ଯଦି ବାହାର ରତ୍ନ ଭଣ୍ଡାରର ସ୍ଥିତି ଭଲ ଥିବ, ତାହେଲେ ଭିତର ଭଣ୍ଡାର ଯାଞ୍ଚର ଆବଶ୍ୟକତା ନାହିଁ: ବିଶେଷଜ୍ଞ ଟିମ୍‌

ପୁରୀ: ପୁରୀ ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରର ଉତ୍ତର ପାର୍ଶ୍ୱର ସ୍ଥିତି ବିଶେଷଜ୍ଞ ଟିମ୍‌ ଯାଞ୍ଚ କରୁଛି । ଶ୍ରୀମନ୍ଦିର କୋର କମିଟିର ସଦସ୍ୟଙ୍କ ସହ ପ୍ରତ୍ନତତ୍ୱ ବିଭାଗର ୨ ଜଣ ସଦସ୍ୟ ଏହି ଯାଞ୍ଚରେ ସାମିଲ ଅଛନ୍ତି।

ବିଶେଷଜ୍ଞଙ୍କ କହିବା କଥା, ଯଦି ବାହାର ରତ୍ନ ଭଣ୍ଡାରର ସ୍ଥିତି ଭଲ ଥିବ, ତାହେଲେ ଭିତର ଭଣ୍ଡାରର ଯାଞ୍ଚ କରିବାର ଆବଶ୍ୟକତା ନାହିଁ । ସୋମବାର ସଂଧ୍ୟାରେ ବସିବାକୁ ଥିବା ସବକମିଟି ବୈଠକରେ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ସ୍ଥିର କରାଯିବ । ସେପଟେ ରତ୍ନଭଣ୍ଡାର ଖୋଲିବା ପାଇଁ ଓଡିଶା ସରକାରଙ୍କ ଠାରୁ ମଗାଯାଇଥିବା ଅନୁମତି ସଂପର୍କରେ କୌଣସି ଉତ୍ତର ଏଯାବତ୍‌ ଆସିନାହିଁ ।

ଅନ୍ୟପଟେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନା ନାହିଁ ସେ ନେଇ ସୋମବାର ବସିବ ରତ୍ନଭଣ୍ଡାର ସବ କମିଟିର ଜରୁରୀ ବୈଠକ । ଯେଉଁଥିରେ ଭଣ୍ଡାର ଘର ଖୋଲିବା ନେଇ ନିଷ୍ପତି ନିଆଯିବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ ଉପସ୍ଥିତ ରହିବେ । ସନ୍ଧ୍ୟାରେ ବୈଠକ ପରେ ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ କରିବେ ମୁଖ୍ୟ ପ୍ରଶାସକ । ତେବେ ଶ୍ରୀମନ୍ଦିର ପ୍ରଶାସନ, ରତ୍ନଭଣ୍ଡାର ନଖୋଲି ବିକଳ୍ପ ଉପାୟରେ ସ୍ଥିତି ଯାଞ୍ଚ କରିବାକୁ ବିଚାର କରୁଥିବା ଚର୍ଚ୍ଚା ହେଉଛି । କୁହାଯାଉଛି, ନାଭିକଟା ମଣ୍ଡପରୁ ଏଏସଆଇ ବିଶେଷଜ୍ଞ ଦଳ ରତ୍ନଭଣ୍ଡାର ଛାତ ଯାଞ୍ଚ କରିବାକୁ ଯୋଜନା କରୁଛନ୍ତି। ବୈଠକ ପରେ ପ୍ରଶାସନ ଆସନ୍ତା ୨୯ତାରିଖ ଦିନ ତାର ନିଷ୍ପତି ହାଇକୋର୍ଟଙ୍କୁ ଜଣାଇବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର