ବଣ୍ଡାଘାଟିରେ ସରି ଆସିଲାଣି ରାସନ, ଚିନ୍ତାରେ ଅଛନ୍ତି ଆଦିମ ବଣ୍ଡା ଜନଜାତି

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡାଙ୍କ ପାଖରେ ସରି ଆସିଲାଣି ରାସନ। ଏପରିକି ପନିପରିବା ମଧ୍ୟ ମିଳୁନି। ଯାହାକୁ ନେଇ ବଣ୍ଡା ଜନଜାତିଙ୍କ ମଧ୍ୟରେ ଚିନ୍ତା ଘାରିଲାଣି। ବଣ୍ଡା ଜନଜାତି ରାସନ ପାଇଁ ସାପ୍ତାହିକ ବଜାର ଉପରେ ନିର୍ଭର କରିଥାନ୍ତି। ହେଲେ ଗତ ୫ ତାରିଖରୁ ସାପ୍ତାହିକ ବଜାର ଗୁଡ଼ିକ ବନ୍ଦ ରହିଛି। ତେଣୁ ଯାହା ରାସନ ଘରେ ରହିଥିଲା ସରିବାକୁ ବସିଲାଣି। ଏପରିକି ସପ୍ତାହେ ହେବ ପନିପରିବା ବି ସରିଯାଇଛି। ଏପଟେ ଲକଡାଉନ୍ ଅବଧି ଜୁନ୍ ୧ ତାରିଖ ଯାଏ ବଢ଼ିବା ପରେ ଚିନ୍ତାରେ ପଡ଼ି ଯାଇଛନ୍ତି। ଅନ୍ୟପକ୍ଷରେ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ସେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

New Indian Express

ସୂଚନାଯୋଗ୍ୟ, ସମୁଦ୍ର ପତ୍ତନ ଠାରୁ ୫୫୦୦ ଫୁଟ ଉପରେ ମାଲକାନଗିରି ଜିଲ୍ଲାର ଦୁର୍ଗମ ଖଇରପୁଟ ବ୍ଲକ୍ ଅନ୍ତର୍ଗତ ବଣ୍ଡାଘାଟିରେ ରହିଛି ବାଣ୍ଡିଗୁଡ଼ା ଗାଁ। ଏହି ଗାଁରେ ବଣ୍ଡା ଜନଜାତିର ପ୍ରାୟ ଶହେରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। ଏବେ ଏମାନଙ୍କୁ ଘାରିଛି ପେଟ ପୂରା ଖାଇବା ଚିନ୍ତା। ଗତ ୫ ତାରିଖ ଠାରୁ କରୋନା କଟକଣା ଯୋଗୁ ଲକ୍ଡା‌ଉନ୍ ଚାଲିଥିବା ବେଳେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏପଟେ ଏହି ଗାଁର ଲୋକେ ସଞ୍ଚୟ କରିଥିବା ସମସ୍ତ ରାସନ ଏକପ୍ରକାର ଶେଷ ହେବାକୁ ବସିଲାଣି। ଗାଁରେ ନିକଟରେ କୌଣସି ଦୋକାନ ନ ଥିବାବେଳେ ଘାଟି ତଳକୁ ସେମାନେ ଆସିପାରୁ ନାହାନ୍ତି। ଏପରି ସ୍ଥିତିରେ କ’ଣ ଖାଇ ବଞ୍ଚିବେ ସେହି ଚିନ୍ତାରେ ଗାଁର ଲୋକେ।

Deccan Chronicle

କେବଳ ବାଣ୍ଡିଗୁଡ଼ା ଗ୍ରାମ ନୁହଁ, ଘାଟି ଉପରେ ଥିବା ଆଦିମ ଜନଜାତି ବଣ୍ଡାଙ୍କ ୩୨ଟି ଗ୍ରାମରେ ଏଭଳି ଦୁର୍ଦ୍ଦଶାର ଚିତ୍ର। ବଣ୍ଡା ଜନଜାତି ସପ୍ତାହକୁ ଥରେ ସାପ୍ତାହିକ ହାଟକୁ ଯାଇଥାନ୍ତି। ସେଠାରେ ସଂଗ୍ରହ କରିଥିବା ଜଙ୍ଗଲଜାତ ଦ୍ରବ୍ୟ କିମ୍ବା ଅନ୍ୟ ସାମଗ୍ରୀକୁ ବିକ୍ରି କରିବାପରେ ସପ୍ତାହକ ପାଇଁ ରାସନ କିଣି ଆଣିଥା’ନ୍ତି। ହେଲେ ଘାଟିରେ କରୋନା ଛୁଇଁବା ପରେ ନିକଟସ୍ଥ ଆନ୍ଧ୍ର ବଜାର ଯିବା ରାସ୍ତାକୁ ମଧ୍ୟ ସିଲ୍‌ କରିଦେଇଛି ପ୍ରଶାସନ। ବର୍ତ୍ତମାନ ଲକ୍‌ଡା‌ଉନ୍ ଅବଧି ଜୁନ୍ ୧ ତାରିଖ ଯାଏ ବଢ଼ିଥିବା ବେଳେ ଆଗାମୀ ଦିନରେ ସରକାର କ’ଣ କଟକଣା ଜାରି କରିବେ ତାହା କାହାରିକୁ ଜଣାନାହିଁ। ଯଦିଓ ଚାଉଳ ଲୋକଙ୍କ ନିକଟରେ କିଛି ମାତ୍ରାରେ ମହଜୁଦ ରହିଛି। କିନ୍ତୁ ଲୁଣ, ମସଲା ପରି ସାମଗ୍ରୀ ସରିଯାଇଥିବା ବେଳେ କିଭଳି ଖାଇବେ ତାହାକୁ ନେଇ ଚିନ୍ତା ଘାରିଛି। ଖାଦ୍ୟ ସାମଗ୍ରୀ ସରିଯାଇଥିବା ନେଇ ବଣ୍ଡା ଜନଜାତି ପ୍ରଶାସନକୁ ଜଣାଇବା ପରେ ଘାଟିରେ କିଭଳି ଲୋକଙ୍କ ପାଖରେ ରାସନ ପହଞ୍ଚିବ ସେନେଇ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। କେବଳ ରାସନ ସାମଗ୍ରୀ ନୁହେଁ ଅନ୍ୟ ମୌଳିକ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଵାଇ.ବିଜୟ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର