କଟକ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ। ରତ୍ନଭଣ୍ଡାର ଭିତରେ ଥିବା ମୂଲ୍ୟବାନ ସୁନା ଗହଣା ଓ ଅନ୍ୟ ସଂପତ୍ତିର ତାଲିକା ପ୍ରସ୍ତୁତ ସଂକ୍ରାନ୍ତରେ ତଦାରଖ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟଙ୍କ ୨୦୨୩ ସେପ୍ଟେମ୍ବର ୨୯ର ନିର୍ଦ୍ଦେଶ ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି ଏହି ଅଦାଲତ ଅବମାନନା ମାମଲା ଦାୟର ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ସମୟରେ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଦର୍ଶାଇଥିଲେ ଯେ ଇତିମଧ୍ୟରେ ରାଜ୍ୟ ସରକାର ଏ ସଂପର୍କିତ କମିଟି ଗଠନ କରି ସାରିଛନ୍ତି। କମିଟି ଗଠନ ସଂପର୍କିତ ୨୦୨୪ ମାର୍ଚ୍ଚ ୨ର ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ତରଫରୁ ହାଇକୋର୍ଟରେ ଆଜି ଉପସ୍ଥାପନ କରାଯାଇଥିଲା। ପୂର୍ବ ନିର୍ଦ୍ଦେଶ ପାଳନ କରି କମିଟି ଗଠନ କରାଯାଇଥିବା ପ୍ରସଂଗକୁ ହାଇକୋର୍ଟ ବିଚାରକୁ ନେଇ ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଶ୍ରୀମନ୍ଦିର ପରିଚାଳନା କମିଟି ରତ୍ନଭଣ୍ଡାର ଭିତରେ ଥିବା ସଂପତ୍ତିର ତାଲିକା ପ୍ରସ୍ତୁତ ପ୍ରସଂଗ ତଦାରଖ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ଲାଗି ଯଦି ଅନୁରୋଧ କରେ ତେବେ ସେହି ତାରିଖ ଠାରୁ ୬୦ ଦିନ ଭିତରେ ରାଜ୍ୟ ସରକାର ଏଭଳି କମିଟି ଗଠନ କରିବେ ବୋଲି ହାଇକୋର୍ଟ ୨୦୨୩ ସେପ୍ଟେମ୍ବର ୨୯ରେ ନିର୍ଦ୍ଦେଶ ଦେଇଥିଲେ। ରତ୍ନଭଣ୍ଡାର ଭିତରେ ଥିବା ଅଳଙ୍କାର ଓ ଅନ୍ୟ ସଂପତ୍ତିର ତାଲିକା ପ୍ରସ୍ତୁତ କରିବା କ୍ଷେତ୍ରରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଏହି ଉଚ୍ଚସ୍ତରୀୟ କମିଟି ସହଯୋଗ କରିବ ବୋଲି ହାଇକୋର୍ଟ କହିଥିଲେ। ଏହି ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ କରି ଶ୍ରୀ ମହାନ୍ତି ଅଦାଲତ ଅବମାନନା ମାମଲା ଗତ ଫେବ୍ରୁଆରିରେ ରୁଜୁ କରିଥିଲେ। ଆଇନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଓ ଉପମୁଖ୍ୟ ପ୍ରଶାସକଙ୍କୁ ଅଦାଲତ ଅବମାନନା ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା। ଏଥି ସହିତ ମୂଳ ରିଟ୍ ଆବେଦନରେ ପ୍ରଦାନ କରାଯାଇଥିବା ୨୦୨୩, ସେପ୍ଟେମ୍ବର ୨୯ର ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଂଗକୁ ନେଇ ଶ୍ରୀ ମହାନ୍ତି ଏକ ଅନ୍ତରୀଣ ଆବେଦନ ହାଇକୋର୍ଟରେ ଦାଖଲ କରିଥିଲେ। ଗତ ଫେବ୍ରୁଆରି ୧୬ରେ ଅନ୍ତରୀଣ ଆବେଦନର ଶୁଣାଣି ବେଳେ ୪ ସପ୍ତାହ ଭିତରେ ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯିବ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ସରକାରଙ୍କ ପ୍ରତିଶ୍ରୁତିକୁ ବିଚାରକୁ ନେଇ ହାଇକୋର୍ଟ ଏହି ମାମଲାର ଶୁଣାଣି ମାର୍ଚ୍ଚ ୧୫କୁ ଧାର୍ଯ୍ୟ କରିଥିଲେ। ଅନ୍ୟପକ୍ଷରେ ରତ୍ନ ଭଣ୍ଡାର ସଂପର୍କିତ ଉଚ୍ଚସ୍ତରୀୟ କମିଟି ମୁଖ୍ୟମନ୍ତ୍ରୀ ଗଠନ କରିଥିବା ନେଇ ଗତ ଫେବ୍ରୁଆରି ୨୯ରେ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ କମଟି ଗଠନ କରାଯାଇଥିଲା।