ପୁରୀ: ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ଏବେ ନୁହେଁ। ୨୦୨୪ ମସିହା ରଥଯାତ୍ରା ସମୟରେ ଭିତର ରତ୍ନଭଣ୍ଡାର ଖୋଲାଯିବ। ଏହା ପୂର୍ବରୁ ଏକ କମିଟି ଗଠନ କରି ଏହା ଜରିଆରେ ଅତ୍ୟାଧୁନିକ ପ୍ରଣାଳୀରେ ଭିତର ରତ୍ନଭଣ୍ଡାର ବାହାର ପାର୍ଶ୍ବ ଅନୁଧ୍ୟାନ କରାଯିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଆଧାରରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ ବୋଲି ଶ୍ରୀମନ୍ଦିର ଉପ-ମୁଖ୍ୟପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଅନ୍ୟପଟେ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରତ୍ନଭଣ୍ଡାର ଖୋଲିବା ଏତେ ବିଳମ୍ବ କରାଯାଉଛି ବୋଲି ଚର୍ଚ୍ଚା ଜୋର୍ ଧରିଲାଣି। ନିର୍ବାଚନ ପୂର୍ବରୁ ଖୋଲିଦେଲେ, କାଳେ କିଛି ଅଡ଼ୁଆ ସ୍ଥିତି ଉପୁଜିବ, ସେଥିପାଇଁ ନିର୍ବାଚନ ସରିବା ପରେ ଯାଇ ରତ୍ନଭଣ୍ଡାର ଖୋଲିବାକୁ ଯୋଜନା ହୋଇଛି ବୋଲି ବିଭିନ୍ନ ମହଲରେ ଆଲୋଚନା ଜୋର୍ ଧରିଛି।
ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଆଜି ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ରତ୍ନଭଣ୍ଡାର, ବନକଲାଗି, ଚାରିଦ୍ବାର ଖୋଲିବା ଆଦି ପ୍ରମୁଖ ପ୍ରସଙ୍ଗ ରହିଥିଲା। ବୈଠକ ପରେ ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଶ୍ରୀମନ୍ଦିର ପ୍ରଶାସନକୁ ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଚିଠି ଲେଖିଥିଲା। ଏହା ଉପରେ ବିସ୍ତୃତ ଆଲୋଚନା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ୨୦୧୮ ମସିହାରେ ପ୍ରତ୍ନତତ୍ତ୍ବ ବିଭାଗ ଏକ ରିପୋର୍ଟ ଦେଇଥିଲା, ଯେଉଁଥିରେ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଅନୁମତି ମଗାଯାଇଥିଲା। ଏଣୁ ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିକୁ ଆଖି ଆଗରେ ରଖି ୨୦୨୪ ରଥଯାତ୍ରା
ସମୟରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ପରିଚାଳନା କମିଟି ନିଷ୍ପତ୍ତି ନେଇଛି। ଏହି ସମୟରେ ଠାକୁର ଶ୍ରୀମନ୍ଦିରରେ ନ ଥିବେ ଓ ରତ୍ନଭଣ୍ଡାରର ଅନୁଧ୍ୟାନ ସୁବିଧା ହେବ। ସେହି ଅନୁସାରେ ରାଜ୍ୟ ସରକାରଙ୍କ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି ସୁପାରିସ କରିବ। କିନ୍ତୁ ଏଏସ୍ଆଇ ରଥଯାତ୍ରା ସମୟରେ ଭିତର ରତ୍ନଭଣ୍ଡାର ଅନୁଧ୍ୟାନ ବେଳେ ଏହାର ସୁପରିଚାଳନା ପାଇଁ ସୁପ୍ରିମକୋର୍ଟ ଅବା ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ପରିଚାଳନା କମିଟି ପ୍ରସ୍ତାବ ଦେଇଛି। ଏହି ଅନୁଧ୍ୟାନ ପୂର୍ବରୁ ବି ଖୁବ୍ଶୀଘ୍ର ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ, ସେବାୟତ, ଶ୍ରୀମନ୍ଦିର ବରିଷ୍ଠ ଇଂଜିନିୟରମାନଙ୍କୁ ନେଇ ଏକ କମିଟି ଗଠନ କରିବା ସହ ଭିତର ରତ୍ନଭଣ୍ଡାରର ସ୍ଥିତାବସ୍ଥା ବାହାରୁ ଅନୁଧ୍ୟାନ କରିବାକୁ ପରିଚାଳନା କମିଟି ପ୍ରସ୍ତାବ ଦେଇଛି। ସେହି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସୁପାରିସ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି।
ଶ୍ରୀ ବର୍ମା କହିଛନ୍ତି, ମାସକୁ ଦୁଇଥର ବୁଧବାର ବନକଲାଗି କରିବାକୁ ପରିଚାଳନା କମିଟି ନିଷ୍ପତ୍ତି ନେଇଛି। ଯଦି ନୀତିକାନ୍ତି ରୁହେ, ତେବେ ଗୁରୁବାର ବନକଲାଗି ହେବ। ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେବ। ଚାରିଦ୍ବାର ଖୋଲିବା ଉପରେ ବି ଆଲୋଚନା ହୋଇଥିଲା। ଯେହେତୁ ପରିକ୍ରମା ପ୍ରକଳ୍ପ କାମ ଚାଲିଛି, ଧାଡ଼ି ବ୍ୟବସ୍ଥା କରିବାକୁ ଉତ୍ତର ଓ ଦକ୍ଷିଣଦ୍ବାରରେ ସ୍ଥାନାଭାବ ରହିଛି। ଏଣୁ ପରିକ୍ରମା ପ୍ରକଳ୍ପ ସରିବା ପରେ ଉତ୍ତର ଓ ଦକ୍ଷିଣ ଦ୍ବାର ଖୋଲିବା ନିଷ୍ପତ୍ତି ନିଆଯିବ। କିନ୍ତୁ ଏବେ ବାହାର ଭକ୍ତ ସିଂହଦ୍ବାର ଦେଇ ଓ ପୁରୀ ସହରର ଭକ୍ତ ପଶ୍ଚିମଦ୍ବାର ଦେଇ ଦର୍ଶନ ପାଇଁ ଯାଉଛନ୍ତି। ସେହି ବ୍ୟବସ୍ଥା ଜାରି ରହିବ। ଭକ୍ତମାନେ ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାରରେ ପ୍ରସ୍ଥାନ କରିପାରିବେ। ହରଚଣ୍ଡୀସାହିରେ ସେବକ ବାସଗୃହ ନିର୍ମାଣ କାମ ଆରମ୍ଭ ହୋଇସାରିଛି। ପାଇଲିଂ ଟେଷ୍ଟିଂ କାମ ଜାରି ରହିଛି। ୨୦୨୪ ସେପ୍ଟେମ୍ବର ଭିତରେ ଏହି କାମ ଶେଷ ହେବ। ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳରେ ଶ୍ରୀମନ୍ଦିର ପାରମ୍ପରିକ ଶିକ୍ଷାଦାନ ଉପରେ ସେବକ ପ୍ରତିନିଧିମାନେ ଗୁରୁତ୍ବ ଦେଇଥିଲେ। ଏହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଅଗଷ୍ଟ ୧୧ ତାରିଖରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳର ବୈଷୟିକ ବିଡ୍ ଖୋଲିବ ବୋଲି ଶ୍ରୀ ବର୍ମା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/s56fh465sfsfhfhsfh.jpg)