ଯାଜପୁର ଜିଲ୍ଲାରେ ରାସନ ଦୁର୍ନୀତି ଜୀବନ ନେଲା : ଅନାହାରରେ କିଡ୍‌ନି ରୋଗୀଙ୍କ ମୃତ୍ୟୁ, ୮ ମାସ ହେଲା କାର୍ଡରେ ମିଳିନଥିଲା ରାସନ

ଯାଜପୁର/କଣ୍ଟିଗଡିଆ : ଯାଜପୁର ଜିଲ୍ଲାରେ ରାସନ ଦୁର୍ନୀତି ଶେଷରେ ଜଣକ ଜୀବନ ନେଇଛି। ରୋଗକଷ୍ଟ ସାଙ୍ଗକୁ ଭୋକରେ ଛଟପଟ ହୋଇ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଲେ ଧର୍ମଶାଳା ବ୍ଲକ୍ କଣ୍ଟିଗଡ଼ିଆ ପଞ୍ଚାୟତର କିଡ୍‌ନି ରୋଗୀ ଅକ୍ଷୟ ଦାସ(୪୦)। ଅନାହାରରେ ଏକମାତ୍ର ପୁଅର ମୃତ୍ୟୁ ପରେ ବୃଦ୍ଧା ବିଧବା ମା’ ଚାରିଆ ଦାସ(୬୪)ଙ୍କ କରୁଣ ଚିତ୍କାର ଜନମାନସକୁ ଆନ୍ଦୋଳିତ କରିଥିବାବେଳେ ଆହା ପଦେ କହିବାକୁ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନାହିଁ। ଏହି ପରିବାର ରାସନ କାର୍ଡ ରହିଥିବାବେଳେ ସେଥିରେ ୨୦୧୯ ଅକ୍ଟୋବର ପର୍ଯ୍ୟନ୍ତ ଚାଉଳ ଦିଆଯାଇଥିବା ଉଲ୍ଲେଖ ରହିଛି।

ଅକ୍ଷୟଙ୍କ ଗାଁ ମୁଣ୍ଡରେ ଏକ ପାନ ଦୋକାନ ଥିଲା। କିଡ୍‌ନି ରୋଗରେ ଆକ୍ରାନ୍ତ ହେବା ପରେ ଆଉ ଦୋକାନ ଚଳାଇ ପାରିଲେନାହିଁ। ପ୍ରାୟ ବର୍ଷେ ହେଲା ବହୁତ କଷ୍ଟରେ ତାଙ୍କ ପରିବାର ଚଳୁଥିଲା। ମାଗିଯାଚି ଓଳିଏ ଖାଇଲେ ଆର ଓଳିକୁ ଉପାସରେ ରହୁଥିଲେ। ରୋଗକଷ୍ଟ ଠାରୁ ଭୋକର ଜ୍ବାଳା ବଳି ପଡିଥିଲା ବୋଲି ତାଙ୍କ ମା’ ଚାରିଆ କହିଛନ୍ତି। ମୃତ ଅକ୍ଷୟଙ୍କ ବିଧମା ବୃଦ୍ଧା ମା’ ଚାରିଆ ଦାସ(୬୪) କହିଛନ୍ତି, ‘ପଡ଼ିକାର୍ଡ ଥାଇ ମଧ୍ୟ ପରିବାରକୁ ମାସମାସ ଧରି ରାସନ ସାମଗ୍ରୀ ମିଳୁନଥିଲା । ଭୋକ ଉପବାସରେ ରୋଗାକ୍ରାନ୍ତ ପୁଅର ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ଆଉ ଶେଷରେ ସବୁଦିନ ପାଇଁ ଆଖିବୁଜି ଦେଲା।’

