ପୁରୀ : ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ଆବଶ୍ୟକ ମରାମତି ଶେଷ ହୋଇଛି। ଗର୍ଭଗୃହରେ ମୂଷା ଉତ୍ପାତକୁ ନେଇ ସେବାୟତ ଓ ଭକ୍ତଙ୍କ ପ୍ରତିକ୍ରିୟା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ମୂଷା ଚଳପ୍ରଚଳ କରୁଥିବା ସନ୍ଦେହରେ ଜଗମୋହନର ବିଭିନ୍ନ ସ୍ଥାନରେ ତାର ଜାଲି ଲଗାଯାଇଛି। ସେହିଭଳି ରତ୍ନଭଣ୍ଡାରର ଗ୍ରିଲ୍ରେ ବି ଜାଲି ଲଗାଯାଇଛି। ରତ୍ନଭଣ୍ଡାର ଭିତରେ ବହୁସଂଖ୍ୟାରେ ମୂଷା ରହୁଥିବା ସନ୍ଦେହ କରି ପ୍ରତ୍ନତତ୍ତ୍ବ ବିଭାଗ ଏଭଳି ପଦକ୍ଷେପ ନିଆଯାଇଛି। ମୂଷା ଘଉଡ଼ାଇବା ପରେ ପିସିଆଇ(ପେଷ୍ଟ କଣ୍ଟ୍ରୋଲ ଅଫ୍ ଇଣ୍ଡିଆ)ର ଏକ ପ୍ରତିନିଧି ଦଳ ଶ୍ରୀମନ୍ଦିର ଆସି ଅନୁଧ୍ୟାନ କରିବା ସହ ଆବଶ୍ୟକ ପରାମର୍ଶ ଦେଇଛନ୍ତି।
ନାଟମଣ୍ଡପ କ୍ୟାପିଟାଲ ବିମ୍ର ମରାମତି, ରତ୍ନ ସିଂହାସନରୁ ଦୀପ କଳା ସଫା
ମୂଷା ଘଉଡ଼ାଇବା ନେଇ ପିସିଆଇର ଅନୁଧ୍ୟାନ
ଦୈନିକ ନୀତି ଚାଲୁଥିବାରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ହିଁ ଶ୍ରୀମନ୍ଦିରର ବାର୍ଷିକ ମରାମତି କରାଯାଇଥାଏ। ଚଳିତବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ପରେ ପରେ ଏନ୍ଏମ୍ଏ ଅଧ୍ୟକ୍ଷ ତଥା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ମହାନିର୍ଦ୍ଦେଶକ କିଶୋର ବାସା, ବରିଷ୍ଠ ବିଶେଷଜ୍ଞ ଏ କେ ପଟେଲ, ଭୁବନେଶ୍ବର ଅଧୀକ୍ଷକ ଡି. ଏସ. ଗଡ଼ନାୟକ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଅଜିତ କୁମାର ମହାପାତ୍ର ପ୍ରମୁଖ ଶ୍ରୀମନ୍ଦିର ଯାଇ ଗର୍ଭଗୃହ ଓ ଅନ୍ୟାନ୍ୟ ସ୍ଥାନର ଆବଶ୍ୟକ ମରାମତି ଉପରେ ଅନୁଧ୍ୟାନ କରିଥିଲେ। ସେହି ଅନୁଯାୟୀ ଶ୍ରୀଗୁଣ୍ଡିଚା ଯାତ୍ରା ପରଠାରୁ ଶ୍ରୀମନ୍ଦିରର ଆବଶ୍ୟକ ମରାମତି ଆରମ୍ଭ ହୋଇଥିଲା।
/sambad/media/post_attachments/wp-content/uploads/2023/04/srimandir-puri-750x430.jpg)
ପ୍ରତ୍ନତତ୍ତ୍ବ ବିଭାଗ ସୂଚନା ମୁତାବକ, ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରି ବିଜେ ଭିତରେ ଗର୍ଭଗୃହର ଅନେକ କାମ କରାଯାଇଛି। ଦୀପ, ଧୂପ ଲାଗି ରତ୍ନ ସିଂହାସନ କଳା ପଡ଼ିଯାଇଥିଲା। କେମିକାଲ୍ ଜରିଆରେ ଏହାକୁ ସଫା କରାଯାଇଛି। ଗର୍ଭଗୃହର ଅନ୍ୟାନ୍ୟ ସ୍ଥାନରୁ ବି କଳା ସଫା କରାଯାଇଛି। ଜଗମୋହନର ପ୍ରଥମ ମହଲାରେ ବିଭିନ୍ନ ସ୍ଥାନ ମୂଷା ପାଇଁ ଲୁହା ଜାଲି ଲଗାଇ ଚଳପ୍ରଚଳ ବାଟ ବନ୍ଦ କରାଯାଇଛି। ଏଠାରେ ଲାଗିଥିବା ଏସିର ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଜିନିଷ ଯାଞ୍ଚ କରାଯାଇଛି। ଆବଶ୍ୟକସ୍ଥଳେ ମରାମତି କରାଯାଇଛି। ପାଣି ନାଳଗୁଡ଼ିକ ବି ସଫା କରାଯାଇଛି। ନାଟମଣ୍ଡପ ଅନୁଧ୍ୟାନ ପାଇଁ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଓ ଆଇଆଇଟି ଚେନ୍ନାଇର ବରିଷ୍ଠ ବିଶେଷଜ୍ଞମାନେ ଆସିଥିଲେ। ସେମାନେ ଶ୍ରୀମନ୍ଦିର ସଂରକ୍ଷଣ ଉପରେ ଅନେକ ପରାମର୍ଶ ଦେଇଥିଲେ। ନାଟମଣ୍ଡପ ସଂରକ୍ଷଣ ଉପରେ ବି ଆବଶ୍ୟକ ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ ନାଟମଣ୍ଡପରେ ଥିବା କ୍ୟାପିଟାଲ୍ଗୁଡ଼ିକୁ ଚାରିପାର୍ଶ୍ବରୁ ବାନ୍ଧି ରଖିବା ପାଇଁ ଲୁହାର ବାନ୍ଧେଣୀ ଦିଆଯାଇଛି। ସତ୍ୟନାରାୟଣ ମନ୍ଦିରରୁ ମୁକ୍ତିମଣ୍ଡପ ପର୍ଯ୍ୟନ୍ତ ଚଟାଣ ପଥର ବଦଳା କାମ ଆରମ୍ଭ ହୋଇଥିଲା। ଏହାର ଅଧିକାଂଶ କାମ ସରିଯାଇଛି। ବାକି କାମ ଖୁବଶୀଘ୍ର ସାରିବାକୁ ଲକ୍ଷ୍ୟ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/srimandir-1.jpg)