କରୋନା ଖୋଲିଦେଲା କେଳେଙ୍କାରୀ : ରାସନ ଖାଉଥିଲେ, ଟଙ୍କା ବେଳକୁ ଗାଏବ୍

ମାସ ମାସ ଧରି ଚାଲିଛି ହରିଲୁଟ୍

ବାଲେଶ୍ବର : ମାସ ମାସ ଧରି ଚାଲିଥିଲା ହରିଲୁଟ୍। ହେଲେ କରୋନା ଧରା ପକାଇଦେଲା। ସହାୟତାରାଶି ନେବାକୁ ଯେତେବେଳେ ରାସନକାର୍ଡଧାରୀ ଆସିଲେନାହିଁ, ସେତେବେଳେ ଧରାପଡ଼ିଗଲା ଯେ ମାସ ମାସ ଧରି ଚାଲିଥିଲା ହରିଲୁଟ୍। ଲକଡାଉନ ପାଇଁ ଲୋକ ରୋଜଗାର ହରାଇଥିବା ବେଳେ, ସରକାର ୩ ମାସର ଅଗ୍ରୀମ ରାସନ ସାମଗ୍ରୀ ସହ ହଜାରେ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରୁଛନ୍ତି। ହେଲେ ବାଲେଶ୍ବର ଜିଲ୍ଲାରେ ଏପର୍ଯ୍ୟନ୍ତ ୫ ହଜାର କାର୍ଡ ବାବଦକୁ ସହାୟତା ଟଙ୍କା ନେବାକୁ କେହି ଆସିନାହାନ୍ତି।

ସହାୟତା ରାଶି ବାଣ୍ଟିବା ପାଇଁ ଶିକ୍ଷକଙ୍କୁ ଦାୟିତ୍ବ ଦିଆଯାଇଥିଲା। ହେଲେ ଜିଲ୍ଲାର କିଛି ବ୍ଲକ୍‌ରେ ଟଙ୍କା ଶିକ୍ଷକ ବାଣ୍ଟିଥିବାବେଳେ ଆଉ କିଛି ବ୍ଲକ୍‌ରେ ଆଶାକର୍ମୀ ଓ ଡିଲର ବାଣ୍ଟିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଟଙ୍କା ବାଣ୍ଟିବାକୁ ଗଲା ବେଳକୁ ହିତାଧିକାରୀଙ୍କ ପତ୍ତା ମିଳୁନି। ୫ ହଜାରରୁ ଅଧିକ ହିତାଧିକାରୀଙ୍କ ଖୋଜଖବର ନଥିବା ଜଣାପଡ଼ିଛି। ପ୍ରଶ୍ନ ଉଠୁଛି, ଯଦି କାର୍ଡଧାରୀ ନାହାନ୍ତି ସେମାନଙ୍କ ନାମରେ ବର୍ଷବର୍ଷ ଧରି ରାସନ୍‌ ସାମଗ୍ରୀ କିଏ ଖାଉଥିଲା? ଏ ସମ୍ପର୍କରେ କାହା ପାଖରେ ଉତ୍ତର ନାହିଁ।

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ଜିଲ୍ଲାରେ ୧୮ ଲକ୍ଷ ୯୩ ହଜାର ୬୯୭ ଲୋକ ଉପକୃତ ହେଉଛନ୍ତି। ସେମିତି ରାଜ୍ୟ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ୩୯ ହଜାର ୪୫୩ ଟାର୍ଗେଟ୍‌ ଥିବା ବେ‌ଳେ ଦୁଇମାସ ତଳେ ୧୯୩୭ ଲୋକଙ୍କୁ ରାସନ ସାମଗ୍ରୀ ମିଳୁଥିଲା। ଏବେ କରୋନା ପାଇଁ ଦୁଇମାସ ଭିତରେ ୩୭ ହଜାର ୫ଶହ ଜଣ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାକୁ ବିବେଚିତ ହୋଇଛନ୍ତି। କିନ୍ତୁ ଅନୁମତି ମିଳି ନ ଥିବାରୁ ଏମାନେ କାର୍ଡ ପାଇନାହାନ୍ତି। ଏହାକୁ ଛାଡ଼ି ଏସ୍‌ଏଫ୍‌ଏସ୍‌ରେ ଏତିକି ଦିନରେ ୬୨ ହଜାର ୫୦୫ ଲୋକ ହେଲେଣି। ସୂଚନା ଅନୁସାରେ, ଜିଲ୍ଲାରେ ଏନ୍‌ଏଫ୍‌ଏସ୍‌ ଓ ଏସ୍‌ଏଫ୍‌ଏସ୍‌ କାର୍ଡ ସଂଖ୍ୟା ମିଶି ୫ ଲକ୍ଷ ୪ ହଜାର ୬୬୫। ଏନ୍‌ଏଫ୍‌ଏସ୍‌ରେ ୪ ଲକ୍ଷ ୯୪ ହଜାର ୧୨୯ କାର୍ଡଧାରୀ ରହିଥିବା ବେଳେ ଏସ୍‌ଏଫ୍‌ଏସ୍‌ରେ ୧୦ ହଜାର ୫୩୬ ଜଣ କାର୍ଡଧାରୀ ରହିଛନ୍ତି। ୫.୫.୨୦ ତାରିଖ ସୁଦ୍ଧା ଏତିକି କାର୍ଡଧାରୀଙ୍କୁ ଟଙ୍କା ବଣ୍ଟାଯିବାକୁ ଜିଲ୍ଲାର ସବୁ ବ୍ଲକ୍‌କୁ ଟଙ୍କା ପଠାଯାଇଛି। ଗତ ୫ତାରିଖ ସୁଦ୍ଧା ୪ ଲକ୍ଷ ୯୨ ହଜାର ୪୧୬ ଜଣ ଲୋକଙ୍କୁ ଟଙ୍କା ଦିଆଯାଇଛି। ୧୨ ହଜାର ୨୪୯ ଲୋକଙ୍କୁ ଟଙ୍କା ବଣ୍ଟା ଯାଇନାହିଁ। ଏହା ଭିତରୁ କିଛି କାର୍ଡଧାରୀଙ୍କୁ ଟଙ୍କା ବଣ୍ଟା ହୋଇନଥିବା ବେଳେ ଆଉ କିଛି କାର୍ଡଧାରୀଙ୍କ ପତ୍ତା ମିଳୁନି। ସେହିପରି କିଛି ହିତାଧିକାରୀଙ୍କ ମୃତ୍ୟୁ ବି ହୋଇଛି।

Livemint

ଗତ ୩୦ ତାରିଖ ସୁଦ୍ଧା ରିପୋର୍ଟରୁ ଜଣାପଡ଼ିଛି, ଜିଲ୍ଲାରେ ମୋଟ୍‌ ୫ ହଜାର ୫୬ ଜଣଙ୍କୁ ଟଙ୍କା ବଣ୍ଟା ହୋଇପାରିନି। ଟଙ୍କା ବାଣ୍ଟିବାକୁ ଗଲା ବେଳେ ଏମାନଙ୍କୁ ଦାୟିତ୍ବରେ ଥିବା ଅଧିକାରୀ ପାଇନାହାନ୍ତି। ସୂଚନା ଅନୁସାରେ, ବାହାନଗା ବ୍ଲକ୍‌ରେ ୧୬୨ ଜଣ, ବସ୍ତା ବ୍ଲକ୍‌ରେ ୩୯୩, ଭୋଗରାଇ ବ୍ଲକ୍‌ରେ ୯୪୫ ଜଣ, ବାଲିଆପାଳ ବ୍ଲକ୍‌ରେ ୧୩୩ ଜଣ, ଜଳେଶ୍ବର ବ୍ଲକ୍‌ରେ ୭୧ ଜଣ, ଖଇରା ବ୍ଲକ୍‌ରେ ୧୫୮ ଜଣ, ଔପଦା ବ୍ଲକ୍‌ରେ ୨୮୪ ଜଣ, ନୀଳଗିରି ବ୍ଲକ୍‌ରେ ୫୬୫, ରେମୁଣା ବ୍ଲକ୍‌ରେ ୫୦୫ ଜଣ, ସଦର ବ୍ଲକ୍‌ରେ ୭୦୪ ଜଣ, ସିମୁଳିଆ ବ୍ଲକ୍‌ରେ ୭୧ଜଣ, ବାଲେଶ୍ବର ମୁନିସିପାଲଟିରେ ୯୫୩ ଜଣ, ଜଳେଶ୍ବର ମୁନିସିପାଲଟିରେ ୫୯, ନୀଳଗିରି ଏନ୍‌ଏସିରେ ୫୩ ଜଣଙ୍କୁ ଟଙ୍କା ବଣ୍ଟା ହୋଇପାରିନି। ଜିଲ୍ଲା‌ର କେବଳ ସୋର ବ୍ଲକ୍‌ରେ ଯେତିକି କାର୍ଡ ରହିଛି, ସେତିକି ଟଙ୍କା ବଣ୍ଟା ସରିଥିବା ଜଣାପଡ଼ିଛି। ଏ ସଂପର୍କରେ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ କହିଛନ୍ତି, କାର୍ଡ ଅନୁସାରେ ଟଙ୍କା ବଣ୍ଟା ଚାଲିଛି। ସବୁ ବ୍ଲକ୍‌ରେ ଟଙ୍କା ବଣ୍ଟା ସରିନାହିଁ। ତେବେ ହିତାଧିକାରୀ କୁଆଡ଼େ ଗଲେ ପଚାରିବାରୁ, ବାହାରେ କିଛି ହିତାଧିକାରୀ ରହିଥିବା ବେଳେ ଆଉ କିଛି ହିତାଧିକାରୀଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି, ମରିଥିବା ଲୋକଙ୍କ ନାଁରେ କାର୍ଡ କଲା କିଏ? ଆଧାର୍ ଲିଙ୍କ ହେବାବେଳେ ଧରାପଡ଼ିଲାନି କେମିତି? ଗୋଟିଏ ପଟେ ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ଟଙ୍କା ଆସି ପଡ଼ିରହିଛି। ଅନ୍ୟପଟେ ଅନେକ ଯୋଗ୍ୟ ଲୋକ କାର୍ଡ ପାଇ ନ ଥିବାରୁ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚି ଅଭିଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର