ପୁରୀ: ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ। ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କିତ ପ୍ରସ୍ତାବ ଆମେ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବୁ ବୋଲି କହିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ। ଯେହେତୁ ରତ୍ନଭଣ୍ଡାର ଖୋଲିବା ପରେ ଏହାର ମରାମତି ଆବଶ୍ୟକ ରହିଛି, ଏଣୁ ରତ୍ନଭଣ୍ଡାରରୁ ଅଳଙ୍କାର ଖାଲି ପରେ ମରାମତି କରାଯିବ। କେଉଁଠିକୁ ଅଳଙ୍କାର ସ୍ଥାନାନ୍ତର ହେବ, ତାହା ଚିହ୍ନଟ ହୋଇସାରିଛି ବୋଲି ଜଷ୍ଟିସ ରଥ କହିଛନ୍ତି। ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି ସମୟ ସାପେକ୍ଷ। ତେଣୁ ଏହି ପ୍ରକ୍ରିୟା ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନାହିଁ। ବରଂ ଭକ୍ତମାନେ ମହାପ୍ରଭୁଙ୍କୁ ଦୂରରୁ ଦର୍ଶନ କରିବେ। ଭକ୍ତ ବି ଏଥିରେ ସହଯୋଗ କରିବେ ବୋଲି ଜଷ୍ଟିସ ରଥ କହିଛନ୍ତି। ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ରତ୍ନଭଣ୍ଡାର ଚାବି ଉପସ୍ଥାପିତ ହେବାର ଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ରଥଯାତ୍ରାର ବ୍ୟସ୍ତତା ଯୋଗୁ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀ ସମୟ ମାଗିଛନ୍ତି। ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ ବୋଲି ଜଷ୍ଟିସ ରଥ କହିଛନ୍ତି।

Advertisment

ଗତ ୬ ତାରିଖ ବୈଠକର ନିଷ୍ପତ୍ତିକ୍ରମେ ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ବିତୀୟ ବୈଠକ ବସିଥିଲା। ଜଷ୍ଟିସ୍‌ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟି ସଦସ୍ୟ ଓ
ଅନ୍ୟ ପ୍ରାଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକ ପରେ ଜଷ୍ଟିସ୍‌ ରଥ କହିଛନ୍ତି, ଆଜିର ବୈଠକରେ ପୂର୍ବ ବୈଠକର ନିଷ୍ପତ୍ତି ଉପରେ ଆଲୋଚନା କରାଯାଇଥିଲା। ପୂର୍ବ ବୈଠକର ବିବରଣୀ ପ୍ରସ୍ତୁତ ହୋଇଥିଲା। ଆଜି ରତ୍ନଭଣ୍ଡାର ସମ୍ପର୍କିତ ଏହି ବିବରଣୀ ଶ୍ରୀମନ୍ଦିର ପରିଚାଳନା କମିଟିକୁ ପ୍ରଦାନ କରାଯାଇଛି।

ଯେହେତୁ ରଥଯାତ୍ରା କାରଣରୁ ପୂର୍ବ ବିବରଣୀ ଶ୍ରୀମନ୍ଦିର ପରିଚାଳନା କମିଟିକୁ ପ୍ରଦାନ ହୋଇ ପାରିନଥିଲା, ସେ ଦୃଷ୍ଟିରୁ କାମ ଆଗେଇ ପାରିନଥିଲା। ଆଜି ଯେଉଁ ବିବରଣୀ ପ୍ରଦାନ କରାଯାଇଛି, ରୁଲ୍‌-୬ ଆଧାରରେ ତା ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଡାକି ନିଷ୍ପତ୍ତି ନେବ ଓ ରାଜ୍ୟ ସରକାରଙ୍କୁ ସୁପାରିସ କରିବ। ରାଜ୍ୟ ସରକାରଙ୍କ ଆଦେଶ ଆସିବା ପରେ ରତ୍ନଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ଖୋଲିବା ସମ୍ପର୍କିତ ଏସ୍‌ଓପି ପ୍ରସ୍ତୁତି ସମ୍ପର୍କିତ ଆବଶ୍ୟକ ପ୍ରସ୍ତାବ ଦେବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଆମ ଉପରେ ଦାୟିତ୍ବ ନ୍ୟସ୍ତ କରିଛି। ଆମେ ଆବଶ୍ୟକ ପ୍ରସ୍ତାବ ଦେବୁ। ପରେ ପରିଚାଳନା କମିଟି ଏହି ଏସ୍‌ଓପିରେ ଅତିରିକ୍ତ କିଛି ପ୍ରସ୍ତାବ ଯଦି ଯୋଡ଼ିବାର ଥାଏ, ଏହା ଯୋଡ଼ି ରାଜ୍ୟ ସରକାରଙ୍କୁ ନିକଟକୁ ପଠଇବେ। ଏହା ସରକାରୀ ଅନୁମୋଦନ ଲାଭ ପରେ ସେହି ଅନୁସାରେ କାମ ହେବ। ସର୍ବସମ୍ମତିକ୍ରମେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ଅନୁରୋଧ କରିବାକୁ ନିଷ୍ପତ୍ତି ହୋଇଛି। ଚାବିରେ ରତ୍ନଭଣ୍ଡାର ତାଲା ନ ଖୋଲିଲେ, ତାଲା ଭାଙ୍ଗି ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ବି ହୋଇଛି। ସମସ୍ତଙ୍କ ସହମତିରେ ଏ ସଂକ୍ରାନ୍ତରେ ଆବଶ୍ୟକ ଏସ୍‌ଓପି ପ୍ରସ୍ତୁତ ହୋଇଛି। ଏହି ସମୟରେ ଶ୍ରୀମନ୍ଦିର ସୁରକ୍ଷା ସହ ନୀତିକାନ୍ତି ଓ ଦର୍ଶନ ଯେଭଳି ପ୍ରଭାବିତ ନ ହେବ, ତାହା ଉପରେ ଦୃଷ୍ଟି ଦିଆଯିବ।

ଆଶା ରଖିଛୁ, ସରକାର ଆମ ପ୍ରସ୍ତାବରେ ରାଜି ହେବେ। ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଆଦି ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ଭିତରେ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ ହୋଇସାରିଛି। ସେଠାରେ ପର୍ଯ୍ୟାୟକ୍ରମେ ଅଳଙ୍କାର ରଖାଯିବ। ଚଳନ୍ତି ରତ୍ନଭଣ୍ଡାର(ଦୈନନ୍ଦିନ ନୀତିକାନ୍ତିରେ ବ୍ୟବହୃତ ଅଳଙ୍କାର ରହୁଛି), ବାହାର ରତ୍ନଭଣ୍ଡାର(ଯାନିଯାତ୍ରାରେ ବ୍ୟବହାର ଅଳଙ୍କାର ରହୁଛି) ଓ ଭିତର ରତ୍ନଭଣ୍ଡାର(ଅଳଙ୍କାର ବ୍ୟବହାର ହେଉନି), ଏଭଳି ତିନିଟି ଭଣ୍ଡାରରେ ଅଳଙ୍କାର ରହିଛି। ରତ୍ନଭଣ୍ଡାରରୁ ଯେଉଁ ଗୃହକୁ ଅଳଙ୍କାର ସ୍ଥାନାନ୍ତର ହେବ, ତାକୁ ସିଲ୍‌ କରାଯିବ। ଯେହେତୁ ଗଣତି ଓ ମଣତି ଏକ ଲମ୍ବା ପ୍ରକ୍ରିୟା ଏବଂ ଏଥିପାଇଁ ସେଭଳି ଅଭିଜ୍ଞ ବଣିଆଓ ଅନ୍ୟମାନଙ୍କ ଆବଶ୍ୟକତା ରହିଛି, ସେ ଦୃଷ୍ଟିରୁ ଜଣେ ଅଭିଜ୍ଞ ବଣିଆ, ଜଣେ ଭୂତତ୍ତ୍ବବିତ୍‌ ପ୍ରମୁଖଙ୍କୁ ନେଇ କମିଟି ଗଠିତ ହେବ। ଆଜି ଯେହେତୁ ରଥଯାତ୍ରା ଥିଲା, ସମୟ ଅଭାବ କାରଣରୁ ବୈଠକର ବିବରଣୀ ସମ୍ପୂର୍ଣ୍ଣ ହୋଇ ପାରିନଥିଲା, ଏଣୁ ରତ୍ନଭଣ୍ଡାର ଚାବି ଉପସ୍ଥାପନ ହୋଇପାରିଲାନି। ଏଣୁ ଆସନ୍ତା ୧୪ ତାରିଖରେ ନିଶ୍ଚିତ ଚାବି ବୈଠକରେ ଉପସ୍ଥାପିତ ହେବ। ଗଣତି ଓ ମଣତି ବେଳେ ଏହାର ମାନ ବି ପରୀକ୍ଷା କରାଯିବ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି। ହୀରା, ନୀଳା, ମୋତି, ମାଣିକ ଆଦି କେତେ ରହିଛି, ତାର ତାଲିକା ପ୍ରସ୍ତୁତ ହେବ। ଗଣତି ଆରମ୍ଭ ପୂର୍ବରୁ ଅନେକ ଦଳ ଗଠନର ଆବଶ୍ୟକତା ରହିଛି ବୋଲି ଜଷ୍ଟିସ ରଥ କହିଛନ୍ତି।