ରେଭେନ୍ସା, ସମ୍ବଲପୁର ଓ ଓଏସ୍‌ଓୟୁ କୁଳପତି ଚୟନ ପ୍ରସଙ୍ଗ : ରାଜଭବନକୁ ଗଲା ନାଁ

ଚୂଡ଼ାନ୍ତ ଦୌଡ଼ରେ ୮ ପ୍ରଫେସର
୨୦ରୁ ୨୨ ଯାଏ ସାକ୍ଷାତକାର
ଏଥର ଅଲଗା ଅଲଗା ଦିନ ସାକ୍ଷାତକାର

ଭୁବନେଶ୍ବର : ରେଭେନ୍ସା ସମେତ ସମ୍ବଲପୁର ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ(ଓଏସ୍‌ଓୟୁ) କୁଳପତି ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୩ଟି ବିଶ୍ବବିଦ୍ୟାଳୟ ଲାଗି ଗଠିତ ସର୍ଚ୍ଚ କମିଟି ପ୍ରାୟ ୪୦ ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ୩ ଜଣିଆ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରି ରାଜଭବନକୁ ପଠାଇଛି। ୩ଟି ଯାକ ବିଶ୍ବବିଦ୍ୟାଳୟ ପାଇଁ ୯ ଜଣ ପ୍ରଫେସରଙ୍କ ନାମ ତାଲିକା ପହଞ୍ଚିଛି। ଯେଉଁଥିରେ ଜଣେ ପ୍ରଫେସର ଦୁଇଟି ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ରହିଛନ୍ତି। ୩ ବିଶ୍ବବିଦ୍ୟାଳୟ ଲାଗି ୮ ଜଣ ପ୍ରଫେସର ରହିଛନ୍ତି। ଯେଉଁଥିରେ ୭ ଜଣ ଓଡ଼ିଆ ଥିବା ବେଳେ ଜଣେ ଅଣ ଓଡ଼ିଆ ପ୍ରଫେସର ସାମିଲ ଅଛନ୍ତି। ଜଣେ ବର୍ତମାନର କୁଳପତି ଓ ଜ‌ଣେ ପୂର୍ବତନ କୁଳପତି ମଧ୍ୟ ତାଲିକାରେ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ଥିବା ୩ ପ୍ରାର୍ଥୀ ହେଉଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ପ୍ରଫେସର ଅର୍କଦାସ ମହାପାତ୍ର, ବିଏଚ୍‌ୟୁ(ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ)ର ଇଂରାଜୀ ପ୍ରଫେସର ଦିପ୍ତୀରଞ୍ଜନ ପଟ୍ଟନାୟକ, ଦିଲ୍ଲୀସ୍ଥିତ ସିପେଟ୍‌ର ଡାଇରେକ୍ଟର ଜେନେରାଲ ଡ. ସଞ୍ଜୟ କୁମାର ନାୟକ। ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ଜୟନ୍ତ କୁମାର ପରିଡ଼ା, ଉତ୍ତର ପ୍ରଦେଶର ଏକ ବିଶ୍ବବିଦ୍ୟାଳୟର ପ୍ରଫେସର ସଞ୍ଜୟ ମିତ୍ତଲ୍‌ ଓ ‘ନେହୁ’ର ପ୍ରଫେସର ବିଶ୍ବମ୍ବର ମିଶ୍ର ରହିଛନ୍ତି। ଓଏସ୍‌ଓୟୁ କୁଳପତି ପାଇଁ ବର୍ତମାନର କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର, ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ପ୍ରଫେସର ଅର୍କଦାସ ମହାପାତ୍ର, ପୂର୍ବତନ କୁଳପତି ପ୍ରଫେସର ଆର୍‌ ପି ଦାସ ଅଛନ୍ତି। ରାଜଭବନରେ ୩ ଜଣିଆ କୁଳପତି ପ୍ରାର୍ଥୀଙ୍କ ତାଲିକା ପହଞ୍ଚିବା ପରେ ରାଜ୍ୟପାଳ ତଥା କୁଳାଧିପତି ତତ୍ପରତା ପ୍ରକାଶ କରିଛନ୍ତି। ଜାନୁଆରି ୨୦ରୁ ୨୨ ତାରିଖ ମଧ୍ୟରେ ପ୍ରଫେସରମାନଙ୍କ ସାକ୍ଷାତକାର ନିଆଯିବା ପରେ କୁଳପତିଙ୍କ ନାମ ଘୋଷଣା କରାଯିବ। ଯେଉଁଦିନ ସାକ୍ଷାତକାର ନିଆଯିବ ସେଦିନ ନାମ ଘୋଷଣା ହେବ ବୋଲି ରାଜଭବନ ପକ୍ଷରୁ ଜଣାପଡ଼ିଛି।
ସବୁଠାରୁ ବଡ଼ କଥା ହେଉଛି ଯେ ଏଥର ୩ଟି ଯାକ ବିଶ୍ବବିଦ୍ୟାଳୟ ଲାଗି ଅଲଗା ଅଲଗା ଦିନ ସାକ୍ଷାତକାର ନିଆଯିବ। ୨୦ ତାରିଖରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଲାଗି ସାକ୍ଷାତକାର ରହିଛି। ପରବର୍ତୀ ଦୁଇଦିନ ଅନ୍ୟ ଦୁଇଟି ବିଶ୍ବବିଦ୍ୟାଳୟ ଲାଗି ସାକ୍ଷାତକାର ଅନୁଷ୍ଠିତ ହେବ। ପୂର୍ବରୁ ୬ଟି ବିଶ୍ବବିଦ୍ୟାଳୟର ନୂତନ କୁଳପତି ଚୟନ ଗୋଟିଏ ଦିନରେ କରାଯାଇଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ଯାହାକି ଏବେ ବି ଲାଗିରହହିଛି। କୁଳପତି ପ୍ରାର୍ଥୀଙ୍କ ଲିଖିତ ପରୀକ୍ଷା କରାଯାଇଥିବାରୁ ପୂର୍ବତନ କୁଳପତି ଓ ବୁଦ୍ଧିଜୀବୀମାନେ କୁଳପତି ଚୟନ ଉପରେ ପ୍ରଶ୍ନ ଉଠାଇବା ସହ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ତେଣୁ ଏଥର ଆଉ ବିବାଦ ଭିତରେ ନ ପଶି ଗୋଟିଏ ଦିନ ଗୋଟିଏ ବିଶ୍ବବିଦ୍ୟାଳୟ କୁଳପତି ଲାଗି ସାକ୍ଷାତକାର ନିଆଯିବାକୁ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର