ରତ୍ନପଥର ଖଣିରେ ଖନନ ବେଳେ ୪ ଶ୍ବାସରୁଦ୍ଧ: ୨ମୃତ, ୨ ଗୁରୁତର

ବଲାଙ୍ଗୀର/ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବନଖଣ୍ଡ ଅନ୍ତର୍ଗତ ମୁରିବାହାଲ ନିକଟ ତିଖାରୀ ଜଙ୍ଗଲରେ ଶୁକ୍ରବାର ରତ୍ନପଥର ଖନନ ସମୟରେ ଅଘଟଣ ଘଟିଛି। ଖଣି ଭିତରେ କାମ କରୁଥିବା ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ମୃତକ ଦ୍ବୟ ହେଲେ ଗୁଲମି ଗ୍ରାମର ନବୀନ ଜାନୀ ଓ ନୂଆପଡ଼ା ଗ୍ରାମର ଉଜ୍ୱଳ ଭୋଇ। ଗୁରୁତର ଦ୍ବୟ କର୍ଲା ଗ୍ରାମର ଚିନ୍ତା ନାଗ ଓ ନୂଆଁପଡ଼ା ଗ୍ରାମର ରାଜକିଶୋର ପ୍ରଧାନୀ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ମୁରିବାହାଲ ନିକଟ ତିଖାରୀ ଜଙ୍ଗଲରେ ରତ୍ନପଥର ଖନନ ଚାଲିଥିଲା। ଶୁକ୍ରବାର ସ୍ଥାନୀୟ ଶ୍ରମିକମାନେ ପଥର ଖୋଳିବା ପାଇଁ ଗାତକୁ ଓହ୍ଲାଇଥିଲେ। ଭିତରେ ସେମାନେ ଡିନାମାଇଟ ଲଗାଇବା ସହ ବିଭିନ୍ନ ଗ୍ୟାସ୍‌ ବ୍ୟବହାର କରୁଥିଲେ। ହଠାତ୍‌ ଭିତରେ ଶ୍ରମିକମାନେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଫଳରେ, ନବୀନ ଓ ଉଜ୍ୱଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଚିନ୍ତା ଓ ରାଜକିଶୋର ଗୁରୁତର ହୋଇଥିଲେ। ଖବର ପାଇ ପୁଲିସ ଡିଏସ୍‌ପି ସୁରେନ୍ଦ୍ରନାଥ ଶତପଥୀ, ଥାନାଧିକାରୀ ରଂଜନ ବରିହା, ଟିଟିଲାଗଡ଼ ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଜଙ୍ଗଲରୁ ରତ୍ନପଥର ସଂଗ୍ରହ କରାଯାଉଥିଲା। ଏଥିପାଇଁ ଶହ ଶହ ସ୍ଥାନରେ ବଡ଼ବଡ଼ ଗାତ ଖୋଳାଯାଉଥିଲା। ହୀରା, ନୀଳା ଆଦି ମୂଲ୍ୟବାନ ରତ୍ନପଥର ସଂଗ୍ରହ କରି ବାହାରକୁ ଚୋରାଚାଲାଣ କରାଯାଉଥିଲା। ଗୋଟିଏ ଗୋଟିଏ ଗାତ ଶହେ ଦୁଇ ଶହ ଫୁଟ ଥିବା କୁହାଯାଉଛି। ପଥର ଚଟାଣକୁ ଫଟାଇ ମାଫିଆମାନେ ରତ୍ନପଥର ଉତ୍ତୋଳନ କରୁଥିଲେ। ଏଥିରେ ସ୍ଥାନୀୟ ଶ୍ରମିକଙ୍କୁ ହିଁ ବ୍ୟବହାର କରାଯାଉଥିଲା। ରତ୍ନପଥର ଖନନ ଜଙ୍ଗଲରେ ଏତେଦିନରୁ ଚାଲିଥିଲେ ବି କେହି କିଛି ଜାଣିନଥିଲେ। ଏତେ ବଡ଼ ଘଟଣା ପରେ ଏବେ ସବୁ ସାମ୍ନାକୁ ଆସିଥିବା ବେଳେ ବନବିଭାଗ ସହ ରତ୍ନପଥର ମାଫିଆଙ୍କ ଲିଙ୍କ୍‌ ଚର୍ଚ୍ଚାର ବିଷୟ ହେଲାଣି। କାରଣ ବହୁବର୍ଷ ହେଲା କାମ ଚାଲୁଥିଲେ ବି କେବେ କିଛି ଚଢ଼ଉ ହୋଇନଥିଲା। ଏପରିକି ପୂର୍ବରୁ ରତ୍ନପଥର ମାଫିଆ କିଛି ଚୋରା ଚାଲାଣରେ ଜେଲ୍‌ ଯାଇଥିଲେ ବି ଏହି ଖନନର ଟେର୍‌ କେହି ପାଇନଥିଲେ। ଏବେ ମୃତ ଶ୍ରମିକଙ୍କ ପରିବାର ଲୋକ କ୍ଷତିପୂରଣ ଦାବି କରିବା ସହ ସବୁ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି। କିନ୍ତୁ ରତ୍ନପଥର ଖନନ ପଛର ମୁଖ୍ୟ ମାଫିଆ କିଏ? କିଏ ଶ୍ରମିକଙ୍କୁ ଲଗାଇ କାମ କରୁଥିଲା? ଏସବୁ ଦିଗରେ ପୁଲିସ ଓ ପ୍ରଶାସନ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର