କରୋନା ଖୋଲୁଛି ଗୁମର : ଭୂତାଣୁ ଦେଖାଇଦେଲା ଭୂତ!

୧୦୦୦ ଟଙ୍କାରୁ ଜଣାପଡ଼ିଲା ୫୦ଲକ୍ଷର ଦୁର୍ନୀତି, ମୃତ ବ୍ୟକ୍ତିଙ୍କ ନାଁରେ ବର୍ଷ ବର୍ଷ ହେଲା ଉଠୁଥିଲା ଚାଉଳ, ସରପଞ୍ଚଙ୍କ ଲିଖିତ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ବଲାଙ୍ଗୀର : କରୋନା ମହାମାରୀ ଫିଟାଉଛି ଗୋଟିଏ ପରେ ଗୋଟିଏ ଗୁମରର ପେଡ଼ି। ଗରିବ ଖଟିଖିଆ ଲୋକଙ୍କ ପାଇଁ ସରକାରୀ ଯୋଜନାରେ ଆସୁଥିବା ସହାୟତା କିପରି ହଡ଼ପ ହେଉଛି ତାର ବି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ। ଜିଲ୍ଲାରେ ଭୂତ ହିତାଧିକାରୀଙ୍କ ନାଁରେ ବର୍ଷବର୍ଷ ହେଲା ଅଧିକାରୀ ଗିଳୁଥିଲେ ଚାଉଳ। ପୋର୍ଟାଲରେ ନାଁ ଥିବା କିନ୍ତୁ ରାସନ କାର୍ଡ ପାଇବାରୁ କୌଣସି କାରଣରୁ ବଞ୍ଚିତ ଥିବା ହିତାଧିକାରୀଙ୍କ ଚାଉଳ ବି ତାଙ୍କ ଅଜାଣତରେ ଖାଇ ଯାଉଥିଲେ। ପୁଇଁତଲା ବ୍ଲକ୍‌ ମହୀମୁଣ୍ଡା ପଂଚାୟତରେ ଏହା ଧରାପଡ଼ିଛି। ରାସନକାର୍ଡଧାରୀଙ୍କୁ କରୋନା ସହାୟତା ବାବଦ ହଜାରେ ଟଙ୍କା ଲେଖାଏଁ ବଣ୍ଟନ ସମୟରେ ଏଭଳି ଏକ ବଡ଼ ଧରଣର ଦୁର୍ନୀତି ସାମ୍ନାକୁ ଆସିଛି।

ଏ ଖବର ପାଇ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ‘ସମ୍ବାଦ’। ଅନୁସନ୍ଧାନରୁ ଜଣାଯାଇଛି ଯେ, ମହୀମୁଣ୍ଡା ଗାଁର ବେଲ କୁମ୍ଭାର ବହୁ ବର୍ଷ ହେଲା ପ୍ରାଣ ହରାଇ ସାରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ନାଁ ପଂଚାୟତର ରାସନକାର୍ଡ ତାଲିକାରେ ରହିଛି। କାର୍ଡ ନଂ- ୦୫୧୧୮୧୦୮୦୬ରେ ମୃତ ବେଲଙ୍କ ନାଁରେ ଚାଉଳ ଉଠାଣ ହୋଇ ହଡ଼ପ ହେଉଛି। ଏକଥା ମୃତକଙ୍କ ପରିବାର ଲୋକ ବି ଜାଣି ନାହାନ୍ତି। ଭୂତ ନାଁରେ ଉଠୁଛି ଚାଉଳ। ଠିକ୍‌ ସେହିପରି ମୃତ ବାହାଦୁର ସୁନା (ରାସନ କାର୍ଡ ନଂ- ୦୫୧୧୮୧୦୮୩୩), ଅହଲ୍ୟା ଧରୁଆ (ରାସନ କାର୍ଡ ନଂ- ୦୫୧୧୧୮୧୦୮୬୦), ବସନ୍ତ ଧରୁଆ (କାର୍ଡ ନଂ ୦୫୧୧୧୮୧୧୯୫୪), ହୀରା ବୁଡ଼େକ (ରାସନ କାର୍ଡ ନଂ୦୫୧୧୧୮୧୦୪୨୯), ଉଦିଆଁ ବୁଡେକ (ରାସନ କାର୍ଡ ନଂ ୦୫୧୧୧୮୧୦୭୨୬)। ଏମାନଙ୍କ ନାଁରେ ବି ଚାଉଳ ଉଠାଯାଇ ଆତ୍ମସାତ କରାଯାଇଛି।

କେବଳ ଭୂତ ନାଁରେ ଚାଉଳ ଉଠିଛି ତାହା ନୁ‌ହେଁ, ବିଭାଗୀୟ ୱେବ୍‌ସାଇଟରେ ନାଁ ଥିଲେ ବି ହିତାଧିକାରୀଙ୍କୁ ରାସନ୍‌କାର୍ଡ ନ ଦେଇ ସେମାନଙ୍କ ନାଁରେ ଚାଉଳ ଉଠାଯାଇଛି। ବିଭାଗୀୟ ପୋର୍ଟାଲର ତଥ୍ୟ ଅନୁଯାୟୀ ରାସନ କାର୍ଡ ନଂ-୦୫୧୧୮୧୧୬୫୦ରେ ହିତାଧିକାରୀ ଅଛନ୍ତି ପ୍ରଫୁଲ୍ଲ ବିଶ୍ୱାଲ, ରାଧାକାନ୍ତ ବିଶ୍ୱାଲ, ଦ୍ୱାରିକା ପ୍ରସାଦ ସାହୁ, ଈଶ୍ୱର ବିଶ୍ୱାଲ, ଆୟୁଷ ବିଶ୍ୱାଲ, ତିଲକ ବିଶ୍ୱାଲ ଏବଂ ପାୟଲ ବିଶ୍ୱାଲ। କିନ୍ତୁ ଏମାନେ ରାସନ କାର୍ଡ ପାଇ ନାହାନ୍ତି। ଏମିତି ଶହ ଶହ ହିତାଧିକାରୀଙ୍କ ନାଁ ତାଲିକାରେ ଥିଲେ ମଧ୍ୟ ଚାଉଳ କାର୍ଡ ଦିଆଯାଇ ନାହିଁ। ଗୋଟିଏ କି ଦୁଇଟି ନୁହେଁ ଏମିତି ଅନେକ ହିତାଧିକାରୀଙ୍କୁ ଭୁଆଁ ବୁଲାଇ ସେମାନଙ୍କ ଚାଉଳ ହଡ଼ପ କରାଯାଇଛି।

ସମ୍ବାଦ ଟିମ୍‌ ମହୀମୁଣ୍ଡା ପଂଚାୟତ ଅଫିସରେ ପହଞ୍ଚିବା ପରେ ଖୋଦ୍‌ ସରପଞ୍ଚ ଅନନ୍ତ ନାରାୟଣ ପ୍ରଧାନ ଏବଂ ପଞ୍ଚାୟତର ହିତାଧିକାରୀମାନେ ବି ଏହି ସବୁ କଥା ବିଷୟରେ ଜଣାଇଥିଲେ। ନିଜେ ସରପଞ୍ଚ ସବୁ ଦୁର୍ନୀତି ପଦାକୁ ଆଣିବା ସହ ପ୍ରଥମ କରି ସେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ଜଣାଇଥିବା କହିଥିଲେ। ସେମାନଙ୍କ କହିବାନୁସାରେ, ଗତ ଏପ୍ରିଲ ମାସରେ ମହୀମୁଣ୍ଡା ପଞ୍ଚାୟତର ୧୧ ଶହ ୭୦ ଜଣ ରାସନ କାର୍ଡଧାରୀଙ୍କ ପାଇଁ ୧୧ ଲକ୍ଷ ୭୦ ହଜାର ଟଙ୍କାର କରୋନା ସହାୟତା ରାଶି ଆସିଥିଲା। ଗୋଟିଏ ପଡ଼ି କାର୍ଡ ପିଛା ହଜାରେ ଟଙ୍କା ଲେଖାଏଁ ପଞ୍ଚାୟତ ତରଫରୁ ବଣ୍ଟାଗଲା। ସମସ୍ତଙ୍କୁ ବଣ୍ଟନ ସରିବା ପରେ ୩୦ ହଜାରରୁ ଅଧିକ ଟଙ୍କା ନେବା ପାଇଁ କେହି ହିତାଧିକାରୀ ଆସିଲେ ନାହିଁ। ବାରମ୍ୱାର କିଛି ହିତାଧିକାରୀଙ୍କୁ ସରପଞ୍ଚ ନୋଟିସ କଲା ପରେ ମଧ୍ୟ ଆସିଲେ ନାହିଁ। ତେଣୁ ସରପଞ୍ଚ ଶ୍ରୀ ପ୍ରଧାନଙ୍କ ସନ୍ଦେହ ହେଲା। ସରପଞ୍ଚ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ଯୋଗାଣ ସହାୟକ ନିରଂଜନ ସାହୁଙ୍କୁ ସେଲ ରେଜିଷ୍ଟର ଏବଂ ଅନ୍ୟାନ୍ୟ କାଗଜପତ୍ର ପ୍ରଦାନ କରିବା ପାଇଁ ଚିଠି କଲେ। କିନ୍ତୁ ଯୋଗାଣ ସହାୟକ ଧରା ଛୁଆଁ ଦେଲେ ନାହିଁ। ତାପରେ ନିଜେ ସରପଞ୍ଚ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୱେବ୍‌ସାଇଟରୁ ନିଜ ପଞ୍ଚ‌ାୟତର ସମସ୍ତ ରାସନ କାର୍ଡ ଧାରୀଙ୍କ ତାଲିକା କାଢ଼ିଲେ। ତାଲିକାକୁ ପଞ୍ଚାୟତ ସମ୍ମୁଖରେ ଲଗାଇ ଗୋଟି ଗୋଟି କରି ସମସ୍ତ ହିତାଧିକାରୀଙ୍କ ନାଁ, ଗାଁର ତଦନ୍ତ କଲେ। ତଦନ୍ତ ପରେ ଲକ୍ଷାଧିକ ଟଙ୍କାର ପିଡିଏସ୍‌ ଦୁର୍ନୀତିର ସାଂଘାତିକ ତଥ୍ୟ ଜଣାପଡ଼ିଥିଲା। ଫଳରେ ସରପଞ୍ଚ ଶ୍ରୀ ପ୍ରଧାନ ପଞ୍ଚାୟତର ପତ୍ର ସଂଖ୍ୟା ୧୯/୨୦୨୦ରେ ପୂରା ଦୁର୍ନୀତିର ତଦନ୍ତ କରିବା ପାଇଁ ପୁଇନ୍ତଲା ବିଡିଓଙ୍କୁ ଲିଖିତ ଭାବରେ ଜଣାଇଥିଲେ। ହେଲେ ଏ ପର୍ଯ୍ୟନ୍ତ କାହା ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏଭଳି ଏକ ଦୁର୍ନୀତିରେ ଯୋଗାଣ ସହାୟକଙ୍କ ସହିତ ପଞ୍ଚାୟତର ଇଓଙ୍କ ଭୂମିକା ବି ସନ୍ଦେହ ଘେରକୁ ଆସୁଛି। ପଞ୍ଚାୟତରେ ବର୍ଷ ବର୍ଷ ହେଲା ଏଭଳି ହଡ଼ପ ପ୍ରକ୍ରିୟା ଚାଲିଥିଲେ ବି ସେ କିଭଳି ଜାଣିଲେ ନାହିଁ। ପଞ୍ଚାୟତ ଇଓ ଯୁଗଳ କିଶୋର ମେହେରଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଫୋନ୍‌ ସୁଇଚ୍‌ଅଫ୍‌ ରହିଥିଲା। କରୋନା ଭୂତାଣୁ ଯୋଗୁଁ ହିଁ ଭୂତଙ୍କ ନାମରେ ଚାଲିଥିବା କାରନାମା ଦେଖାଇ ଦେଲା ବୋଲି ଏବେ ଅଞ୍ଚଳରେ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର