କଟକ: ପୁଣି କରୋନା ନିୟମ ଭାଙ୍ଗିଲେ ରେଭେନ୍ସା ଛାତ୍ରଛାତ୍ରୀ। କଟକଣା ଭୁଲି ଓମିକ୍ରନକୁ ଆମନ୍ତ୍ରଣ କଲେ ଛାତ୍ରଛାତ୍ରୀ। ୧୫ ତମ ଆଥଲେଟିକ୍ ମିଟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ହଜାର ହଜାର ଛାତ୍ରଛାତ୍ରୀ କରୋନା କଟକଣା ଭୁଲି ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ପରେ କଟକ ମହାନଗର ନିଗମ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।
ଏପରି ସ୍ଥଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଉ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ପୂର୍ବପରି ଛାତ୍ରଛାତ୍ରୀମାନେ ନାଚଗୀତ କରୁଥିବା ଦେଖିବାକୁ ମିଳିଛି । ସାମାଜିକ ଦୂରତାକୁ ଭୁଲି ଶହଶହ ଛାତ୍ରଛାତ୍ରୀ ନାଚୁଥିବା ଦେଖିବାକୁ ମିଳିଛି । ରେଭେନ୍ସାର ଇଷ୍ଟ୍, ୱେଷ୍ଟ୍ ଛାତ୍ରାବାସର ୧୦୦ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜନ କରାଯାଇଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଭଳି ଭିଡ଼ ଦେଖିବାକୁ ମିଳିଛି। ରେଭେନ୍ସା ଭଳି ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଶିକ୍ଷିତ ଛାତ୍ରଛାତ୍ରୀମାନେ କୋଭିଡ ନିୟମକୁ ଏଭଳି ପାଳନ ନ କରିବାକୁ ନେଇ ପ୍ରଶ୍ନ ଉଠିଛି । କର୍ତୃପକ୍ଷ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ପୁନର୍ବାର ଏଭଳି ଚିତ୍ର ଦେଖିବାକୁ ମିଳିଛି ବୋଲି କୁହାଯାଉଛି। ଓମିକ୍ରନ ସଂକ୍ରମଣ ବେଳେ ଏଭଳି ଦୃଶ୍ୟ ପୁଣି ଥରେ ଶିକ୍ଷାନୁଷ୍ଠାନକୁ ବନ୍ଦ ଆଡକୁ ନେଇ ଯିବଡ଼ରେ ସହାୟକ ହେଉଛି।
ଅନ୍ୟପଟେ ବ୍ରହ୍ମପୁର ପଲ୍ଲିଶ୍ରୀ ମେଳାରେ ଶେଷ ଦିନରେ ପୁଣି ଭିଡ଼ ଦେଖିବାକୁ ମିଳିଛି। ପ୍ରବଳ ଭିଡ଼ ହୋଇଥିବା ବେଳେ ପ୍ରଶାସନ ହାତ ଟେକି ଦେଇଥିବା ଭଳି ମନେ ହେଉଥିଲା। ମେଳାରେ ଦୁଇ ଦିନ ହେବ କୋଭିଡ ନିୟମ ଉଲ୍ଲଂଘନ ଦେଖିବାକୁ ମିଳୁଥିଲେ ମଧ୍ୟ ପୁଲିସ ଅବା ପ୍ରଶାସନ ପକ୍ଷରୁ ଏଥିପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା। ଯାହା ଫଳରେ ମେଳାର ଶେଷ ଦିନରେ ବି ପ୍ରବଳ ଗହଳି ଦେଖିବାକୁ ମିଳିଛି। ଓମିକ୍ରନକୁ ନେଇ ରାଜ୍ୟ ସରକାର କଟକଣା ଲଗାଉଥିବା ବେଳେ ଏଭଳି ଭିଡ଼ କେଉଁଠି କେଉଁଠି ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତର ତାଳେ ତାଳେ ଦର୍ଶକମାନେ ନାଚୁଥିବା ଦେଖିବାକୁ ମିଳିଛି। ସବୁଠୁ ବଡ଼ କଥା ହେଉଛି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ରହ୍ମପୁର ମହାନଗର ନିଗର କମିସନରଙ୍କ ଭଳି ଜିଲ୍ଲା ଉଚ୍ଚପଦସ୍ଥ ଅଧିକାରୀ ବସିଥିବା ବେଳେ ଏଭଳି କୋଭିଡ ନିୟମ ଉଲ୍ଲଂଘନ ଦେଖିବାକୁ ମିଳିଥିଲା।