କାର୍ଡଧାରୀଙ୍କ ପାଖରେ ପହଞ୍ଚିନି ରିଲିଫ୍‌ ସାମଗ୍ରୀ

ଡିଲର,ନେତା, ଟ୍ରକ୍ ଓ କାର୍ ମାଲିକଙ୍କ ନାମରେ କାର୍ଡ

ଯାଜପୁର : ଯାଜପୁର ଜିଲ୍ଲାରେ ଯୋଗାଣ ବିଭାଗ ଦୁର୍ନୀତିର ଗନ୍ତାଘର ପାଲଟିଛି। କରୋନା ପାଇଁ ମାର୍ଚ୍ଚ ମାସରେ ରାଜ୍ୟ ସରକାର ୩ ମାସର ରାସନ ଓ କେନ୍ଦ୍ର ସରକାର ୩ମାସର ରିଲିଫ ପ୍ରଦାନ କରିବାକୁ ଘୋଷଣା କରିଥି‌ଲେ। ତେବେ ଆଜି ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ କାର୍ଡଧାରୀଙ୍କ ନିକଟରେ ସାମଗ୍ରୀ ପହଞ୍ଚିପାରିଲାନାହିଁ। ଏପରିକି ବର୍ଷ ବର୍ଷ ଧରି ରାସନ ପାଉନଥିବା କାର୍ଡଧାରୀଙ୍କ ଆକୁଳ ନିବେଦନ ପ୍ରତି ଯୋଗାଣ ବିଭାଗ ତଥା ଜିଲ୍ଲା ପ୍ରଶାସନର ତତ୍ପରତା ନାହିଁ। ଫଳ‌ରେ ଦୁଇ ଦୁଇଟି ଜନସ୍ବାର୍ଥ ମାମଲା ଏବେ ଉଚ୍ଚ ନ୍ୟାୟଳୟରେ ବିଚାରାଧୀନ ରହିଛି। ଏହା ସତ୍ତ୍ବେ ଲୋକଙ୍କ ନିକଟରେ ରାସନ ଓ ରିଲିଫ ଚାଉଳ ପହଞ୍ଚି ନାହିଁ।

ସୂଚନା ଅନୁସାରେ, କୋରେଇ ବ୍ଲକ୍ ରଣପୁର ପଞ୍ଚାୟତ ସାଆଁଳାର ଶତାଧିକ ପରିବାର ମାସ ମାସ ଧରି ରାସନ ଓ ରିଲିଫ ଚାଉଳ ଏବେ ସୁଦ୍ଧା ପାଇପାରିଲେ ନାହିଁ। ରାସନ ଓ ରିଲିଫ ସାମଗ୍ରୀ ହଡ଼ପ ଘଟଣାରେ ଏକାଧିକ ଏମଆଇଙ୍କ ଦ୍ବାରା ତଦନ୍ତ କରାଯାଇ ରିଟେଲରଙ୍କୁ ନିଲମ୍ବିତ କରାଗଲା। ଅଥଚ ହିତାଧିକାରୀଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚି ପାରିଲା ନାହିଁ। ‘ସମ୍ବାଦ’ ଅନୁସନ୍ଧାନ ଟିମ୍‌କୁ ସାଆଁଳା ଗ୍ରାମର ଶାନ୍ତିଲତା କର, ଲକ୍ଷ୍ମୀପ୍ରିୟା ସାହୁ, ସୀତାରାଣୀ ସାହା, ନିର୍ମଳା ଯେନା, ଗୀତା ଯେନା ସମେତ ୪୯ଜଣ ୭/୮ମାସ ହେଲା ରାସନ ପାଇନାହାନ୍ତି ବୋଲି ଜଣାଇଥିବା ବେଳେ ରୁକ୍ମିଣୀ ହାତୀ,ପାକ‌ ଯେନା, ସୀତା ଯେନା, ବାସନ୍ତି ଯେନା ପ୍ରମୁଖ ୧୨ଜଣ ରାସନ କିମ୍ବା ରିଲିଫ ଚାଉଳ ପାଇ ନଥିବା କହିଛନ୍ତି। ଏହି ଚିଠା ବ୍ୟତୀତ ଅନେକ ହଡ଼ପର ଶିକାର ହୋଇଛନ୍ତି। ରିଟେଲର ହଡ଼ପ କରିଥିବା ସାମଗ୍ରୀ କେଉଁଠୁ ଭରଣା କରାଯିବ ସେ ନେଇ ଯୋଗାଣ ବିଭାଗ ମାସ ମାସ ଧରି ଆଲୋଚନା କରୁଛି ବୋଲି ଅଧିକାରୀ ସଫେଇ ଦେଇଛନ୍ତି।

India Trinamool Congress

ସେହିପରି, ଧର୍ମଶାଳା ବ୍ଲକ୍‌ରେ ରାସନ କେଳେଙ୍କାରୀକୁ ନେଇ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ସେଥିରେ ପ୍ରଶାସନ ମଧ୍ୟ ନିଜର ପକ୍ଷ ରଖିଛନ୍ତି। ଜିଲ୍ଲା ପ୍ରଶାସନ ‌ଦର୍ଶାଇଛନ୍ତିଯେ ଆବେଦନକାରୀ ଅଧିକ ବିଦ୍ୟୁତ ବିଲ୍ ଦେଉଥିବାରୁ ସେ ସ୍ବଚ୍ଛଳ ‌ବର୍ଗର। ସେଥିପାଇଁ ତାଙ୍କୁ ପଡ଼ିକାର୍ଡ଼ ଦିଆଯାଇନାହିଁ। ଅଥଚ ଏହି ବ୍ଲକ୍‌ରେ ୪ଚକିଆ ଗାଡ଼ି, ୨ମହଲା କୋଠା ଥିବା ଲୋକମାନଙ୍କୁ ଏକାଧିକ କାର୍ଡ ଦିଆଯାଇଛି। ଯାହାର ଠୋସ ପ୍ରମାଣ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ନେଉଳପୁର ପଞ୍ଚାୟତର ଟ୍ରକ ମାଲିକ ଓ ବ୍ୟବସାୟୀ ନାରାୟଣ ରାଉତଙ୍କ ରାସନ କାର୍ଡ ରହିଛି। ଏପରିକି କାର୍ଡ କରିବା ବେଳେ ୪ବର୍ଷର ପୁଅକୁ ସ୍ବାମୀ ଓ ସ୍ବାମୀଙ୍କୁ ପୁଅ ଦର୍ଶାଯାଇଛି। ଶ୍ରୀ ରାଉତ ରାସନ ଓ ସହାୟତା ରାଶି ହଜାର ଟଙ୍କା ନେଇଛନ୍ତି। ତାଙ୍କର ରାସନକାର୍ଡ ଥିବା ଶ୍ରୀ ରାଉତ ସ୍ବୀକାର କରିଛନ୍ତି। କାର୍ଡ କାଟିଦେଲେ କୌଣସି ଆପତ୍ତି ନାହିଁ କହିଛନ୍ତି। ସେହିପରି ନେଉଳପୁରର ପ୍ରଭାବଶାଳୀ ନେତା ପଞ୍ଚାନନ ରାଉତଙ୍କ ନାମରେ ୨ମହଲ କୋଠା ଓ କାର ରହିଛି। ସେ ବି ରାସନ ନେଉଛନ୍ତି ବୋଲି ସ୍ବୀକାର କରିଛନ୍ତି। କ୍ଷେତ୍ରପାଳର ରିଟେଲର ରବୀନ୍ଦ୍ର ଦାସଙ୍କର ୨ମହଲା କୋଠା ଥିବା ସତ୍ତ୍ବେ ରାସନ ନେଉଛନ୍ତି। ଉତ୍ତରପ୍ରତାପ ପଞ୍ଚାୟତର ରିଟେଲର ଜୟରାମ ସାହୁଙ୍କ ୨ମହଲା କୋଠା ଥିବା ‌ବେଳେ ମାଙ୍କ ନାମରେ ଅନ୍ତ୍ୟୋଦୟ ଓ ୩ ଭାଇଙ୍କ ନାମରେ ରାସନ କାର୍ଡ ରହିଛି। ଶ୍ରୀ ସାହୁଙ୍କ ପୁଅ ସଫେଇ ଦେଇଛନ୍ତି କି ଭାଇମାନେ ଭିନ୍ନ ହୋଇଥିବା ବେଳେ କୋଠା ଭାଗ କଲେ ୨ବଖରା ପଡ଼ିବ। ଜିଲ୍ଲାର ଏହିପରି ଶହଶହ ଲକ୍ଷପତି ପରିବାର ପଡିକାର୍ଡ ହାତଇେଥିବା ବେଳେ ଦିନମଜୁରିଆ ଓ ପରଘରେ ପାଇଟି କରି ପରିବାର ଚଳାଉଥିବା ମହିଳାମାନେ ଆଜି ପର୍ଯ୍ୟନ୍ତ ରାସନ ପାଉନାହାନ୍ତି। ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପ୍ରହସନରେ ପରିଣତ ହୋଇଛି।

ପ୍ରକାଶଥାଉକି, ଯାଜପୁର ଜିଲ୍ଲାର ଯୋଗାଣ ବିଭାଗର କେତେକ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ରାସନ କେଳେଙ୍କାରୀ ‌ଘଟଣାରେ ଗାନ୍ଧୀଙ୍କ ତିନି ମାଙ୍କଡ଼ ନୀତି ଭଳି ଆଖି, କାନ ଓ ପାଟି ବନ୍ଦ କରି ରହିଛନ୍ତି। ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ରାସନ ଘୋଟାଲର ଅନେକ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ପଞ୍ଚାୟତରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅସାଧୁମେଣ୍ଟରେ ଏକାଧିକ ପଦାଧିକାରୀ ସମ୍ପୃକ୍ତ ଥିବାରୁ ଯେତେ ଅଭିଯୋଗ ଆସିଲେ ମଧ୍ୟ ହଜମ କରି ଦେଇଥିବା ସାଧାରଣରେ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର