ଗୃହରେ ଉଠିଲା ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ

ଭୁବନେଶ୍ୱର : ଆଜି ବିଧାନସଭାର ଶୂନ୍ୟକାଳରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠିଥିଲା। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପାଇଁ ତଦନ୍ତ କମିସନ୍‌ ନିଯୁକ୍ତି କରାଯାଇଛି। ଇତି ମଧ୍ୟରେ କମିସନ୍‌ ନିଯୁକ୍ତି ହେବାର ତିନି ମାସ ବିତିଗଲାଣି। କମିସନ୍‌ ନିଜ କାର୍ଯ୍ୟକାଳ ବଢ଼ାଇବାକୁ ସରକାରଙ୍କୁ ଚିଠି ଲେଖିଛନ୍ତି। ଏହା କୌଣସି ତଦନ୍ତ ଇତିହାସରେ ସମ୍ଭବତଃ ପ୍ରଥମ। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟବାସୀ ଅନ୍ଧାରରେ ଅଛନ୍ତି। ଜଗନ୍ନାଥ କୌଣସି ରାଜନୈତିକ ଦଳର ନୁହେଁ, ବରଂ ସମଗ୍ର ଓଡ଼ିଆ ଜାତିର। ଲୋକ ଏ ଘଟଣାର ସତ୍ୟତା ଜାଣିବାକୁ ଚାହୁଁଛନ୍ତି। ତେଣୁ ସରକାର କ’ଣ ତଦନ୍ତ କଲେ, ତାହାର ତଥ୍ୟ ଦେବାକୁ ଶ୍ରୀ ସିଂହଦେଓ ଦାବି କରିଥିଲେ।

ସମ୍ବନ୍ଧିତ ଖବର