ପୁରୀ: ଜୁଲାଇ ୧୮ ତାରିଖ ଗୁରୁବାର ମହାପ୍ରଭୁଙ୍କ ରତ୍ନଭଣ୍ଡାର ତାଲା ପୁଣିଥରେ ଖୋଲାଯିବ। ପୂର୍ବ ନିର୍ଦ୍ଧାରିତ ପ୍ରକ୍ରିୟା ଆଧାରରେ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଭିତର ରତ୍ନଭଣ୍ଡାର ଖୋଲାଯିବ। ଭିତର ରତ୍ନଭଣ୍ଡାର ପାଇଁ ଜିଲ୍ଲା ଟ୍ରେଜେରିରୁ ଚାବି ଅଣାଯିବ। ପରେ ଅଧିକୃତ ବ୍ୟକ୍ତି ଭିତର ରତ୍ନଭଣ୍ଡାରରେ ପ୍ରବେଶ କରିବେ। ସ୍ଥିତି ଅନୁଧ୍ୟାନ ପରେ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ। ଗୁରୁବାର ସକାଳ ୯ଟା ୧୫ରୁ ମଧ୍ୟାହ୍ଣ ୧୨ଟା ୧୫ ଭିତରେ ଶୁଭବେଳା ଥିବାରୁ ଏହି ସମୟରେ ରତ୍ନଭଣ୍ଡାର ଚାବି ଖୋଲାଯିବ। ଏହି ସମୟରେ ଅଧିକୃତ ବ୍ୟକ୍ତିମାନେ ରତ୍ନଭଣ୍ଡାରରେ ପ୍ରବେଶ କରିବେ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ କହିଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ୧୮ ତାରିଖରେ ଅଧିକୃତ ୧୧ଜଣିଆ କମିଟି ହିଁ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ। ଏହି କାର୍ଯ୍ୟ ସହିତ ଜଡ଼ିତ ବ୍ୟକ୍ତି, ଯଥା ମେଡିକାଲ୍ ଟିମ୍, ସ୍ନେକ ହେଲ୍ପଲାଇନ୍, ସ୍ବେଚ୍ଛାସେବୀମାନେ ପାଖରେ ରହିବେ। ପୁରୁଣା ପ୍ରୋଟୋକଲ୍ ଅନୁଯାୟୀ, ଏସ୍ପି ପୁରୀ ସମସ୍ତଙ୍କୁ ଯାଞ୍ଚ କରି ଛାଡ଼ିବେ। ସ୍ଥାନାନ୍ତର ପ୍ରକ୍ରିୟା ଅନୁଯାୟୀ, ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ଶେଷ ପରେ ନୂଆ ରତ୍ନଭଣ୍ଡାରକୁ ଜଉମୁଦ ଦେଇ ସିଲ୍ କରାଯିବ। ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଜଉମୁଦ ଦେଇ ସିଲ୍ କରାଯିବ। କେବଳ ବାହାର ରତ୍ନଭଣ୍ଡାରକୁ ଛାଡ଼ିଦେଲେ ବାକି ସବୁ ଚାବି ଜିଲ୍ଲା କୋଷାଗାରକୁ ପଠାଯିବ। ଏଏସ୍ଆଇ ଚାବି ନେବନି। ଜିଲ୍ଲାପାଳ ଚାବି ଖୋଲିବେ। ଏହାପରେ ଯାଇ ଏଏସ୍ଆଇ ଟିମ୍ ଭିତରକୁ ଯିବେ।
ରତ୍ନଭଣ୍ଡାର ଯାଞ୍ଚ କମିଟିର ଆଜି ଏକ ଜରୁରୀ ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ପିନାକ ମିଶ୍ର, ଶ୍ରୀମନ୍ଦିର ବୈଷୟିକ କମିଟିର ମୁଖ୍ୟ ଏନ୍ ସି ପାଲ୍, ଭଣ୍ଡାରମେକାପ, ଦେଉଳକରଣ, ତଢ଼ଉକରଣଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକ ପରେ ଜଷ୍ଟିସ ରଥ କହିଛନ୍ତି, ମହାପ୍ରଭୁ ଏବେ ବାହାରେ ଅଛନ୍ତି। ଯେତେବେଳେ ଭିତରକୁ ଆସିବେ, ସେତେବେଳେ ରତ୍ନଭଣ୍ଡାର ଖୋଲାଗଲେ ନୀତିକାନ୍ତି ବ୍ୟାହତ ସହ ଦର୍ଶନ ବ୍ୟବସ୍ଥାରେ ଅସୁବିଧା ହୋଇପାରେ। ଏହାର ଗୁରୁତ୍ବ ଉପଲବ୍ଧି କରି ଆଜି ଜରୁରୀ ବୈଠକ ଡକାଯାଇଥିଲା। ଅଳଙ୍କାର ସ୍ଥାନାନ୍ତର ପରେ ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହୁଛି। ଆଜିର ବୈଠକରେ ଏହା ଉପରେ ଆଲୋଚନା ହୋଇଛି।
ଶୁଭ ମୁହୂର୍ତ୍ତ ସକାଳ ୯.୧୫ରୁ ୧୨.୧୫
ତିଆରି ହୋଇଛି ନୂଆ ସିନ୍ଦୁକ ଓ ଆଲମିରା
ଜିଲ୍ଲା ଟ୍ରେଜେରିରୁ ନୂଆ ଚାବି
ଯାଞ୍ଚ ପରେ ପ୍ରବେଶ କରିବ ଏଏସ୍ଆଇ
ବୁଧବାର ସୁନାବେଶ ଓ କମିଟି ସଦସ୍ୟମାନେ ସୁନାବେଶ ପ୍ରସ୍ତୁତିରେ ବ୍ୟସ୍ତ ରହୁଥିବାରୁ ଜୁଲାଇ ୧୮ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଛି। ପାଞ୍ଜିରେ ସେଦିନ ଶୁଭ ମୁହୂର୍ତ୍ତ ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ଯ୍ୟନ୍ତ ରହିଛି। ଏଣୁ ଏହି ସମୟ ଭିତର ରତ୍ନଭଣ୍ଡାର ତାଲା ଖୋଲାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅନୁମୋଦନକ୍ରମେ ଜିଲ୍ଲାପାଳ ଜିଲ୍ଲା କୋଷାଗାରରୁ ଚାବି ଆଣିବେ। ତାଲା ଖୋଲି ଆମେ ଭିତରକୁ ଯିବୁ। ଭିତର ରତ୍ନଭଣ୍ଡାରର ଜିନିଷଗୁଡ଼ିକ ଆଖିରେ ଦେଖିବୁ, ଭିଡିଓଗ୍ରାଫି କରିବୁ। ଅଳଙ୍କାର ଯେମିତି ରଖାଯାଇଛି, ଯତ୍ନ ସହକାରେ ସେମିତି ନୂଆ ଆଲମିରାକୁ ସ୍ଥାନାନ୍ତର କରିବୁ। ଯାହା ସିନ୍ଦୁକରେ ଅଛି, ତାକୁ ସିନ୍ଦୁକକୁ ସ୍ଥାନାନ୍ତର କରାଯିବ। ସଂପୂର୍ଣ୍ଣ ସ୍ଥାନାନ୍ତର ଓ ଯାଞ୍ଚ ପ୍ରକ୍ରିୟା ଶେଷ ପରେ ଏଏସ୍ଆଇର ବୈଷୟିକ ଦଳ ଭିତର ରତ୍ନଭଣ୍ଡାରକୁ ଯାଇ ଯାଞ୍ଚ କରିବେ। କ’ଣ ସବୁ ଆବଶ୍ୟକ ମରାମତି ଜରୁରୀ ତାହା ଉପରେ ଅନୁଧ୍ୟାନ କରିବେ। ପୁଣି ଯେମିତି ତାଲା ପଡ଼ିଥିଲା, ସେମିତି ତାଲା ପକାଇ ଜଉମୁଦ ଦେଇ ବାହାରିବୁ।
ଜଷ୍ଟିସ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାର ସିନ୍ଦୁକ ଓ ଆଲମିରା ଅଳଙ୍କାର ସହ ଟେକି କରି ବାହାରକୁ ଆଣିବା ସମ୍ଭବପର ନୁହେଁ। ଏଣୁ ଶ୍ରୀମନ୍ଦିର ପ୍ରଶାସନ ଆଗୁଆ ନୂଆ ଆଲମିରା ଓ ସିନ୍ଦୁକ ପ୍ରସ୍ତୁତ କରି ରଖିଛନ୍ତି। ଭିତର ରତ୍ନଭଣ୍ଡାର ଜାଗା ଏତେ ବଡ଼ ନୁହେଁ। ଏଣୁ ଦେଖିବା ପାଇଁ ସୀମିତ ଲୋକ ଯିବେ। ରତ୍ନଭଣ୍ଡାର ଭିତରେ ଆଲମିରା ଓ ସିନ୍ଧୁକ ନମ୍ବରିଂ ହୋଇ ଅଛି। ଏଣୁ ଆମେ ବି ଆଲମିରା ନମ୍ବରିଂ କରି ରଖିଛୁ। ୧ ନମ୍ବର ଆଲମିରାର ଅଳଙ୍କାର ୧ ନମ୍ବର ଆଲମିରାକୁ ସ୍ଥାନାନ୍ତର ହେବ। ଏହିପରି ଭାବେ ଯେତେ ଆଲମିରା ଥିବ, ସେହି ଅନୁସାରେ ଅଳଙ୍କାର ନମ୍ବରିଂ ହୋଇ ସ୍ଥାନାନ୍ତର ହେବ। ଆମେ ପର୍ଯ୍ୟାପ୍ତ ଆଲମିରା ରଖିଛୁ। ସିନ୍ଦୁକ ଅଳଙ୍କାର ବି ନମ୍ବରିଂ ଅନୁଯାୟୀ ସିନ୍ଦୁକକୁ ସ୍ଥାନାନ୍ତର ହେବ। ଯେଉଁ ସିନ୍ଦୁକ ଓ ଆଲମିରା ଖାଲି ହେଲା, ତାର ବି ଭିଡିଓଗ୍ରାଫି କରାଯିବ। ଭିଡିଓଗ୍ରାଫି ସରିବା ପରେ ଆମେ ତାକୁ ରତ୍ନଭଣ୍ଡାର ଭିତରୁ ବାହାରକୁ ସ୍ଥାନାନ୍ତର କରିବୁ। କାଳେ ତା’ ତଳେ କିଛି ଅଳଙ୍କାର ଥାଇପାରେ, ତାର ଟିକିନିଖି ଅନୁଧ୍ୟାନ କରାଯିବ। ସମ୍ପର୍ଣ୍ଣ ତଥ୍ୟ ସହ ଭିଡିଓଗ୍ରାଫି ସରିବା ପରେ ଏଏସ୍ଆଇ ବୈଷୟିକ ଦଳ ଅନୁଧ୍ୟାନ ପାଇଁ ପଶିବେ। ଆଲମିରା ଓ ସିନ୍ଦୁକ ସବୁ ଚାରିକଡ଼ କାନ୍ଥକୁ ଲାଗି ରହିଛି। କୌଣସି ଜାଗାରେ କାନ୍ଥ ଦେଖାଯାଉନି। ତେଣୁ କାନ୍ଥରେ କିମ୍ବା ତଳେ କ’ଣ ଅଛି, ଦେଖିବାକୁ ସୁଯୋଗ ଆସିନାହିଁ। ସିନ୍ଦୁକ ଓ ଆଲମିରା ଖାଲି କରିବା ପରେ ଆମେ ଟିକିନିଖି ଅନୁଧ୍ୟାନ କରିବୁ ବୋଲି ଜଷ୍ଟିସ୍ ରଥ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ବାହାର ରତ୍ନଭଣ୍ଡାର ଖୋଲାଯାଇ ଚାଙ୍ଗଡ଼ା ଓ ଫୁଲ ଘର ପାଖ ଅସ୍ଥାୟୀ ରତ୍ନଭଣ୍ଡାରକୁ ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲା ଟ୍ରେଜେରିରୁ ଜିଲ୍ଲା ପ୍ରଶାସନ ଯେଉଁ ଚାବି ଦେଇଥିଲା, ସେଥିରେ ଭିତର ରତ୍ନଭଣ୍ଡାର ନ ଖୋଲିବାରୁ ମାର୍ଗଦର୍ଶିକା ଆଧାରରେ ତାଲାକୁ କାଟି ଅଧିକୃତ କମିଟି ଭିତର ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ। କିନ୍ତୁ ସମୟ ଅଭାବରୁ ଅଳଙ୍କାର ସ୍ଥାନାନ୍ତର ନ କରି ଫେରି ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/sfhsfhfshf.jpg)