କରୋନାରେ ରାସନ କେଳେଙ୍କାରୀ : ୪୦ଲକ୍ଷ ଟଙ୍କା ଚାଉଳ ଚଳୁ!

ଯାଜପୁର/ଟାଉନ୍ : କରୋନା କଟକଣା ବେଳେ ଧରାପଡିଛି ଚାଉଳ ଓ କିରାସିନି କେଳେଙ୍କାରୀ। ଯାଜପୁର ହେଉକି ବଲାଙ୍ଗୀର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗରିବଙ୍କ ଦାନା ଲୁଟ୍‌ ହେଉଛି। ଯାହାକୁ ନେଇ ସୃ୍ଷ୍ଟି ହୋଇଛି ଝଡ଼। ଏ ନେଇ ହାଇକୋର୍ଟ‌ରେ ଜନସ୍ବାର୍ଥ ମାମଲା ହୋଇଥିବା ବେଳେ ବିଭିନ୍ନ ଥାନାରେ ଏକାଧିକ ଏତଲା ମଧ୍ୟ ଦିଆଯାଇଛି। ଯାଜପୁର ଜିଲ୍ଲାରେ ଅସାଧୁ ମେଣ୍ଟ ପ୍ରାୟ ୪୦ ଲକ୍ଷ ଟଙ୍କାର ଚାଉଳ ଚଳୁ କରିଦେଇଥିବା ଆକଳନ କରାଯାଉଛି।

‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଥିବା ସରକାରୀ ତଥ୍ୟ ମୁତାବକ ଜିଲ୍ଲାର ୧୦ବ୍ଲକ୍ ଓ ୨ଟି ପୌରାଞ୍ଚଳର ମୋଟ ୩ଲକ୍ଷ ୯୪ହଜାର ୨୪୨ପଡ଼ିକାର୍ଡଧାରୀଙ୍କୁ ରାଜ୍ୟ ସରକାରଙ୍କ ସହାୟତା ରାଶି ହଜାରେ ଟଙ୍କା ପ୍ରଦାନ ବ୍ୟବସ୍ଥା ହୋଇଥିଲା। ଗତ ଏପ୍ରିଲ ୨୨ତାରିଖ ସୁଦ୍ଧା ୪୧୭୫ଜଣ ହିତାଧିକାରୀଙ୍କୁ ଏହି ସହାୟତା ରାଶି ବଣ୍ଟନ ହୋଇପାରି ନଥିଲା। ଏହାର ୧୨ଦିନ ପରେ ମେ ୪ତାରିଖ ତଥ୍ୟ ମୁତାବକ ନିଖୋଜ ପଡ଼ିକାର୍ଡଧାରୀଙ୍କ ସଂଖ୍ୟା ୩୭୬୩କୁ ଖସିଆସିଲା। ମେ୧୧ତାରିଖ ତଥ୍ୟ ମୁତାବକ ନିଖୋଜ ପଡ଼ିକାର୍ଡଧାରୀଙ୍କ ସଂଖ୍ୟା ୨୨୭୬ଜଣକୁ ଖସିଆସିଛି। ଏହି ସଂଖ୍ୟାକୁ ଦେଖିଲେ ତେବେ ପ୍ରତି କାର୍ଡ଼ରେ ହାରାହାରି ୪ଜଣ ପରିବାର ସଦସ୍ୟ ହିସାବକୁ ନେଲେ ରାଜ୍ୟ ସରକାର ମୁଣ୍ଡ ପିଛା ଦେଇଥିବା ଅଗ୍ରୀମ ୩ମାସର ଚାଉଳ ୧୫କେଜି ହିସାବରେ ମୋଟ ୧ଲକ୍ଷ ୩୬ହଜାର୫୬୦କେଜି ଚାଉଳ ନେଲା କିଏ? ଚାଉଳ କେଜି ୩୦ ଟଙ୍କା ହିସାବରେ ୪୦ଲକ୍ଷ ୯୬ହଜାର ଟଙ୍କାରୁ ଅଧିକ ଅସାଧୁ ମେଣ୍ଟର ଅଣ୍ଟିରେ ପଶିଛି ବୋଲି ଆକଳନ କରାଯାଇଛି। ପ୍ରଥମରୁ ନିଖୋଜ ଥିବା ୪ହଜାର ୧୭୫କାର୍ଡ଼ଧାରୀଙ୍କ ହିସାବକୁ ନେଲେ ପ୍ରାୟ ୭୫ ଲକ୍ଷ ଟଙ୍କା‌ର ଚାଉଳ ହଡ଼ପ ହୋଇଛି ବୋଲି କୁହାଯାଉଛି।

ଅନୁସନ୍ଧାନରୁ ଜଣାପଡ଼ିଛି କୋରେଇ ବ୍ଲକ୍‌ରେ ‌ସମସ୍ତ କାର୍ଡ଼ଧାରୀ ୩୩ହଜାର ୧୩୫ଜଣଙ୍କୁ ସହାୟତା ରାଶି ବଣ୍ଟନ ହୋଇଥିବାରଗତ ଏପ୍ରିଲ ମାସରୁ ସରକାରଙ୍କୁ ଭୁଲ ତଥ୍ୟ ଦିଆଯାଇଛି। ଏବ‌େ ସୁଦ୍ଧା କୋରେଇରେ ଶତାଧିକ କାର୍ଡଧାରୀଙ୍କୁ ପ୍ରଶାସନ ପାଉନାହିଁ । ସେମାନଙ୍କ ସହାୟତା ରାଶି ଯୋଗାଣ ଅଧିକାରୀଙ୍କ ପାଖରେ ରହିଛି। କେବଳ ପାଣିକୋଇଲି ପଞ୍ଚାୟତର ଜଣେ ଶିକ୍ଷକ ୭ଜଣ ପଡ଼ିକାର୍ଡଧାରୀଙ୍କୁ ନପାଇ ଟଙ୍କା ଫେରାଇଛନ୍ତି। ଏହା ବାଦ ଶତାଧିକ କାର୍ଡ ଡିଲରମାନେ ନିଜ ପାଖରେ ରଖି ବର୍ଷ ବର୍ଷ ଧରି ଚାଉଳ ହଡ଼ପ କରୁଛନ୍ତି। ଧରାପଡ଼ିଯିବା ଭୟରେ ମଧ୍ୟ କେତେକ ଡିଲର ସହାୟତା ରାଶି ବଣ୍ଟନ କରିନାହାନ୍ତି। ଯାହାର ନମୁନା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ହରିଦାସପୁରର ବନିତା ସାମଲଙ୍କ ନାମରେ ୨୦୧୫ ମସିହାରୁ କାର୍ଡ ରହିଛି। ଏଠାରେ ୪ଜଣ ସଦସ୍ୟଙ୍କ ନାମରେ ଚାଉଳ ହଡ଼ପ କରାଯାଇଛି। ଏବେ ବ୍ଲକ୍‌ରେ ଅଭିଯୋଗ କରିବା ପରେ ସଦସ୍ୟ ସଂଖ୍ୟା ଜଣେକୁ ଖସିଆସିଛି। ସେହିପରି ଆରୁହା ପଞ୍ଚାୟତର କୋଲ୍ଲ ଗାଁର ମୃତ ପାର୍ବତୀ ସାହାଣୀ ନାମରେ ଚାଉଳ ଓ ସହାୟତା ରାଶି ହଡ଼ପ ବିଷୟ ନିଜେ ରିଟେଲର ସ୍ବୀକାର କରିଛନ୍ତି।

ଗତକାଲି କଣ୍ଟିଗଡ଼ିଆ ପଞ୍ଚାୟତର ରୋଗାକ୍ରାନ୍ତ ଅକ୍ଷୟ ଦାସଙ୍କ ଅନାହାର ମୃତ୍ୟୁ ଘଟଣାରୁ ରାସନ ହଡ଼ପ ବିଷୟ ଧରାପଡ଼ିଛି। ରାସନ କ‌େଳେଙ୍କାରୀ ଘଟଣାରେ ବିଭାଗୀୟ ମନ୍ତ୍ରୀ ହସ୍ତକ୍ଷେପ କରିବା ଫଳରେ ପ୍ରଶାସନ ବାଧ୍ୟ ହୋଇ ବରୀ ବ୍ଲକ୍ ବାଲିବିଲି ପଞ୍ଚାୟତର ରିଟେଲର ଅନିରୁଦ୍ଧ ସାମଲଙ୍କୁ ନିଲମ୍ବିତ କରିଛନ୍ତି। ଗରିବ ଲୋକ କାର୍ଡ ଥାଇ ମଧ୍ୟ ରାସନ ପାଉନଥିବା ବେଳେ ଜାଲ କାର୍ଡ କରି ରିଟେଲର ଓ ଯୋଗାଣ ଅଧିକାରୀମାନେ ବର୍ଷକୁ କୋଟି କୋଟି ଟଙ୍କାର ରାସନ ହଡ଼ପ କରୁଛନ୍ତି। ଯଦି ୨୨୭୬ ପଡ଼ିକାର୍ଡଧାରୀ ନିଖୋଜ ଅଛନ୍ତି ତାହାହେଲେ ଏମାନଙ୍କ ନାମରେ ବର୍ଷ ବର୍ଷ ଧରି ରାସନ୍‌ ସାମଗ୍ରୀ କିଏ ‌ନେଉଥିଲା ବୋଲି ପ୍ରଶ୍ନ ଉଠୁଛି। କରୋନା କଟକଣା ବେଳେ ସରକାର ଦେଇଥିବା ୩ ମାସର ରାସନ୍‌ କାହା ପେଟକୁ ଗଲା ସେ ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଥିବା ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର