ରେଭେନ୍ସା ବନ୍ଧୁମିଳନ ୨୭ରେ

ଭୁବନେଶ୍ୱର : ରେଭେନ୍ସା ପୁରାତନ ଛାତ୍ରସଂସଦ ୨୦୧୯ର ବାର୍ଷିକ ବନ୍ଧୁମିଳନ ଚଳିତ ଜାନୁଆରି ୨୭ ତାରିଖ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆନେକ୍ସ-୧ରେ ପୂର୍ବାହ୍ନ ୧୧ଟା ସମୟରେ ହେବା ପାଇଁ ସ୍ଥିର କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ରେଭେନ୍ସାର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ପୁରାତନ ଛାତ୍ରଛାତ୍ରୀମାନଙ୍କର ଯେଉଁ ମହାମିଳନ ଅନୁଷ୍ଠିତ ହୋଇଥିଲା, ସେଥିରେ ବର୍ଷର ଗୋଟିଏ ନିର୍ଦିଷ୍ଟ ତାରିଖରେ ବାର୍ଷିକ ବନ୍ଧୁମିଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଏହି ଅବସରରେ ଏକ ସ୍ମାରକୀ ବକ୍ତୃତାମାଳାର ମଧ୍ୟ ଶୁଭ ଉଦ୍‌ଘାଟନ ହେବାକୁ ଯାଉଛି । ଏ ବର୍ଷ ରାଜ୍ୟସଭାର ତୃଣମୂଳ କଂଗ୍ରେସ ନେତା ଡେରେକ୍ ଓ ବ୍ରାଏନ୍ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ। ଉଲ୍ଲେଖଯୋଗ୍ୟ ଯେ, ଡେରେକ ଓ ବ୍ରାଏନ୍ ରେଭେନ୍ସାର ପ୍ରାକ୍ତନ ପ୍ରଫେସର ଓ’ବ୍ରାଏନଙ୍କ ନାତି। ପୁରାତନ ଛାତ୍ର ସଂସଦର ପଞ୍ଜିକୃତ ସମସ୍ତ ସଭ୍ୟସଭ୍ୟାଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସଂସଦର ସଭାପତି ସୌମ୍ୟରଂଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ନୂଆକରି ପଞ୍ଜିକୃତ ହେବା ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ଏହି ଅବସରରେ ଟ.୧୦୦୦.୦୦ (ଏକ ହଜାର ଟଙ୍କା)ଶୁଳ୍କ ଦେଇ ନାମ ପଞ୍ଜିକରଣ କରିପାରିବେ। ସ୍ମାରକୀ ବକ୍ତୃତା ଓ ମଧ୍ୟାହ୍ନ ଭୋଜନ ପରେ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତା ୩ ବର୍ଷ ପାଇଁ ସଂସଦର ନୂତନ କାର୍ଯ୍ୟକର୍ତା ନିର୍ବାଚନର କାର୍ଯ୍ୟକ୍ରମ ରହିଛି।

ଏ ସଂପର୍କରେ ଅଧିକ ସୂଚନା ପାଇଁ ପ୍ରଫେସର ସଙ୍ଗୀତା ରଥଙ୍କ ମୋବାଇଲ ୯୪୩୭୫୭୭୨୧୧ରେ ନତୁବା ୯୧୭୮୭୬୭୫୩୬ ନମ୍ବରରେ ଯୋଗାଯୋଗ କରିବାକୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର