ଗିଳିଦେଲେ ଗରିବଙ୍କ ଦାନା

ଯାଜପୁର ( ପ୍ରଦୀପ କୁମାର ମହାପାତ୍ର): କରୋନା କଟକଣା ଯୋଗୁଁ ଜୀବିକାରେ ତାଲାବନ୍ଦ। ଖାଦ୍ୟ ପାଇଁ ହାହାକାର ପରିସ୍ଥିତି। ଭୋକିଲା ପେଟକୁ ଆହାର ଦେବା ପାଇଁ ସରକାର କାହିଁ କେତେ ଯୋଜନା କରିଛନ୍ତି। ହେଲେ ଏହାରି ଭିତରେ ଯେ ଏକ ବଡ଼ଧରଣର କେଳାଙ୍କାରୀ ଲୁଚି ରହିଛି ତାହାକୁ ସରକାର ଅଣଦେଖା କରି ଚାଲିଛନ୍ତି। କରୋନା କାମ ନାମରେ ପ୍ରଶାସନ ମୁଣ୍ଡ ପୂରାଉନି। ଏପଟେ ଗରିବଙ୍କ ହକ୍‌କୁ ଛଡ଼ାଇ ନେଉଛନ୍ତି ପ୍ରଭାବଶାଳୀ।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତ ଅନ୍ତର୍ଗତ କୋଇପଶିର ୨୩ ପରିବାର ଖାଦ୍ୟ ପାଇଁ ହନ୍ତସନ୍ତ ହେଉଛନ୍ତି। ଜିଙ୍ଗି ଓ କେଶବ ତିରିଆଙ୍କ ୬ ଜଣିଆ ପରିବାର ହେଉ କି ଚମ୍ପା ଓ ନିଧିଆ ମହାରଣାଙ୍କ ୫ ଜଣିଆ ପରିବାର, ମିନାକ୍ଷୀ ଓ ବିଜୟ ତିରିଆଙ୍କ ୪ ଜଣିଆ ପରିବାର ପାଖରେ ରାସନ କାର୍ଡ ନାହିଁ। ତେଣୁ ଏମାନେ ଗରିବ ହୋଇ ବି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ। ବିଂଝାରପୁର ବ୍ଲକ୍‌ ଅଳକୁଣ୍ଡ ଗ୍ରାମର ସଫତୁନ ବିବିଙ୍କ ୬ ଜଣିଆ ପରିବାର। ତାଙ୍କର ରାସନକାର୍ଡ (କାର୍ଡ ନଂ- ୧୩୦୩୨୯୧୦୦୩୪) ଅଛି। ଦୀର୍ଘ ଦେଢ଼ବର୍ଷ ହେଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ କାର୍ଡ ପାଇଛନ୍ତି। ମାତ୍ର ତାଙ୍କୁ ରାସନ ସାମଗ୍ରୀ ମିଳୁନାହିଁ। ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ଅରାବଳ ପଞ୍ଚାୟତର ଯୁଧିଷ୍ଠିର ଦାସଙ୍କ ପତ୍ନୀ ବର୍ଷେ ପୂର୍ବରୁ ମୃତ୍ୟୁବରଣ କରିଥିଲେ। ଏହା ପରଠାରୁ ତାଙ୍କର ୯ ଜଣିଆ ପରିବାରକୁ ରାସନ ମିଳୁନି। ଚୋରମୁହାଁ ପଞ୍ଚାୟତର ପ୍ରଣତି ଗୋଛାୟତଙ୍କ ପରିବାରକୁ ନିୟମିତ ରାସନ ସାମଗ୍ରୀ ମିଳୁନାହିଁ। ଉଭୟ ଏଥିପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ବରୀ ବ୍ଲକ୍ ରମ୍ପା ପଞ୍ଚାୟତର ଅନେକ ହିତାଧିକାରୀଙ୍କ ନାମ ରାସନ୍‌ ତାଲିକାରୁ କଟି ଯାଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ତାଲିକାରେ ନାମ ଦରଜ ହୋଇଥିବା ବେଳେ କେନ୍ଦ୍ର ତାଲିକାରେ ନାହିଁ।

ଧର୍ମଶାଳା ବ୍ଲକ ମହିଷାର ପଞ୍ଚାୟତ ଅନ୍ତର୍ଗତ ରମ୍ପେଇ ଗ୍ରାମର ହିତାଧିକାରୀଙ୍କୁ ପ୍ରାୟ ୫ ମାସ ଧରି ରାସନ ମିଳିନଥିଲା। ପରେ ଏହା ପ୍ରଘଟ ହେବା ପରେ ହିତାଧିକାରୀଙ୍କୁ ଏକକାଳୀନ ଚାଉଳ ଦିଆଯାଇଥିଲା। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରହିଥିବା ଖଇଚା ନେଇ ମାତ୍ର ୧୫ ଦିନ ମଧ୍ୟରେ ଏଭଳି ପୁଳାପୁଳା ଅଭିଯୋଗ ଆସିଛି। ଯୋଗ୍ୟ ହିତାଧିକାରୀ ରାସନ୍‌ ପାଉ ନଥିବା ବେଳେ ଅନେକ ଅଯୋଗ୍ୟ ଗରିବଙ୍କ ଦାନାକୁ ଗିଳି ଚାଲିଛନ୍ତି। ଦାନଗଦୀ ବ୍ଲକ୍‌ର ଜଣେ ସରପଞ୍ଚ ନିଜ ପତ୍ନୀଙ୍କ ନାମରେ କାର୍ଡ କରି ରାସନ୍‌ ଉଠାଉଥିବା ବେଳେ ଜଣେ ରିଟେଲ୍‌ରଙ୍କ ପରିବାରର ଏକାଧିକ ସଦସ୍ୟ ରାସନ ନେଉଛନ୍ତି। କରୋନା ବିପତ୍ତି ବେଳେ ପଡ଼ିକାର୍ଡଧାରୀଙ୍କୁ ସହାୟତା ରାଶି ବଣ୍ଟନ ବେଳେ ଯାଜପୁର ଜିଲ୍ଲାରେ ହଜାର ହଜାର ହିତାଧିକାରୀ ନିଖୋଜ ହୋଇଯାଇଛନ୍ତି। ପ୍ରଶାସନ ଟଙ୍କା ଦେବାପାଇଁ ସେମାନଙ୍କୁ ଖୋଜୁଥିବା ବେଳେ ମିଳୁନାହାନ୍ତି। ଶହେ କି ଦୁଇଶହ ନୁହେଁ ୩୭୬୩ଜଣ ହଜାରେ ଟଙ୍କିଆ ସହାୟତା ନେବାକୁ ଆସିନଥିବା ଜଣାପଡିଛି। ଏହି କାରଣରୁ ପଡ଼ିକାର୍ଡଧାରୀଙ୍କ ୩୭ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବଣ୍ଟା ହୋଇପାରିନି।

ଦଶରଥପୁର ବ୍ଲକ୍ ଶୁଶୁଆ ପଞ୍ଚାୟତକୁ ଦୃଷ୍ଟାନ୍ତ ଭାବେ ନେବା। ଶୁଶୁଆ ପଞ୍ଚାୟତରେ ଶିକ୍ଷକ ବିଚିତ୍ର କୁମାର ପରିଡ଼ା ହିତାଧିକାରୀଙ୍କୁ ଅର୍ଥ ବାଣ୍ଟିବା ଦାୟିତ୍ବରେ ଥିଲେ। ସେ ହିତାଧିକାରୀଙ୍କୁ ୧୨ଲକ୍ଷ ୧୧ ହଜାର ଟଙ୍କା ବାଣ୍ଟିବା ପାଇଁ ଯାଇଥିଲେ । ସେ ୧୧ଲକ୍ଷ ୮୦ ହଜାର ଟଙ୍କା ବାଣ୍ଟିବା ପରେ ଆଉ ୩୧ଜଣ କାର୍ଡଧାରୀଙ୍କୁ ଖୋଜି ପାଇଲେ ନାହିଁ। ଏହି ପଞ୍ଚାୟତର ମୂଷା ସେଠୀ(କାର୍ଡ ନମ୍ବର ୧୩୦୫୨୫୧୦୧୦୦) , ସୁର ଦାସ( ୧୩୦୫୨୫୩୮୬), ଚୈତନ୍ୟ ସାମଲ,(୧୩୦୫୨୫୧୦୪୮୬), ଅଲକା ବାଇ (୧୩୦୫୨୫୧୦୬୪୪), ସୁରେନ୍ଦ୍ର ମଲ୍ଲିକ (୧୩୦୫୨୫୧୦୬୬୬), ସୁରବାଳା ଲେଙ୍କା (୧୩୦୫୨୫୧୦୨୭୬), ଝୁମୁରି ଦାସ ( ୧୩୦୫୨୫୧୦୯୬୦), ମିଲି ଦାସ ( ୧୩୦୫୨୫୧୦୯୭୨) , ରାଧାରାଣୀ ନାୟକ (୧୩୦୫୨୫୧୧୦୬୭), ମାଗୁଣି ଦାସ ( ୧୩୦୫୨୫୧୦୫୦୩) , ଦୁର୍ଗାବତୀ ଦାସ (୧୩୦୫୨୫୧୦୫୫୫), ବାସନ୍ତ ବାରିକ (୧୩୦୫୨୫୧୦୩୯୧), ରକମଣି ଦଳାଇ (୧୩୦୫୨୫୧୦୧୮୪)ଙ୍କ ପ୍ରାୟ ୧ବର୍ଷ ଭିତରେ ମୃତ୍ୟୁ ଘଟିଛି । ତେବେ ସେମାନଙ୍କ ନାମ ତାଲିକାରୁ କଟାଯାଇନି। ସେହିପରି ଈଶ୍ୱରପୁର ଗ୍ରାମର ଲିପ୍ତିନି ବାରିକ (୧୩୦୫୨୫୧୧୩୯୪)ଙ୍କ ପରିବାର ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ଦିଲ୍ଲୀରେ ରହୁଥିବା ବେଳେ ତାଙ୍କ ନାମ ରାସନ ତାଲିକାରେ ରହିଛି। ଏମାନଙ୍କ ନାମରେ ରାସନ୍‌ ଉଠାଯାଉଥିଲା କି ନାହିଁ? ଯଦି ଉଠାଯାଉଥିଲା ତା’ହେଲେ ଏହା କାହା ପେଟକୁ ଯାଉଥିଲା-ଏହା ତଦନ୍ତ ସାପେକ୍ଷ।

ସମ୍ବନ୍ଧିତ ଖବର