ମୁଁ ଚାବି ରଖେ ନାହିଁ : ଗଜପତି, ୧୯୬୦ ପରଠୁ ଦାୟିତ୍ଵ ନେଇଛନ୍ତି ସରକାର

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ

ପୁରୀ : ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ମୁହଁ ଖୋଲିଛନ୍ତି। ଚାବି ହଜିବା ପ୍ରସଙ୍ଗରେ ତାଙ୍କୁ ଯୋଡ଼ା ଯାଉଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଏ ନେଇ ବିଦେଶରେ ଥାଇ ଗଜପତି ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ଯେ ଭିତର ରତ୍ନ ଭଣ୍ଡାର ଚାବି ତାଙ୍କ ପାଖରେ ରହେ ନାହିଁ। ୧୯୬୦ ପରଠୁ ଏହା ସରକାରଙ୍କ ଦାୟିତ୍ଵ। ପୂର୍ବରୁ ଯିଏ ଗଜପତି ମହରାଜା ରହୁଥିଲେ ତାଙ୍କ ପାଖରେ ଭିତର ଭଣ୍ଡାର ଚାବି ରହୁଥିଲା। ମାତ୍ର ୧୯୬୦ରେ ଓଡ଼ିଶା ସରକାର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ଵ ନେବା ପରଠାରୁ ଚାବି କ୍ଷେତ୍ରରେ ତାଙ୍କର କୌଣସି ଭୂମିକା ନାହିଁ। ୧୯୫୫ ଶ୍ରୀମନ୍ଦିର ଆଇନ ମୁତାବକ ୧୯୬୦ରେ ସରକାର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ଵ ନେଇଥିଲେ। ବର୍ତ୍ତମାନର ଗଜପତିଙ୍କ ପିତା ବୀରକିଶୋର ଦେବଙ୍କ ସମୟରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ଵ ସରକାରଙ୍କ ହାତକୁ ଯାଇଥିଲା। ସେହିଦିନରୁ ଭିତର ଭଣ୍ଡାର ଚାବି ତାଙ୍କ ପାଖକୁ ଆସେ ନାହିଁ। କେବଳ ବାହାର ଭଣ୍ଡାର ତିନୋଟି ଚାବିରୁ ଗୋଟିଏ ଚାବି ତାଙ୍କ ପାଖରେ ଥାଏ। ଅନ୍ୟ ଦୁଇଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଭଣ୍ଡାର ମେକାପଙ୍କ ପାଖରେ ଥାଏ। ଦରକାର ବେଳେ ସେ ତାଙ୍କ ପ୍ରତିନିଧିଙ୍କୁ ପଠାଇଥାନ୍ତି। ମାତ୍ର ଭିତର ଭଣ୍ଡାର ଚାବି ୧୯୬୦ ପରେ ଗଜପତିଙ୍କ କର୍ତୃତ୍ଵରେ ନାହିଁ ବୋଲି ମହାରାଜା ସ୍ପଷ୍ଟ କରିଛନ୍ତି। ସେ କେବଳ ପରିଚାଳନା କମିଟିର ଅଧ୍ୟକ୍ଷ ହିସାବରେ ବୈଠକରେ ଅଧ୍ୟକ୍ଷତା କରନ୍ତି। ବୈଠକରେ ଦସ୍ତଖତ କରିବା ତାଙ୍କ କ୍ଷମତା ପରିସରଭୁକ୍ତ ବୋଲି କହିଛନ୍ତି। କେବଳ ଏତିକି କ୍ଷମତାକୁ ବାଦ ଦେଲେ ସେ ଜଣେ ସାଧାରଣ ସଭ୍ୟ ଭଳି କାମ କରିଥାନ୍ତି। ଚାବି ହଜିବା ପ୍ରସଙ୍ଗରେ ଦଇତାପତି ନିଯୋଗର ସଭାପତି ରାମକୃଷ୍ଣ ଦାସ ମହାପାତ୍ର ଚାବି ସହିତ ଗଜପତିଙ୍କୁ ଯୋଡିବା ଦୁର୍ଭାଗ୍ୟଜନକ ବୋଲି ମହରାଜା ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି। ଚାବି ରଖିବା ଗଜପତିଙ୍କ ଦାୟିତ୍ଵ ନୁହେଁବୋଲି କହିଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୬୦ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଭିତର ରତ୍ନ ଭଣ୍ଡାର ତାଲା ବନ୍ଦ ହେବା ପରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏହାକୁ ନେଇ ଉପଯୁକ୍ତ ସରକାରୀ ଟ୍ରେଜେରିରେ ଦାଖଲ କରିବେ। ଭିତର ରତ୍ନ ଭଣ୍ଡାର ଚାବି ଗଜପତି ମହାରାଜାଙ୍କୁ ପ୍ରଦାନ କରା ଯାଉନଥିବାବେଳେ ଦଇତା ନିଯୋଗ ସଭାପତିଙ୍କ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି। ଗଜପତି ସ୍ପଷ୍ଟୀକରଣରେ ଉଲ୍ଲେଖ କରିଛନ୍ତି ଯେ, ଗତ ଏପ୍ରିଲ ୪ ତାରିଖ ଭୁବନେଶ୍ୱର ବୈଠକରେ ଚାବି ହଜିବା ପ୍ରସଙ୍ଗକୁ ନେଇ ସେ ଆଲୋଚନା କରିଥିଲେ। ଏ ନେଇ ସେ ଚାବି ଖୋଜିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

ଆଉ ଏକ ଜନସ୍ୱାର୍ଥ ମାମଲା

କଟକ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଆଉ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ ରତ୍ନ ଭଣ୍ଡାର ଚାବି ହଜିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ହୋଇଥିବା ବେଳେ ପ୍ରଥମେ ଏହାକୁ ହାଲ୍‌କା ଭାବେ ଗ୍ରହଣ କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲାପାଳଙ୍କ ଅବହେଳା ପାଇଁ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ସମସ୍ତ ଘଟଣାର ତଦନ୍ତ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା କରାଗଲେ ପ୍ରକୃତ ରହସ୍ୟ ପଦାକୁ ଆସିବ। ଏହି ପ୍ରସଂଗ ସହିତ ସମସ୍ତ ଓଡ଼ିଶାବାସୀଙ୍କ ସମେତ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଜଡିତ। ଚାବି ନ ମିଳିବା ଦ୍ୱରା ରତ୍ନ ଭଣ୍ଡାରର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଚାବି ମିଳୁ ନଥିବା ତାଲାକୁ ଭାଙ୍ଗିବା ବଡ କଥା ନୁହେଁ। କିନ୍ତୁ ପରମ୍ପରାକୁ ଆଖିରେ ରଖି ଏପରି କରାଯିବା ଗ୍ରହଣୀୟ ନୁହେଁ। ବର୍ତ୍ତମାନର ପରିସ୍ଥିତିରେ ଘଟଣାର ଯଥା ଶୀଘ୍ର ତଦନ୍ତ କରି ଏପରି ପରିସ୍ଥିତି ପାଇଁ ଦାୟୀ ଅଧିକାରୀ ଓ ଅନ୍ୟ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ଆଇନ ସଚିବ, ମୁଖ୍ୟ ଶାସନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର