ଦୌଡ଼ରେ ଅନିୟମିତତା ଅଭିଯୋଗ ଥିବା ପୂର୍ବତନ କୁଳପତି
ସଂକ୍ଷିପ୍ତ ତାଲିକାର ସ୍ବଚ୍ଛତାକୁ ନେଇ ପୁଣି ଉଠିଲା ପ୍ରଶ୍ନ

Advertisment

ଭୁବନେଶ୍ବର : ରେଭେନ୍ସା ସମେତ ସମ୍ବଲପୁର ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ(ଓଏସ୍‌ଓୟୁ)ର ନୂତନ କୁଳପତି ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୩ଟି ଯାକ ବିଶ୍ବବିଦ୍ୟାଳୟ ଲାଗି ଆବେଦନ ଶେଷ ହେବା ସହ ସର୍ଚ୍ଚ କମିଟି ଗଠନ ପରେ ଏବେ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ହୋଇଛି। ଉକ୍ତ ବିଶ୍ବବିଦ୍ୟାଳୟଗୁଡ଼ିକ ଲାଗି ୧୪୧ଟି ଆବେଦନପତ୍ର ଆସିଥିଲା। ସେଥିମଧ୍ୟରୁ ସଂକ୍ଷିପ୍ତ ତାଲିକାରେ ୪୩ ଜଣ ରହିଛନ୍ତି। ସମ୍ବଲପୁର ବିଶ୍ବବିଦ୍ୟାଳୟ ଲାଗି ୫୪ଜଣ ପ୍ରଫେସର୍‌ ଆବେଦନ କରିଥିବା ବେଳେ ୧୫ ଜଣ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି। ରେଭେନ୍ସା ବିଶ୍ବବିଦ୍ୟାଳୟ ପାଇଁ ୫୨ ଏବଂ ଓଏସ୍‌ଓୟୁ ଲାଗି ୩୫ଜଣ ପ୍ରଫେସର୍‌ ଦୌଡ଼ରେ ସାମିଲ ହୋଇଥିଲେ। ତେବେ ଉଭୟ ବିଶ୍ବବିଦ୍ୟାଳୟ ଲାଗି ସଂକ୍ଷିପ୍ତ ତାଲିକାରେ ୧୪ ଜଣ ଲେଖାଏଁ ପ୍ରଫେସର ରହିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରେଭେନ୍ସା ବିଶ୍ବବିଦ୍ୟାଳୟ, ଉତ୍ତର ଓଡ଼ିଶା‌ ବିଶ୍ବବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କିଛି ପ୍ରଫେସର ୩ଟି ଯାକ କୁଳପତି ଦୌଡ଼ରେ ରହିଛନ୍ତି। ଏହାବ୍ୟତୀତ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ(ବିଏଚ୍‌ୟୁ), ଦିଲ୍ଲୀ ବିଶ୍ବବିଦ୍ୟାଳୟ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଥିବା କେତେକ ବିଶ୍ବବିଦ୍ୟାଳୟର କୁଳପତି ବି ଏହି ଦୌଡ଼ରେ ଅଛନ୍ତି। ୩ଟି ଯାକ ବିଶ୍ବବିଦ୍ୟାଳୟ କୁଳପତି ଲାଗି ଚଳିତ ସପ୍ତାହରେ ପ୍ରାର୍ଥୀଙ୍କ ସାକ୍ଷାତକାର ନିଆଯିବ। ଜାନୁଆରି ୧୧ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ, ୧୨ରେ ଓଏସ୍‌ଓୟୁ ଏବଂ ୧୫ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଲାଗି ଦିନ ଧାର୍ଯ୍ୟ ହୋଇଛି। ସର୍ଚ୍ଚ କମିଟିର ସଦସ୍ୟମାନେ କୁଳପତି ପ୍ରାର୍ଥୀଙ୍କୁ ସେହି ଅନୁଯାୟୀ ସାକ୍ଷାତକାର ନେବେ।

ଆବେଦନପତ୍ର ଯାଞ୍ଚ ସମୟରେ ବହୁ ସଂଖ୍ୟକ ପ୍ରଫେସର ବାଦ୍‌ ପଡ଼ିଛନ୍ତି। ସମାନ ଯୋଗ୍ୟତା ରହିଥିଲେ ମଧ୍ୟ କେତେଜଣ ପ୍ରଫେସର ଗୋଟିଏ ବିଶ୍ବବିଦ୍ୟାଳୟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଅନ୍ୟଟିରେ ବାଦ୍‌ ପଡ଼ିଛନ୍ତି। ଏମିତି କେତେ ଜଣ ସମସ୍ତ ୩ଟି ଯାକ କୁଳପତି ଦୌଡ଼ର ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇବା ସହ ସାକ୍ଷାତକାର ଦେବାକୁ ମନୋନୀତ ହୋଇଛନ୍ତି। ବିଶ୍ବବିଦ୍ୟାଳୟ ପାଣ୍ଠି ଅନିୟମିତତା ଅଭିଯୋଗ ଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଜଣେ ପୂର୍ବତନ କୁଳପତି ସଂକ୍ଷିପ୍ତ ତାଲିକାରେ ବି ସ୍ଥାନ ପାଇଛନ୍ତି। ଏନେଇ ଦୁଇଦିନ ତ‌ଳେ କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ରିପୋର୍ଟ ମଗାଯାଇଛି। ଏଭଳି ସମୟରେ ଉକ୍ତ ପୂର୍ବତନ କୁଳପତି ଜଣକ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏମିତିକି ଆବେଦନପତ୍ର ଯାଞ୍ଚ ସମୟରେ ପ୍ରିୟାପ୍ରୀତି ତୋଷଣ ହୋଇଥିବା ନେଇ ଅଭିଯୋଗ ଉଠିଲାଣି। ପୂର୍ବରୁ ୬ ବିଶ୍ବବିଦ୍ୟାଳୟ କୁଳପତି ଚୟନ ଯେଉଁଭଳି ଢଙ୍ଗରେ ହୋଇଥିଲା ତାହାକୁ ନେଇ ବିବାଦ ଥମି ନ ଥିବା ବେଳେ ଏବେ ଆଉ ୩ଟି କୁଳପତି ଚୟନରେ ସ୍ବଚ୍ଛତା ନେଇ ସନ୍ଦେହ ସୃଷ୍ଟି ହୋଇଛି।