ପ୍ରାଧ୍ୟାପିକାଙ୍କୁ ଅସଦାଚରଣ ଅଭିଯୋଗର ଛାନଭିନ୍‌

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗର ପ୍ରାଧ୍ୟାପିକା ଅଞ୍ଜୁମନ୍‌ ଆରା ତାଙ୍କ ବିଭାଗର ସଂଯୋଜକ ତଥା ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅଭିଷେକ ଶର୍ମାଙ୍କ ବିରୋଧରେ ଅସଦାଚରଣ ଓ ତଣ୍ଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗ ଆଣିଛନ୍ତି। ଏନେଇ ଶ୍ରୀମତୀ ଆରା ମହିଳା ଥାନାରେ ଅଭିଯୋଗ କରିବା ସହ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଶ୍ରୀ ଶର୍ମା ମଧ୍ୟ ଶ୍ରୀମତୀ ଆରାଙ୍କ ବିରୋଧରେ କୁଳପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସିସିଡିଙ୍କ କାର୍ଯ୍ୟାଳୟରୁ ଏକ ଫାଇଲ ଗତ ସୋମବାର ଦିନ ତାଙ୍କ ନାମରେ ଆସିଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଏହାକୁ ଶ୍ରୀମତୀ ଆରା ଗ୍ରହଣ କରି ସେଥିରୁ କିଛି କାଗଜ ନେଇଯାଇଥିବା ଅଭିଯୋଗ କରିଛନ୍ତି ଶ୍ରୀ ଶର୍ମା। ଫାଇଲରୁ କାହିଁକି କାଗଜ ନେଲ ବୋଲି ସେ ପଚାରିବାରୁ ଶ୍ରୀମତୀ ଆରା ତାଙ୍କ ମୁହଁକୁ ମାରିଥିଲେ ଏବଂ ହତ୍ୟା ଧମକ ଦେଇଥିଲେ ବୋଲି ଶ୍ରୀ ଶର୍ମା କୁଳପତିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଦୁଇ ପକ୍ଷରୁ ଅଭିଯୋଗ ପାଇବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଚଣ୍ଡିପ୍ରସାଦ ନନ୍ଦଙ୍କ ନେତୃତ୍ୱରେ ଏକ ତିନି ଜଣିଆ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କମିଟି ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ କୁଳପତିଙ୍କୁ ପ୍ରଦାନ କରିବାକୁ କୁହାଯାଇଛି। ସେହି ଅନୁଯାୟୀ ଆଜି ଶ୍ରୀ ଶର୍ମା ଓ ଶ୍ରୀମତୀ ଆରାଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ଡକାଯାଇଥିଲା। କମିଟି ନିକଟରେ ନିଜ ପକ୍ଷ ରଖିବାକୁ ଶ୍ରୀ ଶର୍ମା ଆଜି ଆସିଥିବା ବେଳେ ଆସନ୍ତାକାଲି ଶ୍ରୀମତୀ ଆରା ଆସିବେ ବୋଲି କମିଟିର ଅଧ୍ୟକ୍ଷ ଶ୍ରୀ ନନ୍ଦ ସୂଚାନ ଦେଇଛନ୍ତି। ସେପଟେ ମହିଳା ଥାନା ପୁଲିସ ଶ୍ରୀମତୀ ଆରାଙ୍କ ଡାକ୍ତରୀ ପରୀକ୍ଷା କରି ବୟାନ ରେକର୍ଡ କରିଥିବା ବେଳେ ଆଜି ହିନ୍ଦୀ ବିଭାଗକୁ ଯାଇ ୬ ଜଣ କର୍ମଚାରୀଙ୍କୁ ପଚରା ଉଚାର କରିିଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଘଟଣାର ତଦନ୍ତ କରିବାକୁ ଗଠନ କରାଯାଇଥିବା କମିଟି ନିକଟରେ ଆସନ୍ତାକାଲି ଶ୍ରୀମତୀ ଆରା ନିଜର ପକ୍ଷ ରଖିବା ପରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନିତ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କୁଳସଚିବ ମହେଶ୍ୱର ଅଗସ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର