କାହାର ପୁଷମାସ, କାହାର ସର୍ବନାଶ : ସରକାରୀ ଚାକିରିଆଙ୍କ ପରିବାର ଉଠାଉଛନ୍ତି ରାସନ୍, ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
କେନ୍ଦ୍ରାପଡ଼ା : କାହାର ସ୍ବାମୀ ତ କାହାର ପୁଅ ହେଉଛନ୍ତି ସରକାରୀ ଚାକିରିଆ। କାହାର ଶ୍ବଶୁର ଚାକିରିଆ ଅଥବା ପେନସନ୍ଧାରୀ। ଏମିତି ମହିଳା ଅଛନ୍ତି, ଯେଉଁମାନଙ୍କ ସ୍ବାମୀ ହେଉଛନ୍ତି ଧାନକଳ ମାଲିକ ଅଥବା ୩ଟି ଟ୍ରାକ୍ଟର୍ର ମାଲିକ। କାହାର ଦୁଇ ମହଲା କୋଠା ଘର ଅଛି ତ କାହାର ଚାରି ଚକିଆ ଗାଡ଼ି। କିନ୍ତୁ ସରକାରୀ ରେକର୍ଡରେ ଏମାନେ ଗରିବ। ଏମାନେ ସବୁ ହାତେଇଛନ୍ତି ରାସନକାର୍ଡ। ମାସକୁ ମାସ ହାତେଇ ଚାଲିଛନ୍ତି ରାସନ ସାମଗ୍ରୀ। ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ସହାୟତା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ମହାକାଳପଡ଼ା ପ˚ଚାୟତରେ ଏଭଳି ହିତାଧିକାରୀଙ୍କ ନାମ ତାଲିକା ଏବେ ସାମନାକୁ ଆସିଛି। କେଉଁ ନିୟମ ବଳରେ ଏଭଳି ବ୍ୟକ୍ତିଙ୍କୁ ରାସନକାର୍ଡ ମିଳିଲା, ତାକୁ ନେଇ ଗୋଟିଏପଟେ ପ୍ରଶ୍ନ ଉଠୁଥିବାବେଳେ ଅନ୍ୟପଟେ ଅଭିଯୋଗ ପରେ ବି ଯୋଗାଣ ନିରୀକ୍ଷକ ଚୁପ୍ ବସିବା ଘଟଣା ରାସନକାର୍ଡ ଚୟନରେ ହୋଇଥିବା ବଡ଼ଧରଣର କେଳେଙ୍କାରୀର ଆଭାସ ଦେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ମହାକାଳପଡ଼ା ପ˚ଚାୟତ ଚଡେ଼ଇଗୁଆଁ ଗ୍ରାମର ନମିତା ମହାପାତ୍ର। ତାଙ୍କ ସ୍ବାମୀ ପ୍ରକାଶ ବିଶ୍ବାଳ ଯୁଗରୂପା ବିଦ୍ୟାଭବନରେ ମୁଖ୍ୟ କିରାଣି ଭାବେ ଚାକିରି କରିଛନ୍ତି। ଶ୍ବଶୁର ଦାମୋଦର ବିଶ୍ବାଳ ଅବସରପ୍ରାପ୍ତ ଶିକ୍ଷକ। ଅର୍ଥାତ୍ ସ୍ବାମୀ-ଶ୍ବଶୁର ସରକାରଙ୍କ ବେତନଭୋଗୀ କର୍ମଚାରୀ ହୋଇଥିବା ବେଳେ ନମିତାଙ୍କ ନାଁରେ କିନ୍ତୁ ହୋଇଛି ରାସନକାର୍ଡ। ସମାନ ଘଟଣା ଚଡେ଼ଇଗୁଆଁର ନରହରି ମହାପାତ୍ରଙ୍କ ପତ୍ନୀ ଗୋଲାପ ମ˚ଜରୀ ମହାପାତ୍ରଙ୍କ କ୍ଷେତ୍ରରେ ବି ଦେଖିବାକୁ ମିଳିଛି। ତାଙ୍କର ୫ ବଖରା କୋଠା ଘର ଥିବା ବେଳେ ପୁଅ କୋରାପୁଟ ଜିଲ୍ଲା ଅବକାରୀ ବିଭାଗରେ ଚାକିରି କରିଛନ୍ତି। ଏହା ସତ୍ତ୍ବେ ତାଙ୍କୁ ରାସନକାର୍ଡ ମିଳିଛି। ମହାକାଳପଡ଼ା ଗାଁର ରସ୍ମିତା ପଣ୍ତାଙ୍କ କ୍ଷେତ୍ରରେ ତ ସବୁ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ ଦିଆଯାଇଛି। ସ୍ବାମୀ ଶ୍ରୀନିବାସ ପଣ୍ତାଙ୍କ ଦଶ ବଖରା ବିଶିଷ୍ଟ ଦୁଇ ମହଲା କୋଠା ଘର ଅଛି। ୩ଟି ଟ୍ରାକ୍ଟର୍, ଗୋଟିଏ ଧାନକଳ ବି ଅଛି। ଶ୍ବଶୁର ମହାକାଳପଡ଼ା ତହସିଲ୍ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ଅଥଚ ଏତେ ବିତ୍ତଶାଳୀ ଲୋକଙ୍କୁ ମିଳିଛି ରାସନକାର୍ଡ। ସେମାନେ ମାସକୁ ମାସ ରାସନ୍ ଉଠାଉଛନ୍ତି। କେବଳ ଏହି ତିନି ସରକାରୀ ଚାକିରିଆ ପରିବାର ନୁହନ୍ତି, ପ˚ଚାୟତରେ ଏମିତି ଅନେକ ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କ କୋଠା ଘର, କାର୍, ଲକ୍ଷାଧିକ ଟଙ୍କା ରୋଜଗାର ସତ୍ତ୍ବେ ସେମାନଙ୍କୁ ରାସନକାର୍ଡ ମିଳିଛି। ସା˚ଘାତିକ କଥାଟି ହେଉଛି, ରାସନକାର୍ଡରେ ବି ପରିବାର ସଦସ୍ୟ ସ˚ଖ୍ୟା କମାଇ ଦିଆଯାଇଛି। ଯାହାର ସ୍ବାମୀ, ଶ୍ବଶୁର ଅଥବା ପୁଅ ସରକାରୀ ଚାକିରି କରିଛନ୍ତି, ସେମାନଙ୍କ ନାଁକୁ କାର୍ଡରୁ ଚତୁରତାର ସହିତ ବାଦ ଦେଇ ଦିଆଯାଇଛି।
ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଚାକିରିଆମାନେ ସରକାରଙ୍କ କୌଣସି ଯୋଜନାର ସୁବିଧା ପାଇବେ ନାହିଁ ବୋଲି ନିୟମ ଥିବାବେଳେ ଏମାନେ କେଉଁ ଆଧାରରେ ରାସନକାର୍ଡ ହିତାଧିକାରୀ ହେଲେ? କାର୍ଡ ଇସ୍ୟୁ ପୂର୍ବରୁ ଏମାନଙ୍କ ଆଦେନନ ଯାଞ୍ଚ କରାଯାଇଥିଲା କି? ଯଦି ହଁ, ତେବେ କେଉଁ ଆଧାରରେ ହୋଇଥିଲା ଏବ˚ ପରିବାରରେ ସରକାରୀ ଚାକିରିଆ ସ˚କ୍ରାନ୍ତରେ ଜାଣି ବି ବିଭାଗୀୟ ଅଧିକାରୀ କିପରି ରାସନକାର୍ଡ ହିତାଧିକାରୀ ନିମନ୍ତେ ଏମାନେ ଯୋଗ୍ୟ ବୋଲି ହାତକାଟି ଲେଖିଦେଲେ, ତାହା ଏବେ ତଦନ୍ତର ଅପେକ୍ଷା ରଖୁଛି। ହାଣ୍ତିରୁ ଗୋଟିଏ ଭାତ ଚିପିଲା ଭଳି ଯଦି ମହାକାଳପଡ଼ା ପ˚ଚାୟତକୁ ଉଦାହରଣ ଭାବେ ନିଆଯାଏ, ତେବେ ଜିଲ୍ଲାରେ ହିତାଧିକାରୀ ଚୟନରେ ହୋଇଥିବା ବ୍ୟାପକ ଅନିୟମିତତାର ଆକାର କେତେ ବିଶାଳ, ତାହାର ପ୍ରମାଣ ମିଳୁଛି।