ପୁରୀ: ରଥଯାତ୍ରା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି ହେବ। ଏହା ପୂର୍ବରୁ କିଭଳି ଓ କେଉଁ ଉପାୟ ଅବଲମ୍ବନ କରି ଅଳଙ୍କାର ଗଣତି ଓ ମଣତି ହେବ, ସେ ଉପରେ ରତ୍ନଭଣ୍ଡାର ତଦାରଖ କମିଟି, ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ଆଜି ପୂର୍ବାହ୍ଣରେ ଜଷ୍ଟିସ୍‌ ପଶାୟତ ପୁରୀରେ ପହଞ୍ଚି ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ଅପରାହ୍ଣରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ଉପରେ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ଜଷ୍ଟିସ ପଶାୟତ କହିଛନ୍ତି, ଆଜିର ବୈଠକର ପ୍ରମୁଖ ଲକ୍ଷ୍ୟ ଥିଲା, ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି। କେଉଁ ହିସାବରେ କଲେ, ସୁବିଧାରେ କାମ ହୋଇଯିବ, ସେ ଉପରେ ଆଲୋଚନା କରାଯାଇଥିଲା। ଜଷ୍ଟିସ ପଶାୟତ କହିଛନ୍ତି, ୧୯୭୮ ମସିହା ପରେ ଏଭଳି ଏକ ବଡ଼ଧରଣର କାମ କରାଯାଉଛି।

Advertisment

ଏଣୁ ଯେଉଁ ସମସ୍ୟା ସବୁ ରହିଛି, ତାହା କିପରି ସମାଧାନ ହୋଇପାରିବ, ସେ ବିଷୟରେ ଆଲୋଚନା ହୋଇଛି। ଏଣ୍ଡୋସ୍କୋପି ଜରିଆରେ ବି ଗଣତି କରିବା ନେଇ ଆଲୋଚନା ହୋଇଥିଲା ଓ ସେ ବିଷୟରେ ବିଚାରବିମର୍ଶ ଚାଲିଛି। ୧୯୭୮ ମସିହାରେ ଯେଉଁ ଜ୍ଞାନକୌଶଳ ଥିଲା, ଆଜି ତାହାଠାରୁ ବହୁ ଅତ୍ୟାଧୁନିକ ଜ୍ଞାନକୌଶଳ ରହିଛି। ବଡ଼କଥା ହେଉଛି, ଯେଉଁ ସମୟରେ ମନ୍ଦିରରେ ଦର୍ଶନାର୍ଥୀ ନ ଥିବେ, ସେହି ସମୟ ହିଁ ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ପ୍ରକୃଷ୍ଟ ସମୟ। ଏଣୁ ରଥଯାତ୍ରା ହିଁ ସବୁଠ ପ୍ରକୃଷ୍ଟ ସମୟ। ପ୍ରଥମେ ୧୯୨୬ ମସିହାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି କରାଯାଇଥିଲା। ପରେ ୧୯୭୮ ମସିହାରେ ହୋଇଥିଲା। ୨୦୨୪ ମସିହାରେ ପୁଣିଥରେ ତାଲିକା ପ୍ରସ୍ତୁତ କରାଯିବ। ୧୯୭୮ ମସିହାର ରତ୍ନଭଣ୍ଡାର ଅଳଙ୍କାର ତାଲିକା ବି ଆମ ପାଖରେ ରହିଛି। ଏହାକୁ ମେଳକ କରି ଆମେ ଅଳଙ୍କାର ଦେଖିବୁ ବୋଲି ଜଷ୍ଟିସ ପଶାୟତ କହିଛନ୍ତି।