ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା : ତଦନ୍ତ କମିସନଙ୍କ ସତ୍ୟପାଠ ଆହ୍ଵାନ

କଟକ : ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାଶ କମିସନ୍‌ଙ୍କ ପକ୍ଷରୁ ସତ୍ୟପାଠ ଆହ୍ଵାନ କରାଯାଇଛି। କଟକ ସର୍କିଟ ହାଉସଠାରେ କମିସନଙ୍କ କାର୍ଯ୍ୟାଳୟ ଆରମ୍ଭ ହୋଇଥିବା ବେଳେ ଟର୍ମ ଅଫ୍‌ ରେଫରେନ୍ସ ଆଧାରରେ ଜନସାଧାରଣ, ବିଭିନ୍ନ ଅନୁଷ୍ଠାନ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ଅଧିକାରୀଙ୍କ ନିକଟରୁ ପ୍ରସ୍ତାବ ଆହ୍ଵାନ କରାଯାଇଛି। ଏହି ଅବସରରେ ଜଷ୍ଟିସ ଦାଶ ସୂଚନା ଦେଇ କହିଛନ୍ତି ଯେ ତଦନ୍ତର ଟର୍ମ ଅଫ୍‌ ରେଫରେନ୍‌ସକୁ ଆଧାର କରି ସତ୍ୟପାଠ ଆହ୍ଵାନ କରାଯାଇଛି। ଖବର କାଗଜରେ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଟର୍ମ ଅଫ୍‌ ରେଫରେନ୍ସରେ ରହିଥିବା ପ୍ରସଂଗ ସଂପର୍କରେ ଯେଉଁମାନଙ୍କର କିଛି ଜ୍ଞାନ ଅଛି ସେମାନେ ସତ୍ୟପାଠ ଦାଖଲ କରନ୍ତୁ। ଜୁଲାଇ ୨୫ ତାରିଖ ସୁଦ୍ଧା ଆଗ୍ରହୀ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ସେମାନଙ୍କ ମତାମତ ବା ପ୍ରସ୍ତାବ ସତ୍ୟପାଠ ମାଧ୍ୟମରେ କମିସନଙ୍କ ନିକଟରେ ଦାଖଲ କରିବେ। ଏହା ପରେ ସତ୍ୟପାଠ ଅନୁଧ୍ୟାନ କରାଯିବ ଓ ଜୁଲାଇ ୩୦ରେ ପୁରୀଠାରେ କମିସନଙ୍କ ବୈଠକ ବସିବ। ଶୀଘ୍ର ତଦନ୍ତ ସାରିବା ଉପରେ ଗୁରୁତ୍ୱାରୋପ କରାଯାଉଛି ବୋଲି ଜଷ୍ଟିସ ଦାଶ କହିଛନ୍ତି।

କମିସନଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ରତ୍ନ ଭଣ୍ଡାର ଚାବି ହଜିବାର ପୂର୍ବବର୍ତ୍ତୀ ଘଟଣା, ପରିସ୍ଥିତିର ଯାଞ୍ଚ, କେଉଁମାନେ ଏଥିପାଇଁ ଉତ୍ତରଦାୟୀ, ଏହି ପ୍ରସଂଗରେ କେଉଁ ବ୍ୟକ୍ତିବିଶେଷ, ଗୋଷ୍ଠୀ, ପଦାଧିକାରୀଙ୍କ ଭୂମିକା ରହିଛି ଓ ଏପରି ଘଟଣାର ଯେପରି ପୁନରାବୃତ୍ତି ନ ହେବ ସେଥି ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସଂପର୍କରେ ତଦନ୍ତ କରାଯିବ। ଯେଉଁ ମାନେ ଏହି ପ୍ରସଂଗ ସଂପର୍କରେ ମତାମତ ଦେବାକୁ ଚାହୁଁଛନ୍ତି ସେମାନେ କମିସନଙ୍କ କଟକ ସର୍କିିଟ ହାଉସସ୍ଥିତ କାର୍ଯ୍ୟାଳୟ ସହିତ ପୁରୀ ଏଡିଏମଙ୍କ ନିକଟରେ ସିଧାସଳଖ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୪ଟା ମଧ୍ୟରେ ସତ୍ୟାପଠ ଦାଖଲ କରି ପାରିବେ। ଯଦି ମତାମତ କୌଣସି ତଥ୍ୟ ଉପରେ ଅଧାରିତ ତେବେ ସେହି ତଥ୍ୟ ସଂପୃକ୍ତ ବ୍ୟକ୍ତି କେଉଁଠାରୁ ପାଇଛନ୍ତି ସେ ସଂପର୍କରେ ସ୍ପଷ୍ଟ କରିବେ। ମତାମତ ଦେଉଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ସଂପୂର୍ଣ୍ଣ ଠିକଣା, ଯୋଗାଯୋଗ ନମ୍ବର ଓ ଇ-ମେଲ ଠିକଣା ଉଲ୍ଲେଖ କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଂଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତନନ୍ତ ପାଇଁ ସରକାର ଘୋଷଣା କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ କମିସନଙ୍କ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୨୦୧୮, ଜୁନ୍‌ ୮ରେ ଗୃହ ବିଭାଗ ପକ୍ଷରୁ ତଦନ୍ତର ଟର୍ମ ଅଫ୍‌ ରେଫରେନ୍ସ ପ୍ରକାଶ ପାଇଥିଲା। ୩ ମାସ ଭିତରେ କମିସନ୍‌ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ବିଜ୍ଞପ୍ତି ପ୍ରକାଶ କରି କମିସନ୍‌ ସତ୍ୟପାଠ ଆହ୍ଵାନ କରିଥିବା ବେଳେ ଆଜି ଜଗନ୍ନାଥ ସେନା ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। କଟକଠାରେ କମିସନଙ୍କ କାର୍ଯ୍ୟାଳୟକୁ ଜଗନ୍ନାଥ ସେନା ପକ୍ଷରୁ ବିରୋଧ କରାଯାଇଛି। ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଏହି ସତ୍ୟପାଠ ଦାଖଲ କରି ପୁରୀଠାରେ କମିସନଙ୍କ କାର୍ଯ୍ୟାଳୟ ହେଉ ବୋଲି ଦାବି କରିଛନ୍ତି। ଏଥି ସହିତ ଏହି ସତ୍ୟପାଠରେ ଚାବି ହଜିବା ପ୍ରସଂଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର