ରତ୍ନଭଣ୍ଡାରକୁ ପ୍ରବେଶ ନେଇ ବଢ଼ିଲା ଉତ୍କଣ୍ଠା, ଧୋତି-ଗାମୁଛା ଓ ମୁଣ୍ଡରେ ଲାଇଟ ଲଗାଇ ଯିବେ ଟିମ୍‌

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ନେଇ କିଛି ଦିନ ହେବ ରାଜ୍ୟରେ ଯୋରଦାର ଆଲୋଚନା ହେଉଛି। ଏ ନେଇ ଗତ ମାର୍ଚ୍ଚ ୨୨ରେ ହାଇକୋର୍ଟରୁ ନିର୍ଦ୍ଦେଶ ମଳିବା ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ରତ୍ନଭଣ୍ଡାରକୁ ପ୍ରତ୍ନତତ୍ତ୍ୱ ବିଭାଗ, କୋର କମିଟି ସଦସ୍ୟ ଓ ସେବାୟତ ପ୍ରବେଶ କରିବେ। ସେମାନେ ଧୋତି ଓ ଗାମୁଛା ବ୍ୟତୀତ ଦେହରେ କୌଣସି ଅଳଙ୍କାର, ମୁଦି କିମ୍ବା ପ୍ରସାଧନ ସାମଗ୍ରୀ ପିନ୍ଧି ପାରିବେ ନାହିଁ। କେବଳ ଚଷମା ବ୍ୟବହାରକୁ ଅନୁମତି ଦିଆଯିବ। ସେହିଭଳି ଖଣି ଅଞ୍ଚଳରେ ବ୍ୟବହାର ହେଉଥିବା ଏଲଇଡି ଲାଇଟ ମୁଣ୍ଡରେ ଲଗାଇବାକୁ ବ୍ୟବସ୍ଥା କରାଯିବ। ସେହିଭଳି ସୁରକ୍ଷା ଦୃଷ୍ଟିରୁ ଆଗରୁ ସତର୍କ ପ୍ରତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ। ଏହି ସମୟରେ ବାହାରେ ଆମ୍ବୁଲାନ୍ସ, ଡାକ୍ତର ଓ ସ୍ନେକ ହେଲ୍ପଲାଇନ ଉପଲବ୍ଧ ରହିବ।

ମାର୍ଚ୍ଚ ୨୮ ସନ୍ଧ୍ୟା ୫ଟାରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ। ସେହିପରି ମାର୍ଚ୍ଚ ୨୯ରେ ଛତିଶା ନିଯୋଗର ବୈଠକ ବସିବ। ଉଭୟ କମିଟିରେ ହେବାକୁଥିବା ନିଷ୍ପତ୍ତି ନେଇ ରତ୍ନଭଣ୍ଡାର ଯାଞ୍ଚ କିଭଳି ହେବ, ସେ ନେଇ ରୂପରେଖ ପ୍ରସ୍ତୁତ କରାଯିବ।

ରତ୍ନଭଣ୍ଡାରକୁ ନେଇ ଅନେକ କିମ୍ବଦନ୍ତି ରହିଛି। ଏହାରି ଭିତରକୁ ବିଷଧର ସାପ ଜଗି ରହିଛନ୍ତି ବୋଲି ପୂର୍ବ ପୁରୁଷମାନେ କୁହନ୍ତି। କୁହାଯାଇଥାଏ ଯେ, ଶ୍ରୀଲୋକନାଥ ହେଉଛନ୍ତି ପୁରୀର ଚଳନ୍ତି ପ୍ରତିମା। ଭଗବାନ ଶିବଙ୍କର ପ୍ରିୟ ପଦାର୍ଥ ନାଗ ସାପ ହୋଇଥିବାରୁ ରତ୍ନଭଣ୍ଡାରରେ ଅନେକ ବିଷଧର ନାଗସାପ ଥାଇ ପାରନ୍ତି। ୧୯୭୮ରେ ଯେତେବେଳେ ରତ୍ନଭଣ୍ଡାର ଖୋଲା ଯାଇଥିଲା, ସେହି ସମୟରେ ମଧ୍ୟ ଅନେକଗୁଡ଼ିଏ ବିଷଧର ସାପ ବାହାରିଥିଲେ। ତେଣୁ ରତ୍ନଭଣ୍ଡାରକୁ ପ୍ରବେଶ ବେଳେ ସ୍ନେକ ହେଲପ୍‌ଲାଇନ ଦଳକୁ ଡକାଯିବ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କ ଅନୁମତି ମଗାଯାଇଛି। ଅନୁମତି ମିଳିବା ପରେ ରତ୍ନଭଣ୍ଡାର ଯାଞ୍ଚ ହେବ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ୨ରୁ ୩ ଦିନ ଭିତରେ ରତ୍ନଭଣ୍ଡାର ପ୍ରବେଶ ପାଇଁ ସରକାର ଅନୁମତି ଦେଇ ପାରନ୍ତି କିନ୍ତୁ ଛତିଶା ନିଯୋଗ ବୈଠକ ପରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ।

ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଶା ଯେ, ଏଏସ୍‌ଆଇ ଟିମ୍‌ ରତ୍ନଭଣ୍ଡାରକୁ ଯିବ କି? ଏପର୍ଯ୍ୟନ୍ତ ରତ୍ନଭଣ୍ଡାରର ବାହାର ପାଖ ଯାଞ୍ଚ ହୋଇଛି। ଶ୍ରୀମନ୍ଦିର କୋର କମିଟିର ୬ ଜଣ ଓ ଏଏସଆଇର ୩ଜଣ ସଦସ୍ୟ ମାର୍ଚ୍ଚ ୨୬ରେ ରତ୍ନ ଭଣ୍ଡାରର ବାହାର ପାଖ ଯାଞ୍ଚ କରିଛନ୍ତି। ଉଭୟ କମିଟିର ୯ ଜଣ ସଦସ୍ୟ ଇଟା ଓ ସମେଣ୍ଟ କେତେ ମଜବୁତ ଅଛି ଯାଞ୍ଚ କରିଛନ୍ତି।

ସମ୍ବନ୍ଧିତ ଖବର