ଭୁବନେଶ୍ବର/ପୁରୀ: ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବନି। ଆଜି ଏହାକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଦୂର କରିବାକୁ ଯାଇ ରାଜ୍ୟ ସରକାର କହିଛନ୍ତି ଯେ ରତ୍ନଭଣ୍ଡାର ଖୋଲିବା ତାରିଖ ନେଇ ନିଷ୍ପତ୍ତି ହୋଇନି। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏଏସ୍ଆଇ ସୁପରିନ୍ଟେଣ୍ଡେଣ୍ଟ ଡି.ବି ଗଡ଼ନାୟକ ସୂଚନା ଦେଇଥିଲେ ଯେ ଜୁଳାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଏହାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ବିଜେପି ନେତା ଓ କର୍ମୀମାନେ ସାମାଜିକ ଗଣମାଧ୍ୟମରେ ବିଜେପି ତା’ର ପ୍ରତିଶ୍ରୁତି ରଖିଛି ବୋଲି ଉଲ୍ଲେଖ କରିଥିଲେ। ହେଲେ, ଏହାର କିଛିସମୟ ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ଯେ ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି। ଏହାପରେ ଆଇନ ବିଭାଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ କୁହାଯାଇଛି ଯେ ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ପ୍ରସ୍ତାବ ସରକାରଙ୍କର ହସ୍ତଗତ ହୋଇନାହିଁ।
ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ପିନାକ ମିଶ୍ର, ଶ୍ରୀମନ୍ଦିର ପରିଚାଳନ କମିଟି ସଦସ୍ୟ, ଏଏସ୍ଆଇ ଅଧୀକ୍ଷକ ଡ. ଗଡ଼ନାୟକ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ଡ. ଗଡ଼ନାୟକ କହିଥିଲେ, ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଖୋଲିବା ଉପରେ ଆଲୋଚନା ହୋଇଥିଲା। ଜୁଲାଇ ୮ରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଏସ୍ଆଇ ବୈଷୟିକ କମିଟି ଓ ରାଜ୍ୟ ସରକାରଙ୍କ ରତ୍ନଭଣ୍ଡାର କମିଟି ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ। ସେଦିନ ଅନୁଧ୍ୟାନ ପରେ କ’ଣ ପଦକ୍ଷେପ ନିଆଯିବ, ତା’ର ନୀତିଗତ ନିଷ୍ପତ୍ତି ନିଆଯିବ।
ଡ. ଗଡ଼ନାୟକ ଆହୁରି ମଧ୍ୟ କହିଥିଲେ, ୨୦୧୮ ମସିହା ରିପୋର୍ଟରେ ବି ଭିତର ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ଥିବା ଉଲ୍ଲେଖ କରାଯାଇଥିଲା। ଅନେକ ଜାଗାରେ ଫାଟ ରହିଥିବା, ପାଣି ଗଳୁଥିବା କଥା ଉଲ୍ଲେଖ ଥିଲା। ପଥର ସବୁ ଖଣ୍ଡଖଣ୍ଡ ହୋଇ ପଡ଼ିଥିଲା। ରଟ୍ ଆଇରନ୍ ମିଳୁନଥିବା ବି ଉଲ୍ଲେଖ ଥିଲା। ନଭେମ୍ବର ୨୮ରେ ରତ୍ନଭଣ୍ଡାର ବାହାର କାନ୍ଥ ଅନୁଧ୍ୟାନ ବେଳେ ବି କାନ୍ଥ ଓ କାନ୍ଥର ସଂଯୋଗ ସ୍ଥଳରେ ଫାଟ ରହିଥିବା ଜଣାପଡ଼ିଥିଲା। ଯେହେତୁ କାନ୍ଥ ଓ ଅନ୍ୟାନ୍ୟ ସ୍ଥାନରେ ଫାଟ ରହିଛି, ନିଶ୍ଚିତ ଭିତର ରତ୍ନଭଣ୍ଡାରରେ ପାଣି ପଶୁଥିବ ଓ ଆଗକୁ ବି ପଶିବ। ଆଗକୁ ମୌସୁମୀ ବର୍ଷା। ଏହାପୂର୍ବରୁ ଯଥାଶୀଘ୍ର ଆମକୁ ଆବଶ୍ୟକ ମରାମତି କାମ ସାରିବାକୁ ପଡ଼ିବ ଓ ଆବଶ୍ୟକ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଭିତର ରତ୍ନଭଣ୍ଡାର ଖୋଲି ଦେଖିବାପରେ ଯଦି ଆବଶ୍ୟକ ପଡ଼େ, ଭିତର ପାର୍ଶ୍ବର ଲେଜର ସ୍କାନିଂ କରାଯିବ। ଆମ କାମ ସଂରକ୍ଷଣ, ଆମେ ତୁରନ୍ତ ସଂରକ୍ଷଣ କାମ ଆରମ୍ଭ କରିବୁ। ବାକି ଅଳଙ୍କାର ଗଣତି ଓ ମଣତି ରତ୍ନଭଣ୍ଡାର କମିଟି ଦେଖିବ। ଯେହେତୁ ମରାମତି ପାଇଁ ଅଳଙ୍କାର ବାହାରିବା ଆବଶ୍ୟକ ପଡ଼ିପାରେ, ସେ ଉପରେ ପୁନର୍ବାର ରତ୍ନଭଣ୍ଡାର କମିଟି ସହ ବୈଠକ କରାଯିବ ବୋଲି ସେ କହିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ କହିଥିଲେ, ରତ୍ନଭଣ୍ଡାର ଉପରେ ବି ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି, ରତ୍ନଭଣ୍ଡାର କମିଟି ବୈଠକ କରି କେମିତି ଓ କିଭଳି ରତ୍ନଭଣ୍ଡାର ଖୋଲାଯିବ ନୀତିଗତ ନିଷ୍ପତ୍ତି ନେବ।
ରତ୍ନଭଣ୍ଡାର ଖୋଲାଯିବା ନେଇ ଏଏସ୍ଆଇ ସୁପରିନ୍ଟେଣ୍ଡେଣ୍ଟ୍ଙ୍କ ମନ୍ତବ୍ୟ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଚଳିତ ବର୍ଷ ଅଣସର ନୀତି ୧୩ ଦିନ ପଡ଼ୁଥିବାରୁ ଦୁଇଦିନରେ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷହେବ ବୋଲି ପୂର୍ବାନୁମାନ କରାଯାଉଥିବା ବେଳେ ଏଭଳି ସ୍ଥିତିରେ ଜୁଲାଇ ୮ ତାରିଖରେ କିଭଳି ରତ୍ନଭଣ୍ଡାର ଖୋଲାଯିବ, ତାକୁ ନେଇ କିଛି ମହଲରେ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ୮ ତାରିଖ ଦିନ ରତ୍ନଭଣ୍ଡାର ଖୋଲୁନାହିଁ ବୋଲି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/ratna-bhandara-20323.jpg)