ଭୁବନେଶ୍ବର: ରାଜ୍ୟରେ ୨୫ ଲକ୍ଷ ଭୂତ ହିତାଧିକାରୀ ରାସନ୍ କାର୍ଡ ନେଇଛନ୍ତି। ସରକାରୀ ଚାଉଳ ଏମାନଙ୍କ ନାମରେ ପ୍ରଦାନ କରାଯାଉଛି। ନୂଆ ସରକାର ଆସିଲା ପରେ ଖୋଳତାଡ଼ କରୁ କରୁ ଏମିତି ଆଖି ତରାଟି ଦେଲାପରି ସୂଚନା ତଳସ୍ତରରୁ ଆସିଛି। ନିଜେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ସ୍ବୀକାର କରିଛନ୍ତି। ଆଉ ଭୂତ ହିତାଧିକାରୀଙ୍କ ପାଇଁ ପୂର୍ବ ସରକାରକୁ କାଠଗଡ଼ାକୁ ଟାଣିଛନ୍ତି ମନ୍ତ୍ରୀ। ରାଜ୍ୟରେ ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଅଛନ୍ତି। ଏହାବାଦ୍ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯ ଲକ୍ଷ ହିତାଧିକାରୀ ଅଛନ୍ତି। ହିତାଧିକାରୀ ପରିବାର ସଂଖ୍ୟା ୯୬ ଲକ୍ଷରୁ ଅଧିକ। ଏହି ଯୋଜନାରେ ବ୍ୟାପକ ହେର୍ଫେର୍ ହୋଇଥିବା ଅଭିଯୋଗ ଆସିଛି। ବିଭିନ୍ନ ଅଞ୍ଚଳରେ ଶାସକ ଦଳ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଏକ ରାକେଟ୍ କାମ କରୁଛି। ସେମାନେ ଯୋଜନାବଦ୍ଧ ଭାବେ ରାସନ୍ କାର୍ଡରେ ଘୋଟାଲା କରିଛନ୍ତି। ବହୁ ଜିଲ୍ଲାରେ ମନଇଚ୍ଛା ରାସନ୍ କାର୍ଡ ଇସ୍ୟୁ କରାଯାଇଛି। ଏ ନେଇ ବିଭିନ୍ନ ସମୟରେ ପୂର୍ବ ସରକାରଙ୍କ ନିକଟରେ ଅଭିଯୋଗ ପହଞ୍ଚିଥିଲା। ଗଣମାଧ୍ୟମରେ ହୋ’ହଲ୍ଲା ହୋଇଥିଲା। କିନ୍ତୁ ପୂର୍ବ ସରକାର ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡରୁଥିଲେ। କେବଳ ନାଲିଆଖି ଦେଖାଇ ଚୁପ୍ ହୋଇ ବସିଯାଉଥିଲେ। ଫଳରେ ଭୂତ ହିତାଧିକାରୀଙ୍କ ସଂଖ୍ୟା ବଢ଼ିଚାଲିଥିଲା।
ଭୂତ ହିତାଧିକାରୀ ରାସନ୍ କାର୍ଡ ହାତେଇ ନେଇଥିବାରୁ ନୂଆ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି। କାରଣ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗୋଟିଏ ରାଜ୍ୟରେ ସର୍ବାଧିକ କେତେ ଜଣ ସାମିଲ ହୋଇପାରିବେ, ତାହାର ସଂଖ୍ୟା ସ୍ଥିର ହୋଇଛି। ଲୋକସଂଖ୍ୟା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସ୍ଥିତିକୁ ବିଚାରକରି କେନ୍ଦ୍ର ସରକାର ଏହି ସିଲିଂ କରିଛନ୍ତି। କିନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କ ଯୋଗୁ ଏଥିରେ ବିଭ୍ରାଟ ହେଉଛି। ଏହି ହିତାଧିକାରୀମାନେ ବେଧଡ଼କ ଭାବେ ବର୍ଷ ବର୍ଷ ଧରି ଚାଉଳ ଉଠାଇ ଚାଲିଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ସିଧାସଳଖ ପୂର୍ବ ସରକାର ବିରୋଧରେ ଏହି କେଳେଙ୍କାରୀର ଦୋଷ ଲଦିଛନ୍ତି। ପ୍ରଥମଥର ପାଇଁ ନୂଆ ସରକାରର ଜଣେ ମନ୍ତ୍ରୀ ପୂର୍ବ ସରକାରଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିଛନ୍ତି, ଯାହା କି ଚର୍ଚ୍ଚାର ବିଷୟ ହୋଇଛି। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୫୦ ଲକ୍ଷ ଫଲ୍ସ କାର୍ଡ ଅଛି ବୋଲି ଅନୁମାନ କରାଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ୨୫ ଲକ୍ଷ ଚିହ୍ନଟ ହୋଇଛି। ଆଗକୁ ଆହୁରି ବାହାରିବେ। ଚଳିତ ମାସ ଶେଷ ସୁଦ୍ଧା ଚିତ୍ର ସ୍ପଷ୍ଟ ହେବ। ଆମେ ଠିକ୍ ହିତାଧିକାରୀଙ୍କୁ କାର୍ଡ ଦେବୁ। ଏଥି ପାଇଁ ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମାସକୁ କାର୍ଡ ପିଛା ହିତାଧିକାରୀ ୨୫ କେଜି ଚାଉଳ ପାଉଛନ୍ତି। ଯଦି ୨୫ ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି, ତେବେ ଚାଉଳ କିଲୋ ୩୦ ଟଙ୍କା ହିସାବରେ ବର୍ଷକୁ ୨ ହଜାର କୋଟି ଟଙ୍କାରୁ ଅଧିକ ଘୋଟାଲା ହୋଇଥିବା ଅନୁମାନ କରାଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଭୂତ ହିତାଧିକାରୀଙ୍କୁ ନେଇ ପୂର୍ବରୁ ମଧ୍ୟ ଅନେକବାର ଆଲୋଚନା ହୋଇଛି। ବିଧାନସଭାରେ ବିରୋଧୀ ଦଳର ସଦସ୍ୟମାନେ ଏ ନେଇ ପ୍ରଶ୍ନ କରିଛନ୍ତି। କିନ୍ତୁ ପୂର୍ବ ସରକାର ଏହି ଘୋଟଲାରେ ହାତ ମାରିବାକୁ ଡରିଛନ୍ତି। ଏପରିକି ବିଧାନସଭାରେ ଅଯୋଗ୍ୟ ହିତାଧିକାରୀଙ୍କ ସମ୍ପର୍କରେ ଆସୁଥିବା ସବୁ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି। କେବଳ ଧାଡ଼ିକିଆ ଉତ୍ତର ଦେଇଛନ୍ତି ଯେ ଅଯୋଗ୍ୟ ପ୍ରମାଣ ହେଲେ ସେହି ପରିବାରକୁ ବାଦ୍ ଦିଆଯାଇ ଖାଲି ପଡ଼ିଥିବା ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବ୍ୟବସ୍ଥା କରାଯାଉଛି। କିନ୍ତୁ ଅଯୋଗ୍ୟଙ୍କ ସଂଖ୍ୟା କେତେ ଓ କେଉଁ କାରଣ ପାଇଁ ସେମାନଙ୍କୁ ତାଲିକାଭୁକ୍ତ କରାଗଲା, ସେ ସମ୍ପର୍କରେ ପୂର୍ବ ସରକାର ସବୁବେଳେ ନୀରବ ଥା’ନ୍ତି।