୮ରେ ଖୋଲିବ ରତ୍ନଭଣ୍ଡାର: ୨୦ ଦିନ ଧରି ଚାଲିବ ଅଳଙ୍କାର ଗଣତି ପ୍ରକ୍ରିୟା

୫ରେ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ

ପୁରୀ: ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧୀକ୍ଷକ ଯାହା କହୁଥିଲେ, ତାହା ସତ ହୋଇଛି। ଆସନ୍ତା ଜୁଲାଇ ୮ ତାରିଖରୁ ରତ୍ନଭଣ୍ଡାର ଖୋଲିବା ସହିତ ଅଳଙ୍କାର ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ୨୦ ଦିନ ଧରି ଏହି ଗଣତି ଓ ମଣତି ପ୍ରକ୍ରିୟା ଚାଲିବ। ଏଥିପାଇଁ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅରିଜିତ ପଶାୟତ ପୁରୀ ଗସ୍ତରେ ଆସୁଛନ୍ତି। ସେ ଆସନ୍ତା ଜୁଲାଇ ୫ ତାରିଖଠାରୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିବେ। ତେବେ ଭିତର ରତ୍ନଭଣ୍ଡାର ଖୋଲି ଗଣତି ଓ ମଣତି ହେବ କି ଅନ୍ୟ କୌଣସି ଅତ୍ୟାଧୁନିକ ଜ୍ଞାନକୌଶଳ
ଆପଣାଇବେ, ସେନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନି। ଯେହେତୁ ଜଷ୍ଟିସ୍‌ ପଶାୟତ ପୂର୍ବରୁ ରତ୍ନଭଣ୍ଡାର ଯାଞ୍ଚ କମିଟି ସହ ଆଲୋଚନା ବେଳେ ଏଣ୍ଡୋସ୍କୋପି ଭଳି ପ୍ରକ୍ରିୟା ଗ୍ରହଣ କରିବା ଲାଗି ପ୍ରସ୍ତାବ ଉଠିଥିଲା, ସେ ଦୃଷ୍ଟିରୁ କେମିତି ଅଳଙ୍କାର ଗଣତି ଓ ମଣତି ହେବ, ତାହା ଉପରେ ଶ୍ରୀଜଗନ୍ନାଥ ପ୍ରେମୀଙ୍କର ନଜର ରହିଛି।

ରତ୍ନଭଣ୍ଡାର ଅଳଙ୍କାର ଗଣତିର ତଦାରଖ କରିବା ଲାଗି ପୂର୍ବ ବିଜେଡି ସରକାର ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଗଣତି ବେଳେ ଏହି କମିଟିର ସଭ୍ୟମାନେ ଉପସ୍ଥିତ ରହିବେ। ଜଷ୍ଟିସ ପଶାୟତଙ୍କ ବ୍ୟତୀତ ଏହି କମିଟିରେ ଥିବା ଅନ୍ୟ ସଭ୍ୟମାନେ ‌ହେଲେ ଡାକ୍ତର ରମାକାନ୍ତ ପଣ୍ଡା, ଡ. ବିଧୁଭୂଷଣ ସାମଲ, ଏ.କେ. ସାବତ, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ, ପୁରୀ ଗଜପତିଙ୍କ ପ୍ରତିନିଧି ଏବଂ ଏଏସ୍ଆଇ ପ୍ରତିନିଧିଙ୍କ ସମେତ ସେବାୟତ ଦୁର୍ଗାପ୍ରସାଦ ଦାସମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ କର, ଗଣେଶ ମେକାପ୍।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ ରତ୍ନଭଣ୍ଡାର ଖୁବଶୀଘ୍ର ଖୋଲିବ। କିନ୍ତୁ ସେ ତାରିଖ ସଂପର୍କରେ କୌଣସି ସୂଚନା ଦେଇନଥିଲେ। ବିଜେପି ଏହାର ନିର୍ବାଚନ ଇସ୍ତାହାରରେ ମଧ୍ୟ ରତ୍ନଭଣ୍ଡାର ଖୋଲିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଇତିମଧ୍ୟରେ ମିଳିଥିବା ଜଷ୍ଟିସ ପଶାୟତଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପତ୍ନୀ ସୁବଳା ପଶାୟତଙ୍କ ସହ ସେ ଆସନ୍ତା ୪ ତାରିଖରେ ଓଡିଶା ଗସ୍ତରେ ଆସିବେ। ୪ ତାରିଖରେ ଦିଲ୍ଲୀରୁ ବିମାନରେ ଆସି ଭୁବନେଶ୍ୱରରେ ଓହ୍ଲାଇବା ପରେ କଟକ ତେଲେଙ୍ଗାବଜାରସ୍ଥିତ ନିଜ ଘରକୁ ଯିବେ। ରାତ୍ରୀଯାପନ ପରେ ସକାଳ ୯ଟାରୁ କଟକରୁ ପୁରୀ ଆସିବେ। ପୂର୍ବାହ୍ନ ୧୧ଟାରେ ପୁରୀରେ ପହଞ୍ଚି ହାଇକୋର୍ଟ ଅତିଥି ଭବନରେ ବିଶ୍ରାମ ନେବେ। ପରେ ଅପରାହ୍ଣ ୨ଟାରେ ରତ୍ନଭଣ୍ଡାର ଯାଞ୍ଚ କମିଟି ସହ ବୈଠକ କରିବେ। ଏହି ଅବସରରେ ସେ ରଥଯାତ୍ରା ଦେଖିବା ସହ ରତ୍ନଭଣ୍ଡାର ଅଳଙ୍କାର ଯାଞ୍ଚ କରିବେ। ଜୁଲାଇ ୮ ତାରିଖଠାରୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି ଚାଲିବ। ୨୭ ତାରିଖରେ ଏହି ପ୍ରକ୍ରିୟା ଶେଷ ହେବାପରେ ସେହିଦିନ ଅପରାହ୍ନ ୫ଟାରେ ସେ ପୁଣି କଟକ ଫେରିଯିବେ। ପରଦିନ ଅର୍ଥାତ ଜୁଲାଇ ୨୮ରେ ପୁଣି ଭୁବନେଶ୍ୱରରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର