ପୁରୀ: ଆଜି ପୂର୍ବାହ୍ନ ୯ଟା ୫୧ରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ସେ ଆହୁରି କହିଛନ୍ତି, ଭିତରର ସ୍ଥିତି ଦେଖି ତତ୍କାଳ ନିଷ୍ପତ୍ତି ନିଆଯିବ। ରତ୍ନଭଣ୍ଡାର ଖୋଲିବା ପରେ କେତେ ରତ୍ନ ଅଛି, ଦେଖିବା ପରେ ନିଷ୍ପତ୍ତି ନିଆଯିବ।
ଏଣେ ଗଜପତି ମହାରାଜା ଭିତର ରତ୍ନଭଣ୍ଡାରକୁ ଯାଇପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ଏଣେ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ, ସଦସ୍ୟ ଡାକ୍ତର ସିବିକେ ମହାନ୍ତି, ଶ୍ରୀମନ୍ଦିର ବାହାରେ ମହାପ୍ରଭୁଙ୍କ ନିକଟରେ ସାଷ୍ଟାଙ୍ଗ ପ୍ରଣିପାତ କରି ରତ୍ନଭଣ୍ଡାର ଖୋଲିବା ଲାଗି ଅନୁମତି ଭିକ୍ଷା କରିଥିଲେ। ଏଥିସହ ୧୧ ସଦସ୍ୟ ସକାଳ ୯ଟା ସମୟରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି।

Advertisment

ଯାଞ୍ଚ ବେଳେ ସବୁର ଟିକିନିଖି ଭିଡିଓଗ୍ରାଫି କରାଯିବ। ଶୃଙ୍ଖଳା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଗୁରୁବାର ସକାଳ ୮ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣା ଲଗାଯାଇଛି। ରତ୍ନଭଣ୍ଡାର ଯାଞ୍ଚ ବେଳେ କେବଳ ସିଂହଦ୍ବାର ଖୋଲା ରହିବ। ଅନ୍ୟ ତିନିଦ୍ବାର ବନ୍ଦ ରହିବ। ପ୍ରତିନିଧି ସିଂହଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିବେ। ଯାଞ୍ଚ ପରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ତାଲା ପକାଇ ଜଉମୁଦ ଦେଇ ସିଲ୍‌ କରାଯିବ। ଯେତେଥର ରତ୍ନଭଣ୍ଡାର ଖୋଲାଯିବ, ସେତେଥର ଜଉମୁଦ ଦେଇ ସିଲ୍‌ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି।