ଭୁବନେଶ୍ୱର : କଣ୍ଟ୍ରୋଲ୍ ଦୋକାନର ସଜ୍ଞା ବଦଳିଯିବ। ମାସକୁ ଥରେ କେବଳ ଚାଉଳ, ଗହମ ପାଇଁ ଏହି ଦୋକାନ ଖୋଜା ପଡ଼ିବନି। ମାସ ସାରା ଦୋକାନ ଖୋଲା ରହିବ। ଚାଉଳ, ଗହମ ବାଦ୍ ନିତ୍ୟ ବ୍ୟବହାର୍ଯ୍ୟ ପ୍ରାୟ ୧୫୦ ସାମଗ୍ରୀ ସେଥିରେ ଉପଲବ୍ଧ ହେବ। ତେବେ ଏହି ସାମଗ୍ରୀଗୁଡ଼ିକ ସରକାରୀ ରିହାତି ମିଳିବ ନାହିଁ।
ଓଡ଼ିଶାରେ ଏମିତି ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯୋଜନା ହେଉଛି। ଯୋଗାଣ ବିଭାଗ ପକ୍ଷରୁ ଏଥି ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଚାଲିଛି। ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀମାନଙ୍କ ମଧ୍ୟରେ ପ୍ରାଥମିକ ଆଲୋଚନା ପରେ ଏଥି ପାଇଁ ପ୍ର୍ରସ୍ତୁତି ଆରମ୍ଭ ହୋଇଛି।
ବର୍ତ୍ତମାନ କେବଳ ଏକମାତ୍ର ରାଜ୍ୟ ଭାବେ ରାଜସ୍ଥାନରେ ଗତ ଏକ ବର୍ଷ ହେବ ଏହିପରି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଯୋଜନାର ନାମ ରଖାଯାଇଛି ‘ଅନ୍ନପୂର୍ଣ୍ଣା ଭଣ୍ଡାର’। ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅତ୍ୟାଧୁନିକ ତଥା ଲୋକାଭିମୁଖୀ କରିବାକୁ ରାଜସ୍ଥାନ ସରକାର ଦେଶରେ ପ୍ରଥମ ଥର ପାଇଁ ଏପରି ଏକ ଅଭିନବ ପରିକଳ୍ପନା କରିଥିଲେ। ରାଜସ୍ଥାନର ୫୦୦୦ କଣ୍ଟ୍ରୋଲ୍ ଦୋକାନରେ ଏହା ଲାଗୁ କରାଯାଇଛି। ରିଟେଲ୍ ବ୍ୟବସାୟ କରୁଥିବା ଏକ ଘରୋଇ ସଂସ୍ଥା ସହଯୋଗରେ ପିପିପି ମୋଡ୍ରେ ଯୋଜନାଟି ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି।
ଓଡ଼ିଶାରେ ଏହି ଢାଞ୍ଚାରେ ନୂଆ ଯୋଜନା ପାଇଁ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ ରାଜ୍ୟରେ ୧୨,୬୩୪ କଣ୍ଟ୍ରୋଲ୍ ଦୋକାନ(ଫେୟାର ପ୍ରାଇସ୍ ସପ୍) ରହିଛି। ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ମିଳୁଥିବା ଚାଉଳ, ଗହମ ଏଠାରେ ବିକ୍ରି କରାଯାଉଛି। କେବଳ ହିତାଧିକାରୀମାନେ ଏହି ସାମଗ୍ରୀ ପାଉଛନ୍ତି। ପୂର୍ବରୁ ପ୍ରତି ମାସରେ ହିତାଧିକାରୀମାନେ ମାସିକିଆ ଚାଉଳ, ଗହମ ନେଉଥିଲା ବେଳେ ଏବେ ଦୁଇ ମାସର କୋଟା ଥରକରେ ନେଉଛନ୍ତି।
ପ୍ରସ୍ତାବିତ ଯୋଜନା ଅନୁଯାୟୀ ଏହା ପିପିପି ମୋଡ୍ରେ କାର୍ଯ୍ୟକାରୀ କରାଯିବ। କଣ୍ଟ୍ରୋଲ୍ ଦୋକାନଗୁଡ଼ିକୁ ଏକ ପ୍ରକାର ମିନି ମଲ୍ରେ ପରିଣତ କରାଯିବ। ସାଧାରଣ ଲୋକ ହାତ ପାହାନ୍ତାରେ ବିଭିନ୍ନ ବ୍ରାଣ୍ଡେଡ୍ କମ୍ପାନିର ସାମଗ୍ରୀ ପାଇପାରିବେ। ରିଟେଲ୍ ବ୍ୟବସାୟରେ ପ୍ରତିଷ୍ଠିତ ଥିବା ସଂସ୍ଥା ସହ ସରକାର ଚୁକ୍ତି କରିବେ। ସେହି ସଂସ୍ଥା ସିଧାସଳଖ କଣ୍ଟ୍ରୋଲ୍ ଦୋକାନଗୁଡ଼ିକୁ ସାମଗ୍ରୀ ଯୋଗାଇବ। ଡିଲର୍ମାନେ ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ନେବେ। କେଉଁ କେଉଁ ସାମଗ୍ରୀ ଉପଲବ୍ଧ ହେବ, ତାହାର ଏକ ତାଲିକା ନିର୍ଦ୍ଦିଷ୍ଟ ଭାବେ ପ୍ରସ୍ତୁତ କରାଯିବ। ସଂପୃକ୍ତ କମ୍ପାନି ତା’ର ଦର ନିର୍ଦ୍ଧାରଣ କରିବ। ପ୍ରତିଟି ସାମଗ୍ରୀର ବିକ୍ରି ଉପରେ ଡିଲର୍ କେତେ ପ୍ରତିଶତ କମିସନ୍ ରଖିବେ, ତାହା ମଧ୍ୟ ଆଗୁଆ ସ୍ଥିର ହେବ। କୌଣସି ସାମଗ୍ରୀ ଉପରେ ସରକାରୀ ରିହାତି ମିଳିପାରିବ ନାହିଁ। ସାଧାରଣ ଲୋକ କଣ୍ଟ୍ରୋଲ୍ ଦୋକାନରେ ଭଲ ବ୍ରାଣ୍ଡ୍ର ଜିନିଷ ଉଚିତ ଦାମ୍ରେ ପାଇବେ, ସେ ନେଇ ଗ୍ୟାରେଣ୍ଟି ଦିଆଯିବ। ବିଶେଷ କରି ଗ୍ରାମାଞ୍ଚଳ ଲୋକମାନେ ଏହା ଦ୍ୱାରା ଅଧିକ ଉପକୃତ ହେବେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଉଛି।
ତେବେ ଡିଲର୍ମାନେ ସେଠାରେ ଚାଉଳ, ଗହମ ବିକ୍ରି କରିପାରିବେ ନାହିଁ। ଯେହେତୁ ଖାଦ୍ୟ ସୁରକ୍ଷା ଆଇନ୍ର ହିତାଧିକାରୀଙ୍କୁ ସେଠାରେ ଚାଉଳ, ଗହମ ମିଳୁଛି, ତେଣୁ ଏହି ଦୁଇଟି ସାମଗ୍ରୀ ବିକ୍ରି ଉପରେ କଟକଣା ଜାରି କରାଯିବ। ପରୀକ୍ଷାମୂଳକ ଭାବେ କିଛି ହାତଗଣତି କଣ୍ଟ୍ରୋଲ୍ ଦୋକାନରେ ଏହା ଲାଗୁ କରାଯିବ। ପରବର୍ତ୍ତୀ ସମୟରେ ଆଗ୍ରହୀ ଡିଲର୍ମାନେ ଏହି ଯୋଜନାର ସୁବିଧା ନେଇପାରିବେ।