କିଏ ଖାଇଗଲା ୨୨ କୋଟି ଟଙ୍କାର ଚାଉଳ, ଗହମ, କିରୋସିନି ?

୫ ବର୍ଷ ଧରି ଲୁଟିଛନ୍ତି ୭,୭୦୦ ଭୂତ କାର୍ଡର ରିଲିଫ ସାମଗ୍ରୀ! କରୋନା ଖୋଲିଲା ଜିଲ୍ଲାର ରାସନ ଦୁର୍ନୀତି

ରାଉରକେଲା: ଯୋଗାଣ ବିଭାଗରେ ଦୁର୍ନୀତିର ଚେର ତଳରୁ ଉପର ପର୍ଯ୍ୟନ୍ତ ଲମ୍ବିଛି। ଯୋଗାଣ ବିଭାଗରେ ଅଧିକାରୀଙ୍କ ସହ ଭିତରି ସଲାସୁତୁରା କରି ଭୂତ କାର୍ଡ ହାତେଇ ଲୁଟି ଚାଲିଛନ୍ତି କୋଟି କୋଟି ଟଙ୍କା। ମହାମାରୀ କରୋନା ଯୋଗାଣ ବିଭାଗରେ ବର୍ଷ ବର୍ଷ ଧରି ଚାଲିଥିବା ଏପରି ସାଙ୍ଘାତିକ ଦୁର୍ନୀତିର ଗୁମର ଖୋଲିଛି। ମହାମାରୀ କରୋନା ସମୟରେ ହିତାଧିକାରୀଙ୍କୁ କାର୍ଡ ପିଛା ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିଥିଲା। ଏ ବାବଦରେ ସୁନ୍ଦରଗଡ ଜିଲ୍ଲାକୁ କାର୍ଡ ଅନୁଯାୟୀ ସର୍ବମୋଟ ୪୩ କୋଟି ,୯୭ ଲକ୍ଷ ୧୯ ହଜାର ୬୯୪ ଟଙ୍କା ଆସିଥିଲା। ଏଥି ମଧ୍ୟରୁ ୪୩ କୋଟି ୨୦ ଲକ୍ଷ ୧୬ ହଜାର ଟଙ୍କା ବଣ୍ଟନ କରାଯାଇଥିଲା। ଅବଶିଷ୍ଟ ୭୭ ଲକ୍ଷ ୩ ହଜାର ୬୯୪ ଟଙ୍କା ବଣ୍ଟନ ନ ହୋଇ ଫେରି ଯାଇଥିଲା। ଅର୍ଥାତ୍‌ ଜିଲ୍ଲାର ପ୍ରାୟ ୭ ହଜାର ୭୦୦ କାର୍ଡଧାରୀଙ୍କ ନଥିବାରୁ ଏହି ଟଙ୍କା ଫେରି ଯାଇଥିଲା। ଅର୍ଥାତ୍‌ ଜିଲ୍ଲାର ୭ ହଜାର ୭୦୦ କାର୍ଡ ସମ୍ପୂର୍ଣ୍ଣ ଭୂତ କାର୍ଡ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଥିଲା।

Naidunia

ଏହି ଭୂତ କାର୍ଡ ଜରିଆରେ କଣ୍ଟ୍ରୋଲ ଦୋକାନୀମାନେ ଯୋଗାଣ ବିଭାଗର ଅଧିକାରୀଙ୍କୁ ଧରି ବର୍ଷ କି ଦୁଇ ବର୍ଷ ନୁହେଁ ୨୦୧୬ରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍‌ ୫ ବର୍ଷ ଧରି ଚାଉଳ, ଗହମ, କିରାସିନ ଆଦି ରିଲିଫ୍‌ ସାମଗ୍ରୀ ଉଠାଇ ଚଳୁ କରି ଚାଲିଛନ୍ତି। ଯଦି କାର୍ଡ ପିଛା ୩ରୁ ଅଧିକ ସଦସ୍ୟ ଥାଆନ୍ତି ୭ ହଜାର ୭୦୦ କାର୍ଡରେ ମୋଟ ସଦସ୍ୟ ସଂଖ୍ୟା ହେଉଛି ୨୫ ହଜାର। ମାସକୁ ଜଣ ପିଛା ୫ କେଜି ଲେଖାଏଁ ଗହମ କିମ୍ବା ଗହମ ମିଳିଥାଏ। ୨୫ ହଜାର ସଦସ୍ୟ ବାବଦରେ ମାସକୁ ମୋଟ ୧ ଲକ୍ଷ ୨୫ ହଜାର ଗହମ ଉଠାଯାଏ। ୫ ବର୍ଷରେ ଅର୍ଥାତ୍‌ ୬୦ ମାସରେ ୭୫ ଲକ୍ଷ କେଜି ଅର୍ଥାଥ୍ ୭ ହଜାର ୫୦୦ ଟନ୍‌ ଗହମ ଚାଉଳକୁ ହଡ଼ପ କରାଯାଇଛି। ବଜାରରେ କେଜି ପ୍ରତି ୨୦ ଟଙ୍କା ବିକ୍ରି କରାଗଲା ସର୍ବମୋଟ ୧୫ କୋଟି ଟଙ୍କାକୁ ମିଳି ମିଶି ଚଳୁ କରାଯାଇଛି। କେବଳ ଗହମ, ଚାଉଳ ନୁହେଁ କିରୋସିନ ମଧ୍ୟ ସେହି ସମାନ ଲୁଟ୍‌। ମାସକୁ ମୁଣ୍ଡ ପିଛା ୨ ଲିଟର ଲେଖାଏଁ ଦିଆଯାଏ। ୨୫ ହଜାର ସଦସ୍ୟଙ୍କ ବାବଦରେ ମାସକୁ ୫୦ ହଜାର ଲିଟର ଉଠା ଯାଉଛି। ଏପରି ଭାବେ ୫ ବର୍ଷକୁ ଅର୍ଥାତ୍‌ ୬୦ ମାସରେ ୩୦ ଲକ୍ଷ ଲିଟର କିରାସିନ ଉଠାଯାଇଛି। ଲିଟର ପିଛା ସର୍ବନିମ୍ନ ୨୫ ଟଙ୍କା ‌ଲେଖାଏଁ ହେଲେ ପ୍ରାୟ ୭ କୋଟି ୫୦ ଲକ୍ଷ ଟଙ୍କାର ହେରଫେର ହୋଇଛି। ଏମିତି ଭାବେ କିରୋସିନ, ଗହମ ଓ ଚାଉଳ ବାବଦରେ ସର୍ବମୋଟ ୨୨ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଛି।

The Indian Express

ସବୁଠୁ ବେଶି ଦୁର୍ନୀତି ହୋଇଛି ସ୍ମାର୍ଟସିଟି ରାଉରକେଲାରେ। ଏହି ଦୁର୍ନୀତି ସଂକ୍ରାନ୍ତରେ ସମାଜସେବୀ ରଶ୍ମୀ ପାଢ଼ୀ ଜିଲ୍ଲାପାଳ ଓ ଭିଜିଲାନ୍ସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ ୧୯୩୨ ଭୂତ କାର୍ଡକୁ ବାତିଲ କରାଯାଇଥିଲା। ଫେରି ଯାଇଥିବା ଟଙ୍କାରୁ ଆର୍‌ଏମ୍‌ସିର ଆହୁରି ଶହ ଶହ ଭୂତ କାର୍ଡ କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ରହିଛି। ଯାହାର ପୁଣି ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ଆର୍‌ଏମ୍‌ସି ପରି ସୁନ୍ଦରଗଡ ଓ ୧୭ଟି ବ୍ଲକରେ ସେହି ସମାନ ସ୍ଥିତି। ହେମଗିରିରେ ୩୧୧, କୁଆରମୁଣ୍ଡାର ୧୩୬, ନୂଆଗାଁର ୩୨୫, ବାଲିଶଙ୍କରାରେ ୧୨୫, ବଡଗାଁରେ ୫୫ , ବିଶ୍ରାରେ ୭୪, ବଣାଇଁରେ ୧୬୮, ଗୁରୁଣ୍ଡିଆରେ ୨୨୫ ଭୂତ କାର୍ଡ ରହିଛି। ଅନୁରୂପ ଭାବେ କୁଆରମୁଣ୍ଡାରେ ୧୩୬, କୁତ୍ରାରେ ୧୦୯, ଲହୁଣିପଡାରେ ୭୫୦, ଲାଠିକଟାରେ ୫୪୭, ଲେଫ୍ରିପଡାରେ ୪୪୪, ନୂଆଗାଁରେ ୩୨୫, ରାଜଗାଙ୍ଗପୁରରେ ୧୦୨, ସବଡେଗାରେ ୫୨, ସୁନ୍ଦରଗଡରେ ୩୭୯, ଟାଙ୍ଗରପାଲିରେ ୩୦୬ ଭୂତ କାର୍ଡ ରହିଛି। ବୀରମିତ୍ରପୁର ପୌରପାଳିକାରେ ୫୬, ରାଜଗାଙ୍ଗପୁର ପୌରପାଳିକାରେ ୯୦ ଭୂତ କାର୍ଡ ରହିଛି। ରାଉରକେଲା ମହାନଗର ନିଗମ ପରି ସୁନ୍ଦରଗଡ, ବ୍ଲକଗୁଡ଼ିକରେ ଏସବୁ ଭୂତ କାର୍ଡକୁ ବାତିଲ କରାଯିବାର ଆବଶ୍ୟକତା ରହିଛି। ବର୍ଷ ବର୍ଷ ଧରି ଭୂତ କାର୍ଡ ଜରିଆରେ ଚାଉଳ, ଗହମ ଓ କିରୋସିନ ଉଠାଉଥିବା ଏସବୁ କଣ୍ଟ୍ରୋଲ ଦୋକାନୀ ଓ ଏମାନଙ୍କୁ ସହାୟତା କରୁଥିବା ଯୋଗାଣ ବିଭାଗର ଅଧିକାରୀକୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି।

ଉଲ୍ଲେଖଯୋଗ୍ୟ, ରାଉରକେଲା ମହାନଗର ନିଗମରେ ମୋଟ ୬୭ ହଜାର ୯୭୧ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିଛି। ‌ଅନୁରୂପ ଭାବେ ସୁନ୍ଦରଗଡ ‌ପୌରପାଳିକାରେ ପ୍ରାୟ ୫୩୩୦, ରାଜଗାଙ୍ଗପୁର ପୌରପାଳିକାରେ ୮୬୭୯, ବୀରମିତ୍ରପୁର ପୌରପାଳିକାର ୬,୪୮୩ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିଛି। ନୂଆଗାଁ ବ୍ଲକରେ ପ୍ରାୟ ୨୫,୮୧୨, ବିଶ୍ରା ୧୬,୬୨୫, ଲାଠିକଟା ୨୫,୮୩୯, କୁଆରମୁଣ୍ଡା ୨୪,୫୯୫, ଲହୁଣିପଡା ୨୨,୧୧୭, ସୁନ୍ଦରଗଡ ସଦର୧୭,୬୦୯, କୋଇଡା ୧୭,୬୨୫, ବଣାଇଗଡ ୧୫,୮୩୫, ବାଲିଶଙ୍କରା ୨୨,୨୯୮, ହେମଗିରି ୨୧,୦୭୨, ବଡଗାଁ ୧୭,୮୪୭, କୁତ୍ରା ୧୯,୬୦୪, ଲେଫ୍ରିପଡା ୨୨,୧୧୭, ଟାଙ୍ଗରପାଲି ୧୭,୧୪୨, ସବଡେଗା ୧୬,୨୯୧, ଗୁରୁଣ୍ଡିଆରେ ୪୧୫୯, ରାଜଗାଙ୍ଗପୁର ୨୩,୯୦୯ କାର୍ଡଧାରୀଙ୍କୁ ଚାଉଳ, ଗହମ, କିରାସିନ ବଣ୍ଟନ କରାଯାଉଛି।

ସମ୍ବନ୍ଧିତ ଖବର