ସୂଚନା ଅନୁସାରେ, ମୃତ ଅକ୍ଷୟଙ୍କ ମା’ ଚାରିଆ ଦାସଙ୍କ ନାମରେ ଥିବା ପଡିକାର୍ଡରେ ଆଠ ୮ମାସ ହେଲା ରାସନ ସାମଗ୍ରୀ ମିଳିନି। ସ୍ଥାନୀୟ ଡିଲର ୨୦୧୯ ଅକ୍ଟୋବର ମାସରୁ ଆଜି ପର୍ଯ୍ୟନ୍ତ ରାସନ ସାମଗ୍ରୀ ଦେଇନାହାନ୍ତି। ପିଡିଏସ କାର୍ଡ (ନମ୍ବର ୧୩୦୬୧୮୧୦୪୭୧)ରେ ମା’ ଚାରିଆଙ୍କ ସମେତ ପୁଅ ଅକ୍ଷୟ, ବୋହୂ ସୌଦାମିନୀ ଓ ନାତି ସୁବ୍ରତଙ୍କ ନାମ ଥିଲେ ମଧ୍ୟ ସଂପୃକ୍ତ ଡିଲର ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ୩ଜଣଙ୍କ ନାମରେ ଚାଉଳ ଦେଇଥିବା ଚାରିଆ କହିଛନ୍ତି । ଅକ୍ଟୋବର ମାସ ପରଠାରୁ ଡିଲର ରାସନ ସାମଗ୍ରୀ ଦେଇନଥିବା କାର୍ଡ ଯାଞ୍ଚରୁ ସ୍ପଷ୍ଟ ହୋଇଛି। ତେବେ ଲକ୍‌ଡାଉନ୍‌ ବେଳେ ରାଜ୍ୟ ସରକାରଙ୍କ ୧ହଜାର ଟଙ୍କାର ସହାୟତା ରାଶି ଶିକ୍ଷକ ଦେବା ପରେ ରାସନ୍‌ ପାଇଁ ଧର୍ମଶାଳା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ମାସ ମାସ ଧରି ରାସନ ସାମଗ୍ରୀ ହଡ଼ପ କରିଥିବା ଡିଲର ୨ମାସ ହେବ ମାତ୍ର ୪୫କେଜି ଚାଉଳ ଦେଇଥିବା ଚାରିଆ କହିଛନ୍ତି।

ଅଭାବ ଅନଟନ ସାଙ୍ଗକୁ ରୋଗ ଦାଉ। ଲକ୍‌ଡାଉନ୍ ସତ୍ତ୍ବେ ସେହି ଚାଉଳ ବିକି ପୁଅ ଅକ୍ଷୟଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ବଡ଼କଷ୍ଟରେ ନେଇଥିଲେ ଚାରିଆ। ହେଲେ, ସେଦିନ ବିଭାଗୀୟ ଡାକ୍ତର ନଥିବାରୁ ଘରକୁ ଫେରାଇ ଆଣିଥିଲେ। ପରେ ଅକ୍ଷୟଙ୍କୁ ଚିକତ୍ସା ପାଇଁ ପୁଣି କଟକ ନେବାକୁ ସାହି ଭାଇଙ୍କୁ କହିଥିଲେ ମଧ୍ୟ କରୋନା କଟକଣା ପାଇଁ କଟକ ମେଡିକାଲକୁ ଯିବାକୁ ରାଜି ହୋଇନଥିଲେ। ରୋଗ ସାଙ୍ଗକୁ ଭୋକ ଉପାସରେ ତାଙ୍କ ପୁଅ ସବୁଦିନ ପାଇଁ ଚାଲିଗଲା ବୋଲି ମା’ ଚାରିଆ ବିଳାପ କରି କହିଛନ୍ତି। ଏପରିକି ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ରିଲିଫ ଚାଉଳ ଅକ୍ଷୟଙ୍କ ପରିବାର ପାଇ ନଥିବା ଜଣାପଡ଼ିଛି। ରୋଗ ଯନ୍ତ୍ରଣା ସାଙ୍ଗକୁ ଅନାହାରରେ ଅକ୍ଷୟଙ୍କ ମୃତ୍ୟୁ ଘଟଣା ଧର୍ମଶାଳା ବ୍ଲକ୍‌ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର