିତ କରାଯାଇଛି।

ଏବେ ସରକାରୀ ତଥ୍ୟ ମୁତାବକ ଯାଜପୁର ଜିଲ୍ଲାରୁ କାର୍ଡଧାରୀଙ୍କ ବାବଦକୁ ଆସିଥିବା ୧ହଜାର ଟଙ୍କା ଅନୁଦାନରୁ ୯୫ଲକ୍ଷ ୨ହଜାର ୨୯୦ଟଙ୍କା ଫେରସ୍ତ ହୋଇଛି। ଅର୍ଥାତ ୯ହଜାର ୫୦୨ଜଣ କାର୍ଡଧାରୀଙ୍କ ସନ୍ଧାନ ଜିଲ୍ଲା ଯୋଗାଣ ବିଭାଗ ପାଇପାରି ନାହିଁ। ଫଳରେ ଏହି ଟଙ୍କା ଫେରାଇବାକୁ ବାଧ୍ୟ ହୋଇଛି। ଏହି ତାଲିକାରେ ଗଞ୍ଜାମ ଜିଲ୍ଲାରୁ ୩କୋଟି ୨୨ଲକ୍ଷ ୩୫ହଜାର ୯୦୭ଟଙ୍କା ଫେରିଛି। ଅର୍ଥାତ ଗଞ୍ଜାମ ଜିଲ୍ଲାରେ ୩୨ହଜାର କାର୍ଡଧାରୀ ଉଭାନ ହୋଇଯାଇଛନ୍ତି। ସେହିପରି ବଲାଙ୍ଗୀ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ ଭଳି ଜିଲ୍ଲାରେ ରାଜ୍ୟର ସର୍ବାଧିକ କାର୍ଡଧାରୀ ଉଭାନ ହୋଇଯାଇଥିବା ତଥ୍ୟ କହୁଛି। ରାଜ୍ୟରେ ୨ଲକ୍ଷ କାର୍ଡଧାରୀ ଉଭାନ ହେବା ଅର୍ଥ ସେମାନଙ୍କର ପରିବାର ସଦସ୍ୟ ୮ଲକ୍ଷ ହିତାଧିକାରୀଙ୍କ ରାସନ ସାମଗ୍ରୀ ବର୍ଷ ବର୍ଷ ଧରି ହଡ଼ପ ହୋଇଆସୁଛି। ଏହି ହିସାବରେ ବର୍ଷକୁ ୪୮ହଜାର ଟନ୍ ରାସନ ଚାଉଳ/ଗହମ ଭୂତ ଖାଉଛନ୍ତି । ଯାହାର ମୂଲ୍ୟ ଶହେ କୋଟି ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଇଛି। ଏହି ମହାଦୁର୍ନୀତିକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ଖେଳିଯାଇଛି।

ସମ୍ବନ୍ଧିତ ଖବର