ଅଡ଼ୁଆ କରିଛନ୍ତି ତତ୍କାଳୀନ ଜିଲ୍ଲାପାଳ
ଜବାବ ମାଗିଲେ ଜଳେଶ୍ବର ବିଧାୟକ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲା ଆଇନ ବିଭାଗ

Advertisment

ପୁରୀ : ରହସ୍ୟଜନକ ହୋଇପଡ଼ିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ବିପଦସଂକୁଳ ଅବସ୍ଥାରେ ଥିଲେ ବି ଏହାର ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ପାଦେ ବି ଆଗକୁ ବଢ଼ୁନାହାନ୍ତି। ଜନପ୍ରତିନିଧି, ବିଧାୟକ, ମନ୍ତ୍ରୀ, ସାଂସଦମାନେ ବି ଏ ଦିଗରେ ନିରବ ରହିଛନ୍ତି। ଯେଉଁଥିପାଇଁ ଭକ୍ତ ମହଲରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ଅଳଙ୍କାରକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଏହିଭଳି ସ୍ଥିତିରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‌ ସେ ସମୟରେ ରତ୍ନଭଣ୍ଡାରର ନକଲି ଚାବି ଜିଲ୍ଲା ରେକର୍ଡ ରୁମ୍‌ରୁ ପାଇଥିବା ଏବଂ ଏହାକୁ ପୁରୀ ଜିଲ୍ଲା କୋଷାଗାରରେ ଜମା ଦେଇଥିବା କହିଥିଲେ। କିନ୍ତୁ ଜିଲ୍ଲାପାଳଙ୍କ ଜମା ଚିଠିରେ ଚାବି ସମ୍ପର୍କରେ ପଦେ ବି ଉଲ୍ଲେଖ ନାହିଁ। ସୂଚନା ଅଧିକାର ବଳରେ ଜିଲ୍ଲା କୋଷାଗାର ପକ୍ଷରୁ ମିଳିଥିବା ଜିଲ୍ଲାପାଳଙ୍କ ଚିଠିରୁ ଏହା ସ୍ପଷ୍ଟ ହୋଇଛି।

ସୂଚନା ଅଧିକାର ବଳରେ ମିଳିଥିବା ଜିଲ୍ଲାପାଳଙ୍କ ଚିଠି(ନମ୍ବର-୨୨୨୨/ଜିଆଇ-୬.୮.୨୦୧୮)ରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ସେ ଶ୍ରୀମନ୍ଦିର ରତ୍ନଭଣ୍ଡାରର କିଛି ଜରୁରୀ କାଗଜପତ୍ର ଜିଲ୍ଲା କୋଷାଗାରରେ ଜମା ଦେଉଛନ୍ତି। ଯେଉଁଥିରେ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ତାଲିକାର କାଗଜପତ୍ର ସଂଲଗ୍ନ କରାଯାଇଛି। ଏହି କାଗଜପତ୍ରର ଦୁଇଟି ନକଲ ସଂଲଗ୍ନ କରାଯାଇଛି। ଯାହା ୨୦୧୮ ଜୁନ ୧୩ ତାରିଖରେ ଜିଲ୍ଲା ରେକର୍ଡ ରୁମ୍‌ରୁ ମିଳିଥିଲା। ସରକାରୀ ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ ଏହାକୁ ପାଇଥିଲା। ଏଣୁ ଏହାକୁ ଜିଲ୍ଲା କୋଷାଗାର ଷ୍ଟ୍ରଙ୍ଗ୍‌ରୁମରେ ସୁରକ୍ଷିତ ରଖିବାକୁ ଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି। କିନ୍ତୁ ଚିଠିରେ କୌଣସି ସ୍ଥାନରେ ରତ୍ନଭଣ୍ଡାର ଚାବି ଜମା ଦିଆଯାଇଥିବା ସମ୍ପର୍କରେ ଉଲ୍ଲେଖ କରାଯାଇନି। ଯାହା ସନ୍ଦେହକୁ ଦ୍ବିଗୁଣିତ କରୁଛି। ଏପରି କ’ଣ ରହସ୍ୟ ରହିଛି ଯେ ଜିଲ୍ଲାପାଳ ରତ୍ନଭଣ୍ଡାର ଚାବି ସମ୍ପର୍କରେ ପଦୁଟିଏ ଚିଠିରେ ଉଲ୍ଲେଖ କରିନାହାନ୍ତି ବୋଲି ଭକ୍ତସମାଜ ପ୍ରଶ୍ନ କରିଛନ୍ତି। ଭବିଷ୍ୟତରେ ଯଦି ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠେ, ସେ ସମୟରେ ସହଜରେ ଏହାକୁ ଏଡ଼ାଇଯିବା ପାଇଁ ଏଭଳି ନାଟକ ରଚାଯାଇଛି ଏବଂ ଜାଣିଶୁଣି ଚିଠିରେ ଚାବି କଥା ଉଲ୍ଲେଖ କରାଯାଇନି ବୋଲି ଭକ୍ତ ମହଲ ‌ସନ୍ଦେହ ପ୍ରକଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୮ ମସିହା ଏପ୍ରିଲ ୪ତାରିଖରେ ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ସ୍ଥିର କରିବା ପରେ ୧୭ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। କିନ୍ତୁ ପାଖରେ ରତ୍ନଭଣ୍ଡାର ଚାବି ନ ଥାଇ ବି ହାଇଡ୍ରାମା କରିଥିଲେ ଏହି କମିଟି। ରତ୍ନଭଣ୍ଡାର ଖୋଲିବାକୁ ଯିବାର ନାଟକ ରଚିଥିଲେ। ରତ୍ନଭଣ୍ଡାର ଖୋଲିବାକୁ ଯିବାଦିନ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ୍‌ କରିଥିବା ଚିଠିରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି। ପରେ ଚାବି ହଜିବାକୁ ନେଇ ଘାଣ୍ଟଚକଟା ଓ ନ୍ୟାୟିକ ତଦନ୍ତ ଭିତରେ ହଠାତ୍‌ ଜିଲ୍ଲାପାଳ ରାତି ୯ଟାରେ ସାମ୍ବାଦିକ ସମ୍ମିଳନୀ ଡାକି ରତ୍ନଭଣ୍ଡାରର ନକଲି ଚାବି ଜିଲ୍ଲା ରେକର୍ଡ ରୁମ୍‌ରୁ ପାଇଥିବା କହିଥିଲେ। କିନ୍ତୁ ଜିଲ୍ଲା ରେକର୍ଡ ରୁମ୍‌ ସ୍ପଷ୍ଟ କରିସାରିଛି ଯେସେମାନଙ୍କ ପାଖରେ ରତ୍ନଭଣ୍ଡାରର ନକଲି କି ଅସଲି ଚାବି କେବେ ବି ଜମା ହୋଇନଥିଲା ଓ କେବେ ବି ରତ୍ନଭଣ୍ଡାର ଖୋଲିବାକୁ ସେମାନଙ୍କଠାରୁ ଚାବି ନିଆଯାଇନଥିଲା। ଏଭଳି ସ୍ଥିତିରେ ଜିଲ୍ଲାପାଳଙ୍କ କଥା ଯେ ଡାହା ମିଛ ଥିଲା, ତାହା ପ୍ରମାଣିତ ହୋଇସାରିଛି। ସେପଟେ ଜିଲ୍ଲା କୋଷାଗାରରେ ଚାବି ରହିବା ନେଇ ଶ୍ରୀମନ୍ଦିର ଆଇନରେ ଉଲ୍ଲେଖ ଥିବାବେଳେ ୧୯୬୦ ମସିହା ପରଠାରୁ ଜିଲ୍ଲା କୋଷାଗାରରେ ଚାବି ଜମା ଦିଆଯାଇନି ‌କିମ୍ବା କେବେ ଚାବି ନିଆଯାଇନି ବୋଲି କୋଷାଗାର ଅଧିକାରୀ ସ୍ପଷ୍ଟ କରି ସାରିଛନ୍ତି। ଏଭଳି ସ୍ଥିତିରେ ଜିଲ୍ଲାପାଳଙ୍କ ଚିଠିରେ ରତ୍ନଭଣ୍ଡାର ଚାବି ସମ୍ପର୍କରେ ପଦେ ବି ଉଲ୍ଲେଖ ନ ରହିବା ଭକ୍ତଙ୍କୁ ସନ୍ଦେହ କରିବାକୁ ବାଧ୍ୟ କରିଛି।

ସେପଟେ ବିଧାନସଭାରେ ବିଧାୟକ ଅଶ୍ବିନୀ କୁମାର ପାତ୍ର ଆଇନମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତିର ଜବାବ(ପ୍ରଶ୍ନ ନମ୍ବର-୫୭୦) ମାଗିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୃହ ମରାମତି ସମ୍ପର୍କରେ ସରକାରଙ୍କ ସମ୍ପୃକ୍ତି କ’ଣ ରହିଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ରତ୍ନଭଣ୍ଡାରର କିଭଳି ରକ୍ଷଣାବେକ୍ଷଣ କରିଛି। ଶ୍ରୀମନ୍ଦିର ପ୍ରଶାସନ ଯଦି ରତ୍ନଭଣ୍ଡାରର ବିପଦସଂକୁଳ ଅବସ୍ଥା ସମ୍ପର୍କରେ ଜାଣିଥିଲା, ତେବେ ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ବ ବିଭାଗ କର୍ତ୍ତୃପକ୍ଷଙ୍କୁ ଏ ଦିଗରେ କି ପରାମର୍ଶ ଦେଇଛି। ଆବଶ୍ୟକସ୍ଥଳ‌େ ନୀତିଗତ ନିଷ୍ପତ୍ତି ନେବା ପାଇଁ ଓ ଅଗଣିତ ଭକ୍ତଙ୍କ ଭାବାବେଗକୁ ଲକ୍ଷ୍ୟ କରି ସରକାର କ’ଣ ବିଚାରବିମର୍ଶ କରିବେ ବୋଲି ବିଧାୟକ ଶ୍ରୀ ପାତ୍ର ଆଇନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଏହି ପ୍ରଶ୍ନ ପରେ ଆଇନ ବିଭାଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି(ନମ୍ବର-୧୨୨୩୦/୧.୧୨.୨୦୨୧) ଏହାର ସବି‌ଶେଷ ତଥ୍ୟ ମାଗିଛି।