ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ପ୍ରତ୍ନତତ୍ତ୍ବ ବିଭାଗ

ଭିତର ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ମାଗିଲା ଅନୁମତି

ପୁରୀ : ବିପଦପୂର୍ଣ୍ଣ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ପ୍ରସଙ୍ଗ ନୂଆ ମୋଡ଼ ନେଇଛି। ଏହି ପ୍ରସଙ୍ଗ‌ରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମୁଖ୍ୟାଳୟରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକକୁ ଚିଠି କରାଯାଇଛି। ବିପଦପୂର୍ଣ୍ଣ ଅବସ୍ଥାରେ ରତ୍ନଭଣ୍ଡାର ଥିବାରୁ ଏହାର ମରାମତି ପାଇଁ ଅନୁମତି ଦେବାକୁ ପ୍ରତ୍ନତତ୍ତ୍ବ ବିଭାଗ ଚିଠି ଜରିଆରେ ଅନୁରୋଧ କରିଛି।

ପ୍ରତ୍ନତତ୍ତ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଭୁବନେଶ୍ବର ମୁଖ୍ୟାଳୟରୁ ଗତ ଅଗଷ୍ଟ ୮ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କିତ ଚିଠି ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହି ଚିଠି କରିଛନ୍ତି। ଯେହେତୁ ପୂର୍ବରୁ ବାହାର ରତ୍ନଭଣ୍ଡାର ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା, ସେ ଦୃଷ୍ଟିରୁ ଭିତର ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଏହି ଚିଠି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଜବାବ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତ୍ନତତ୍ତ୍ବ ବିଭାଗର ଏହି ଅଧିକାରୀଜଣକ ସୂଚନା ଦେଇଛନ୍ତି। ସେପଟେ ଭାରତୀୟ ଅପରପକ୍ଷେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଗତକାଲି ସୁଦ୍ଧା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ କୌଣସି ଚିଠି ଆମକୁ ମିଳିନଥିଲା। ଆଜି ଛୁଟି ଥିବାରୁ ଆସନ୍ତାକାଲି ଚିଠି ପହଞ୍ଚିଛି କି ନାହିଁ ଜଣାପଡ଼ିବ। ଅନ୍ୟପଟେ ଶ୍ରୀ ଜେନା କହିଛନ୍ତି, ରତ୍ନଭଣ୍ଡାର ଅନୁଧ୍ୟାନ ଅନୁମତି ଏକ ଲମ୍ବା ପ୍ରକ୍ରିୟା। ଯଦି ଚିଠି ମିଳେ, ତେବେ ଏ ସମ୍ପର୍କରେ ଆଲୋଚନା ହେବ। ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମେ ଅନୁମତି ଆବଶ୍ୟକ ପଡ଼ିବ। ଯଦି ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମତି ଦିଏ, ଏହି ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ ରାଜ୍ୟ ସରକାରଙ୍କୁ ନିକଟକୁ ପଠାଯିବ। ରାଜ୍ୟ ସରକାର ଅନୁମତି ଦେଲେ ହିଁ ଭିତର ରତ୍ନଭଣ୍ଡାର ଖୋଲିପାରିବ ବୋଲି ଶ୍ରୀ ଜେନା କହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ଏପ୍ରିଲ ୪ରେ ଏକ ୧୭ଜଣିଆ କମିଟି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ। କିନ୍ତୁ ଭିତର ରତ୍ନଭଣ୍ଡାର ‌ନଖୋଲି ଏହି ୧୭ଜଣିଆ ଦଳ ଫେରି ଆସିଥିଲେ। ପରେ ଭିତର ରତ୍ନଭଣ୍ଡାର ଚାବି ହଜିଯିବାରୁ ଖୋଲିବା ସମ୍ଭବ ହେଲାନି ବୋଲି ଶ୍ରୀମନ୍ଦିର ପ୍ରଶାସନ ସଫେଇ ଦେଇଥିଲା। ଏହା ପରଠାରୁ ରତ୍ନଭଣ୍ଡାର ରହସ୍ୟ ଘେରରେ ରହିଛି।

ସମ୍ବନ୍ଧିତ ଖବର