ରେଭେନ୍ସା କନିକା ପାଠାଗାରର ଅନ୍‌ଲାଇନ୍‌ ଡିଜିଟାଇଜେସନ୍‌

ପାଠାଗାର ହେଉଛି ଶିକ୍ଷାନୁଷ୍ଠାନର ଜ୍ଞାନ ଭଣ୍ଡାର: ସୌମ୍ୟରଂଜନ

କଟକ : ଆଜିର ଦୁନିଆ ଏକ ବଜାରରେ ପରିଣତ ହୋଇଛି। ଏଥିରେ ଯୋଡ଼ି ହେବା ପାଇଁ ଯେଉଁ ସାମର୍ଥ୍ୟ, ଶକ୍ତି ଓ ସୂଚନାର ଆବଶ୍ୟକତା ରହିଛି ତାକୁ ହାତମୁଠାରେ ଧରିବାକୁ ପଡ଼ିବ। କିନ୍ତୁ ତାହା କେବଳ ଆଧୁନିକ ଜ୍ଞାନକୌଶଳ ଦ୍ୱାରା ସମ୍ଭବ ହୋଇପାରିବ। ନିଜ ହାତ ମୁଠାରେ ସମଗ୍ର ପୃଥିବୀକୁ ରଖିପାରୁଥିବା ଓ ଏହାକୁ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରୁଥିବା ମଣିଷଟି ଆଜିର ଦୁନିଆରେ ସଫଳ ବ୍ୟକ୍ତି ଭାବେ ବିବେଚିତ ବୋଲି ‘ଆଧୁନିକ ପାଠାଗାର ପରିଚାଳନା ପ୍ରଣାଳୀ ଓ ସୁଧାର ପ୍ରକ୍ରିୟା: ଲକ୍ଷ୍ୟ କନିକା ପାଠାଗାର’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟ ସେଭେନ୍‌ ପିଲାରସ୍‌ ଠାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗୋଟିଏ ପାଠାଗାର ଶିକ୍ଷା ଅନୁଷ୍ଠାନର ଜ୍ଞାନର ଭଣ୍ଡାର ଅଟେ। କନିକା ପାଠାଗାରର ସମସ୍ତ ବହିକୁ ବିଜ୍ଞାନ ଓ କାରିଗରୀ କୌଶଳ ଦ୍ୱାରା ତଥା ଅନ୍‌ଲାଇନ୍‌ ଓ ଡିଜିଟାଇଜେସ୍‌ନ ମାଧ୍ୟମରେ ଆଙ୍ଗୁଠି ଟିପରେ ନିୟନ୍ତ୍ରଣ କରିବା ପାଇଁ ଯେଉଁ ପ୍ରୟାସ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ। ଏହାକୁ ଛାତ୍ରଛାତ୍ରୀ ଯେପରି ଅଧିକ ବ୍ୟବହାର କରିବେ ଏହା ଉପରେ ମଧ୍ୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଲେ ଯୋଜନାଟି ସଫଳ ହୋଇପାରିବ। ଏହି କାର୍ଯ୍ୟଦ୍ୱାର ଓଡ଼ିଶା ଇତିହାସ, ସାହିତ୍ୟ, ସଂସ୍କୃତିକୁ ଆଗାମୀ ପିଢୀ ପାଇଁ ସାଇତି ରଖାଯାଇ ପାରିବବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି ବିଭାଗ ସଚିବ ତଥା ସଂପାଦକ ମନୋରଂଜନ ପାଣିଗ୍ରାହୀ ଯୋଗଦେଇ କନିକା ପାଠାଗାର କେବଳ ଓଡ଼ିଶାର ନୁହଁ ସମଗ୍ର ଦେଶର ଗର୍ବ ବୋଲି କହିଥିଲେ। ଏହାର ଉନ୍ନତିକରଣ ପାଇଁ କନିକା ପାଣ୍ଠି ନାମରେ ଏକ କମିଟି ଗଠନ କରି ରେଭେନ୍ସାର ସମସ୍ତ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ଉକ୍ତ ପାଣ୍ଠିକୁ ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ପଟ୍ଟନାୟକ ଦଶ ହଜାର ଟଙ୍କା ଲେଖାଁଏ ପ୍ରଦାନ କରିଥିଲେ। କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ ଛାତ୍ରଛାତ୍ରୀଙ୍କ ହାତ ମୁଠାରେ ଏବେ କନିକା ପାଠାଗାର। ଦିନର ୨୪ଘଣ୍ଟା ଏହା ସେମାନଙ୍କ ପାଇଁ ଖୋଲା ରହିବ। ଏହା ସହ ରେଭେନ୍ସାର ପତାକା କନିକା ପାଠାଗାର ଉପରେ ଉଡ଼ଇବା ପାଇଁ କର୍ତ୍ତୃପକ୍ଷ ସ୍ଥିର କରିଥିବା କୁଳପତି ଶ୍ରୀ ଷଡଙ୍ଗୀ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ରବିନ୍ଦ୍ର ନାଥ ବେହେରା, ଡକ୍ଟର ଲଲାଟେନ୍ଦୁ ମହାପାତ୍ରଙ୍କ ସହିତ ସମସ୍ତ ବିଭାଗର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ପାଠାଗାରର କର୍ମଚାରୀ ଉପସ୍ଥିତ ଥିଲେ। ପାଠାଗାର ଅଧିକାରୀ ଡକ୍ଟର ଚଣ୍ଡି ପ୍ରସାଦ ନନ୍ଦ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପାଠାଗାରର ତତ୍ତ୍ୱାବଧାରିକା ସୁଜାତା ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର