ଭୁବନେଶ୍ବର: ଚଳିତବର୍ଷ ଖରାକୁ ନଜରରେ ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ସକାଳ ୭ଟାରୁ ୧୦ ଓ ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବଣ୍ଟନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏ ସଂକ୍ରାନ୍ତରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇଛି।

Advertisment

ସେହିପରି ହିତାଧିକାରୀଙ୍କ ପାଇଁ ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକରେ ଅସ୍ଥାୟୀ ଆଶ୍ରୟସ୍ଥଳୀ, ପାନୀୟ ଜଳ, ଓଆରଏସ୍‌ ମହଜୁଦ ଭଳି ବ୍ୟାପକ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଇଛି। ଚାଉଳ ଉଠାଣ ଓ ବିତରଣ କେନ୍ଦ୍ରଗୁଡ଼ିକରେ ନିୟୋଜିତ ଶ୍ରମିକଙ୍କ ପାଇଁ ପାନୀୟ ଜଳ ଓ ଓଆର୍‌ଏସ୍‌ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି। ହିତାଧିକାରୀ ଓ ନିୟୋଜିତ ଶ୍ରମିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସରକାରୀ ସୁଲଭ ମୂଲ୍ୟ ଦୋକାନ ଓ ଚାଉଳ ବିତରଣ କେନ୍ଦ୍ରଗୁଡ଼ିକରେ ଆବଶ୍ୟକୀୟ ସୂଚନା ପତ୍ର ବଣ୍ଟନ ଓ ପୋଷ୍ଟର ଲଗାଇବା ପାଇଁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।