ଫାଇଲ୍‌ରେ ବନ୍ଧା ପଡ଼ିଲା ଯୋଗାଣ ବିଭାଗ କେଳେଙ୍କାରୀ : ଅସାଧୁ ଡିଲରଙ୍କ ବିରୋଧରେ ହେଉନି କାର୍ଯ୍ୟାନୁଷ୍ଠାନ, ହିତାଧିକାରୀମାନେ ରାସନ୍ ସାମଗ୍ରୀ ପାଇବାରୁ ବଞ୍ଚିତ

ଗୋପ : ଗୋପ ବ୍ଲକ୍‌ରେ ଯୋଗାଣ ବିଭାଗରେ ମହାଘୋଟାଲା ସଂପର୍କିତ ଖବର ‘ସମ୍ବାଦ’ ରେ ବାରମ୍ବାର ପ୍ରକାଶିତ ହେବା ପରେ ପୁରୀ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବିଭାଗୀୟ ଅଧିକାରୀ ଜଣେ ଡିଲରଙ୍କୁ ନିଲମ୍ବିତ କରିବା ପରେ ଚୁପଚାପ ବସି ପଡ଼ିଛନ୍ତି। ଫଳରେ ଏତେ ବଡ଼ ଘୋଟାଲା ଏବେ ଫାଇଲ୍‌ରେ ବନ୍ଧା ପଡ଼ିଛି। ଗୋଟିଏ ପଟେ ଘୋଟାଲାକୁ ଚପାଇବାକୁ ଉଦ୍ୟମ ଚାଲିଥିବା ବେଳେ ଅନ୍ୟପଟେ ଅସାଧୁ ଡିଲରମାନଙ୍କୁ ବଞ୍ଚାଇବା ପାଇଁ କିଛି ଅଧିକାରୀ ନିଜର ସମସ୍ତ ବଳ ଖଟାଇ ଦେଇଛନ୍ତି। ଅନ୍ୟପକ୍ଷରେ ବର୍ଷ ବର୍ଷ ଧରି ରାସନ୍ ସାମଗ୍ରୀ ପାଉନଥିବା ହିତାଧିକାରୀମାନେ ବିଡିଓଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଅଭିଯୋଗ ହୋଇଛି।

ଗୋପ ବ୍ଲକ୍‌ର ଅଣ୍ଢରା ଇଚ୍ଛାପୁର, ବେଦପୁର, ମହଲପଡା, ରାହାଙ୍ଗରଡା, ବଉଲାଙ୍ଗ ଭଳି ପଂଚାୟତରେ ହିତାଧିକାରୀ ବ୍ଲକ୍‌ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ। ବିଡିଓ ଯୋଗାଣ ନିରୀକ୍ଷକଙ୍କ ସହାୟତାରେ ଏହାର ତଦନ୍ତ କରିଥିଲେ। ଡିଲରମାନଙ୍କର ସମସ୍ତ କାଗଜପତ୍ର ଓ ରେକର୍ଡ ଯାଞ୍ଚ କରିବା ପରେ ଉପଜିଲ୍ଲାପାଳଙ୍କୁ ସୁପାରିସ କରି ବିଡିଓ ନିଜର କାର୍ଯ୍ୟ ସାରି ଦେଇଥିଲେ। ତେବେ ଅସାଧୁ ଡିଲରଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ‌ବେଳେ ହିତାଧିକାରୀମାନେ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ତଦନ୍ତରେ ବିଳମ୍ବ ହେଉଥିବାରୁ ଡିଲରମାନେ ଏହାର ଫାଇଦା ଉଠାଉଛନ୍ତି। ସେମାନେ ଅଭିଯୋଗ କରୁଥିବା ହିତାଧିକାରୀଙ୍କ ଘରେ ବସି ରାସନ୍‌ ସାମଗ୍ରୀ ପାଇଛନ୍ତି ବୋଲି ଅନୈତିକ ଉପାୟରେ ଦସ୍ତଖତ ଆଣୁଛନ୍ତି। ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଯେ, ଚାରି ଚାରି ବର୍ଷର ରାସନ୍ ସାମଗ୍ରୀକୁ ହଡ଼ପ କରିଥିବା ସଂପୃକ୍ତ ଡିଲରମାନେ କାହିଁକି ସେମାନଙ୍କର ରାସନ୍ ସାମଗ୍ରୀ ଚାପି ରଖିଥିଲେ। ସେହିପରି ସଂପୃକ୍ତ ହିତାଧିକାରୀମାନେ ରାସନ୍ ସାମଗ୍ରୀ ପାଇଥିବା ନେଇ ଲିଖିତ ଭାବେ ଯେଉଁ ସ୍ବୀକୃତି ଦେଉଛନ୍ତି ତାହା ଆଇନ୍‌ ଅନୁଯାୟୀ ହୋଇଛି ନା ନାହିଁ ତାହାର ତଦନ୍ତ କରିବା ସହ ସଂପୃକ୍ତ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

ଅନ୍ୟପକ୍ଷରେ କେତେକ ପଞ୍ଚାୟତରେ ବାତ୍ୟାରେ ବିପନ୍ନଙ୍କ ପାଇଁ ମିଳିଥିବା ହଜାର ହଜାର ଲିଟର କିରୋସିନ୍‌ ମଧ୍ୟ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଂଚଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ସଂପୃକ୍ତ ଡିଲରମାନଙ୍କୁ ଆଗାମୀ ମାସର କୋଟା ଦେବା ନିମନ୍ତେ ପ୍ରସ୍ତୁତି ଚଳାଇଛି ବିଭାଗ। ଏ ସଂପର୍କରେ ଯୋଗାଣ ମନ୍ତ୍ରୀ ଓ ସଚିବ ପଦକ୍ଷେପ ନେବା ପାଇଁ ଦାବି ହେଉଛି। ସୂଚନାଯୋଗ୍ୟ, ଗୋପ ବ୍ଲକ୍‌ରେ ଯୋଗାଣ ବିଭାଗରେ ହୋଇଥିବା ଏହି ଦୁର୍ନୀତିକୁ ନେଇ ଜିଲ୍ଲା ସାରା ଏବେ ହିତାଧିକାରୀମାନଙ୍କର ଆଧାର କାର୍ଡ ସଂ‌େଯାଗୀକରଣ କରାଯାଉଛି।

ସମ୍ବନ୍ଧିତ ଖବର