ପୁରୀ: ଗଜପତି ମହାରାଜଙ୍କ ଉପସ୍ଥିତରେ ଭିତର ରତ୍ନଭଣ୍ଡାରରୁ ଖଟଶେଯ ଘରକୁ ଅଳଙ୍କାର ସ୍ଥାନାନ୍ତର ଆରମ୍ଭ ହୋଇଛି। ଭିତର ରତ୍ନଭଣ୍ଡାରରୁ ଫେରି ଗଜପତି ମହାରାଜା ଏହି କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ଶେଷ ହେବ ବୋଲି କହିଛନ୍ତି। ରତ୍ନଭଣ୍ଡାରର ମରାମତି ଆବଶ୍ୟକ ବୋଲି ବି ସେ କହିଛନ୍ତି। ଗଜପତି ଆହୁରି କହିଛନ୍ତି ଯେ, ଖଟଶେଯ ଘରେ ଗହଣା ଓ ମୂଲ୍ୟବାନ ସାମଗ୍ରୀ ରଖାଯିବ। ଏହାପରେ କବାଟ ସିଲ୍ କରାଯିବ। କବାଟ ସିଲ୍ ହୋଇ ମୁଖ୍ୟ ପ୍ରଶାସକ ସରକାରୀ ଟ୍ରେଜେରିରେ ଚାବି ଦାଖଲ କରିବେ। ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ। ଏହାପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ। ଏଏସଆଇ ଏହାପରେ ଯାଇ ରତ୍ନଭଣ୍ଡାରର ମରାମତି କରିବ। ମରାମତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ହେବନି।
ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ ଭିତର ଭଣ୍ଡାର ମୁଖ୍ୟ ଦ୍ବାରରେ ଲାଗିଥିବା ୩ଟି ଯାକ ତାଲା ଟ୍ରେଜେରିରୁ ଆସିଥିବା ଦୁଇଟି ଚାବିରେ ନ ଖୋଲିବାରୁ ତାଲାଗୁଡ଼ିକୁ ଭାଙ୍ଗି କମିଟି ପ୍ରବେଶ କରିଥିଲେ। କିନ୍ତୁ ସମୟ ଅଭାବରୁ ସ୍ଥାନାନ୍ତର ପ୍ରକ୍ରିୟା ସମ୍ଭବପର ହୋଇ ପାରି ନଥିଲା। ସେହିଦିନ ଭିତର ଭଣ୍ଡାର ଦ୍ବାରରେ ଭଙ୍ଗାଯାଇଥିବା ୩ଟି ଯାକ ତାଲା ଏବଂ ପୁରୁଣା ଦୁଇଟି ଚାବିକୁ ଜିଲ୍ଲା ଟ୍ରେଜେରିରେ ଜମା କରାଯାଇଛି। ଏଥି ସହିତ ୨ଟି ନୂଆ ତାଲା ପକାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରି ତାହାର ଚାବିକୁ ମଧ୍ୟ ଟ୍ରେଜେରିରେ ଜମା କରାଯାଇଥିଲା। ସେହି ନୂଆ ତାଲାର ଚାବି ଟ୍ରେଜେରିରୁ ଆଣି ଭଣ୍ଡାର ଖୋଲାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/ecaf77a9-bedd-4020-a3d1-3d6a18f74062.jpeg)