ପୁରୀ: ଖୁବ୍‌ଶୀଘ୍ର ରତ୍ନଭଣ୍ଡାର ମରାମତି ସହ ଗଣତି ଓ ମଣତି ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଏସ୍‌ଓପି ପ୍ରସ୍ତୁତ ହୋଇସାରିଛି ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି। ଯେହେତୁ ଗଣତି ଓ ମଣତି ପୂର୍ବରୁ ରତ୍ନଭଣ୍ଡାରର ଦୀର୍ଘସ୍ଥାୟୀ ମରାମତି ଆବଶ୍ୟକ, ସେ ଉପରେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଛି ବୋଲି ଜଷ୍ଟିସ୍‌ ରଥ କହିଛନ୍ତି।

Advertisment

ଆଜି ପୂର୍ବାହ୍ଣରେ ଜଷ୍ଟିସ ରଥ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ବାଇଶି ପାହାଚରେ ବସି ପ୍ରାର୍ଥନା କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଜଷ୍ଟିସ ରଥ କହିଛନ୍ତି, ପୂର୍ବରୁ ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇସାରିଛି। ସେ ସମୟରେ ଠାକୁର ବାହାରେ ଥିଲେ। ଏବେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିଛନ୍ତି। ଏଣୁ ଆଗାମୀ ଦିନରେ ରତ୍ନଭଣ୍ଡାର କାମ ଯେଭଳି ସୁରୁଖୁରରେ ଶେଷ ହେବ, ଆଶୀର୍ବାଦ ନେଇଛି। ସେ କହିଛନ୍ତି, ଖୁବ୍‌ଶୀଘ୍ର ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ଓ ମଣତି ହେବ ବୋଲି ଆଇନ ମନ୍ତ୍ରୀ କହି ସାରିଛନ୍ତି। ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ଆମେ ସ୍ଥାନାନ୍ତର କରିସାରିଛୁ। ଏବେ ରତ୍ନଭଣ୍ଡାର ମରାମତି ପାଇଁ ପରବର୍ତ୍ତୀ ପ୍ରକ୍ରିୟା ଅଟକି ରହିଛି। ଆଇନମନ୍ତ୍ରୀ ବି ଏଏସ୍‌ଆଇକୁ ମରାମତି କାମରେ ତତ୍ପରତା ଦେଖାଇବାକୁ କହି ସାରିଛନ୍ତି। ନିଶ୍ଚିତ ସେ ଦିଗରେ ଏଏସ୍‌ଆଇ ତତ୍ପର ଥିବ। ବାକି ଗଣତି ଓ ମଣତି ପାଇଁ ଏସ୍‌ଓପି ଜାରି ହୋଇସାରିଛି। ସେହି ମାର୍ଗଦର୍ଶିକା ଅନୁସାରେ ଆମେ କାମ କରିବୁ। ଏହି ଅବସରରେ ସେ ଓଡ଼ିଶାବାସୀଙ୍କୁ ଧୈର୍ଯ୍ୟ ଧରିବାକୁ ଅନୁରୋଧ କରିଛନ୍ତି।

ଜଷ୍ଟିସ ରଥ କହିଛନ୍ତି, ଶ୍ରୀମନ୍ଦିର ମରାମତି କାମ ଆମକୁ ସଯତ୍ନ କରିବାକୁ ପଡ଼ିବ। ଶ୍ରୀମନ୍ଦିରରେ ହାତୁଡ଼ି, ସେଣୀ ଆଦି ବ୍ୟବହାର ହୋଇପାରିବନି। ରତ୍ନଭଣ୍ଡାରକୁ ଛାଡ଼ି ଶ୍ରୀମନ୍ଦିରର ସବୁ ଅଂଶ ମରାମତି ସରିଲାଣି। ଯେହେତୁ ରତ୍ନଭଣ୍ଡାର ଶ୍ରୀମନ୍ଦିରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ, ସୁକ୍ଷ୍ମ ଭାବେ ଏହାର ମରାମତି କରିବାକୁ ହେବ ଓ ପୂର୍ବସ୍ଥିତି ବଜାୟ ରଖିବାକୁ ପଡ଼ିବ, ଏହା ଉପରେ ଆମେ ଯଥେଷ୍ଟ ଗୁରୁତ୍ବ ଦେଉଛୁ। ଏମିତି ମରାମତି ଲକ୍ଷ୍ୟ ରଖିଛୁ, ଯେପରି ରତ୍ନଭଣ୍ଡାରର ଅସ୍ତିତ୍ବ ବଜାୟ ରହିବ ଓ ୧୦୦ ବର୍ଷ ପାଇଁ ଦୀର୍ଘସ୍ଥାୟୀ କାମ ହେବ। ଏଏସ୍‌ଆଇ ଆବଶ୍ୟକ ମରାମତି କାମ ସାରି ଆମକୁ ହସ୍ତାନ୍ତର କରିବା ପରେ ଆମେ ଗଣତି ଓ ମଣତି ଆରମ୍ଭ କରିବୁ। ରତ୍ନଭଣ୍ଡାରର ସୁରକ୍ଷା ପାଇଁ ଏସ୍‌ଓପିରେ ଅନେକ ଦିଗକୁ ଦୃଷ୍ଟି ଦିଆଯାଇଛି ବୋଲି ଜଷ୍ଟିସ ରଥ କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ବାହାର ରତ୍ନଭଣ୍ଡାର ଓ ୧୮ ତାରିଖରେ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ହୋଇଥିଲା। ସେବେଠୁ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଅଟକି ରହିଛି। ଆଜି ଜଷ୍ଟିସ ରଥଙ୍କ ଶ୍ରୀମନ୍ଦିର ଗସ୍ତ ପରେ ପୁଣିଥରେ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଜୋର୍‌ ଧରିଛି।