ପୁରୀ: ଏପ୍ରିଲ ୪ରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଭଣ୍ଡାର ଘର ସ୍ଥିତି ଯାଞ୍ଚ ପାଇଁ ୧୦ ଜଣିଆ ଟିମ୍ ରତ୍ନଭଣ୍ଡାର ଘର ଭିତରକୁ ଯିବେ । ଶ୍ରୀଜିଉଙ୍କ ମଧ୍ୟାହ୍ଣ ଧୂପ ଓ ଭୋଗ ମଣ୍ଡପ ଉଠିବା ପରେ ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୁଚନା ମୂତାବକ ମଧ୍ୟାହ୍ଶ ପ୍ରାୟ ୨ଟା ବେଳକୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଛି। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ।
ସୂଚନାଯୋଗ୍ୟ, ଗତକାଲି ଶ୍ରୀଜିଉଙ୍କ ମଧ୍ୟାହ୍ନ ଧୂପ ଓ ଭୋଗ ମଣ୍ଡପ ଉଠିବା ପରେ ରତ୍ନଭଣ୍ଡାର ଯାଞ୍ଚ ହେବ। ଭଣ୍ଡାର ଭିତରକୁ ପୂର୍ବ-ନିର୍ଦ୍ଧାରିତ ଏକ ୧୦ ଜଣିଆ ଟିମ୍ ଯିବେ। ଏହି ଦଳରେ ଗଜପତିଙ୍କ ପ୍ରତିନିଧି, ଏଏସ୍ଆଇର ତିନି ଜଣ କର୍ମଚାରୀ, ଭଣ୍ଡାର ମେକାପ, ଭଣ୍ଡାର ନାୟକ ଓ ୫ ଜଣ ସେବାୟତ ପ୍ରତିନିଧି ସାମିଲ ରହିବେ। ରତ୍ନଭଣ୍ଡାରକୁ ଯିବା ସମୟରେ ଯାଞ୍ଚଦଳର ସଦସ୍ୟମାନେ କେବଳ ଧୋତି ଗାମୁଛା ପିନ୍ଧିବେ। ସେମାନଙ୍କ ଶରୀରରେ କୌଣସି ଅଳଙ୍କାର କିମ୍ବା ଧାତୁ ଦ୍ରବ୍ୟ ରହିବ ନାହିଁ। ସେମାନଙ୍କ ଶରୀରକୁ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ କରାଯିବା ସହିତ ବଡି ସ୍କାନିଂ ହେବା ପରେ ରତ୍ନଭଣ୍ଡାର ଭିତରୁ ଛଡ଼ା ଯିବ।
ଯାଞ୍ଚ ସମୟରେ ମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିବ। ୨ଟି ପ୍ଲାଟୁନ୍ ପୁଲିସ ମନ୍ଦିର ଭିତରେ ଓ ୨ ପ୍ଲାଟୁନ୍ ବାହାରେ ମୁତୟନ ହେବେ । ଏହି ସମୟରେ ଅର୍ଥାତ୍ ୨ ଘଣ୍ଟା କାଳ ସାଧାରଣ ଦର୍ଶନ ମନ୍ଦିର ରହିବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଭିତର ସ୍ଥିତିର ଭିଡିଓଗ୍ରାଫି ହେବ, କିନ୍ତୁ କୌଣସି ଅଳଙ୍କାର ଭିଡିଓଗ୍ରାଫି କରାଯିବ ନାହିଁ। ଏ ନେଇ ବିଶେଷ ଧ୍ୟାନ ରଖାଯାଇଛି ।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯାଞ୍ଚ କରିବା ପରେ ଏଏସ୍ଆଇର ବିଶେଷଜ୍ଞମାନେ ତତ୍କାଳ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।